କୃଷି ବିଲକୁ ନେଇ ତାତିଲେ ଚାଷୀ, ଆଜିଠାରୁ ଆରମ୍ଭ ଚାଷୀଙ୍କ ‘ରେଳ ରୋକୋ’ ଆନ୍ଦୋଳନ

Published By : Prameya-News7 Bureau | September 24, 2020 IST

ନୂଆଦିଲ୍ଲୀ ୨୪/୦୯: କେନ୍ଦ୍ର ସରକାରଙ୍କ କୃଷି ବିଲକୁ ନେଇ ହରିଆଣା ଓ ପଞ୍ଜାବର ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି। ଚାଷୀଙ୍କ ଦାବି ସରକାରଙ୍କ ଏ ବିଲ ଚାଷୀ ବିରୋଧୀ। ଏଣୁ ଏହାକୁ ତତ୍କାଳ ପ୍ରତ୍ୟାହାର କରାଯାଉ। ଗତକାଲି ହରିଆଣାରେ ଚାଷୀମାନେ କୃଷି ବିଧେୟକ ବିରୋଧରେ ଜୋରଦାର ଆନ୍ଦୋଳନ କରିଥିଲେ। ପରିସ୍ଥିତି ଏଭଳି ହୋଇଥିଲା ଯେ ପୋଲିସ ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣକୁ ଆଣିବା ପାଇଁ ପାଣି ସ୍ପେ୍ର କରିଥିଲା। ଏବେ ପଞ୍ଜାବରେ ଚାଷୀମାନେ ଏହା ବିରୋଧରେ ‘ରେଳ ରୋକୋ’ ଆନ୍ଦୋଳନ ଆରମ୍ଭ କରିଛନ୍ତି।

{"id":333833,"sizeSlug":"large"}

ଚାଷୀ ଶ୍ରମିକ ସଂଘର୍ଷ ସମିତିର ମହାସଚିବ ସରବନ ସିଂହ ପଢ଼େର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି କୃଷି ବିଧେୟକ ବିରୋଧରେ ପଞ୍ଜାବରେ ଆଜିଠାରୁ ସେପ୍ଟେମ୍ବର ୨୬ ପର୍ଯ୍ୟନ୍ତ ରେଳ ରୋକୋ ଆନ୍ଦୋଳନ ଆରମ୍ଭ କରିବା ନିଷ୍ପତି ନିଆଯାଇଛି। ସରକାରଙ୍କ ଏହି କୃଷି ବିଧେୟକ ଲୋକସଭାରେ ପାସ୍ ହେବା ପରେ ହିଁ ଚାଷୀ ସଂଗଠନ ଏହାକୁ ବିରୋଧ କରି ଆସୁଛନ୍ତି। ଏପରିକି କିଛି ଅନ୍ୟ ଚାଷୀ ସଂଗଠନ ସେପ୍ଟେମ୍ବର ୨୫ରୁ ଭାରତ ବନ୍ଦ ଡାକରା ଦେଇଛନ୍ତି।

ଲୋକସଭାରେ ପାସ ହେବା ପରେ ଦୁଇଟି ମୁଖ୍ୟ କୃଷି ବିଲକୁ ଗତ ରବିବାର ରାଜ୍ୟସଭାରେ ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ଧ୍ବନିମତରେ ପାରିତ କରାଯାଇଥିଲା। ଏବେ ରାଷ୍ଟ୍ରପତିଙ୍କ ମଞ୍ଜୁରି ମିଳିବା ପରେ ଏହା ଆଇନରେ ପରିଣତ ହେବ। କଂଗ୍ରେସ, ଟିଏମସି, ଆରଜେଡ଼ି, ଆମ ଆଦମି ପାର୍ଟି, ସପା ଓ ବାମ ଦଳ ସମେତ ଅନ୍ୟ କେତେକ ଦଳ ବିଲକୁ କ୍ରମାଗତ ବିରୋଧ କରି ଆସୁଛନ୍ତି। ଏପରିକି ଗତ ବୁଧବାର ସଂସଦ ପରିସରରେ ବିରୋଧୀ ଦଳ କୃଷି ବିଲ ବିରୋଧରେ ଧାରଣା ଦେଇଥିଲେ।

{"id":333834,"sizeSlug":"large"}

କୃଷି ବିଲକୁ ବିରୋଧ କରୁଥିବା ଚାଷୀ କହନ୍ତି ଯେ ଏହା ଆଇନରେ ବଦଳିବା ପରେ ନ୍ୟୁନତମ ସମର୍ଥନ ମୂଲ୍ୟ (ଏମଏସପି)ର ସିଷ୍ଟମ ଶେଷ ହୋଇଯିବ। ଏହା ସହ ଚାଷୀଙ୍କୁ କର୍ପୋରେଟ୍ ଉପରେ ଛାଡି ଦିଆଯିବ। ତେବେ ସରକାର ଦାବି କରିଛନ୍ତି ଯେ ଏମଏସପି ପୂର୍ବ ପରି ଜାରି ରହିବ ଓ ଆଇନ ହେବା ପରେ ଏହା ଦ୍ବାରା ଚାଷୀଙ୍କୁ ନିଜ ଫସଲର ଅଧିକ ଲାଭ ମିଳିବ। ଏହି ବିଲକୁ କେନ୍ଦ୍ର ସରକାର ଐତିହାସିକ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.