Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅବୈଧ ସଂପର୍କରୁ ହତ୍ୟା : ମୁଖା ଖୋଲିଗଲା ପରେ ଦୋଷ ମାନିଗଲେ ଅନୁପ ସାଏ, ମୃତ ମହିଳାଙ୍କ ସହ ଲିଭ୍ ଇନ୍ ରିଲେସନସିପ୍‌ରେ ରହୁଥିଲେ

ରୟଗଡ ୧୪।୨: ଛତିଶଗଡରେ ଡବଲ ମର୍ଡର ଘଟଣାରେ ଅନୁପ ସାଏଙ୍କ ସଂପୃକ୍ତି ନେଇ ଖୁଲାସା କରିଛି ରାୟଗଡ ପୋଲିସ । ଏ ନେଇ ରାୟଗଡ ସନ୍ତୋଷ ସିଂହ ଏସପି ପ୍ରେସମିଟ୍ କରିଛନ୍ତି । ହତ୍ୟା ଘଟଣାରେ ସଂପୃକ୍ତି ନେଇ ଅନୁପଙ୍କ ବିରୋଧରେ ଠୋସ୍ ପ୍ରମାଣ ମିଳିଛି ବୋଲି ଏସପି ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି । ଅନୁପଙ୍କର ମୃତ କଳ୍ପନାଙ୍କ ସହ ଘନିଷ୍ଠ ସଂପର୍କ ଥିଲା । ମହିଳାଙ୍କ ସହ ଲିଭ୍ ଇନ୍ ରିଲେସନସିପରେ ଥିଲେ ଅନୁପ ସାଏ । ନିଜ ଦୋଷ ସ୍ବୀକାର କରିଛନ୍ତି ଅନୁପ ସାଏ । ଅନୁପଙ୍କର ଡିଏନଏ ଏବଂ ନାର୍କୋଟିକ୍ ଟେଷ୍ଟ କରାଯିବା ନେଇ ଏସପି ସୂଚନା ଦେଇଛନ୍ତି ।

୨୦୧୬ରେ ରାୟଗଡ ଜଙ୍ଗଲରୁ ମା’ ଓ ଝିଅଙ୍କ ମୃତଦେହ ମିଳିଥିଲା । ମୃତଦେହ ମିଳିବାର ୬ମାସ ପର୍ଯ୍ୟନ୍ତ ତାଙ୍କର ପରିଚୟ ମିଳିପାରିନଥିଲା । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ମୃତକଙ୍କ ପୋଷ୍ଟର ବିଭିନ୍ନ ସ୍ଥାନରେ ଲଗାଇଥିଲା ପୋଲିସ । ପୋଷ୍ଟର ଦେଖି ମହିଳାଙ୍କ ଭାଇ ତାଙ୍କୁ ଚିହ୍ନଟ କରିଥିଲେ । ପରେ ପୋଲିସକୁ ମହିଳାଙ୍କ ସଂପର୍କରେ ସବିଶେଷ ତଥ୍ୟ ମିଳିଥିଲା । ପୂର୍ବତନ ବିଧାୟକ ଅନୁପ ସାଏଙ୍କର ମୃତ ମହିଳାଙ୍କ ସହ ସଂପର୍କ ଥିଲା ବୋଲି ତାଙ୍କ ଭାଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।

ଏହି ମାମଲାରେ ପୋଲିସ ୬ଟି ରାଜ୍ୟର ପ୍ରାୟ ୭ଶହ ଲୋକଙ୍କୁ ଜେରା କରିଥିଲା । ତଦନ୍ତ ବେଳେ ପୋଲିସର ଜଣଙ୍କ ଉପରେ ସନ୍ଦେହ ହୋଇଥିଲା । ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ପୋଲିସ ପ୍ରାୟ ୬ମାସ ଧରି ନଜର ରଖିଥିଲା । ତେବେ ସେ ଅନୁପ ସାଏଙ୍କ ସହ ଯୋଗାଯୋଗରେ ରହିଥିଲେ ବୋଲି ମଧ୍ୟ ଜଣାପଡିଥିଲା । ସମସ୍ତ ତଥ୍ୟ ପ୍ରମାଣ ଆଧାରରେ ପୋଲିସ ମାମଲାରେ ଅନୁପଙ୍କ ସଂପୃକ୍ତି ରହିଥିବା ଜାଣିପାରିଥିଲା ।

ଫଳରେ ଅନୁପଙ୍କୁ ଏନେଇ ବହୁ ଥର ନୋଟିସ୍ ଦିଆଯାଇଥିଲା । ମାତ୍ର ସେ କୌଣସି ଥର ବି ହାଜର ହୋଇନଥିଲେ । ବାରମ୍ବାର ପୋଲିସକୁ ଭୂଆଁ ବୁଲାଇଚାଲିଥିଲେ । ରାଜନୈତିକ ଚାପ ପକାଇ ବାରମ୍ବାର ଖସିଯାଉଥିଲେ ଅନୁପ । ତେବେ ବୁଧବାର ଦିନ ଅନୁପଙ୍କୁ ନୋଟିସ ପଠାଇବା ସହ ତାଙ୍କୁ ଘରୁ ଉଠାଇ ନେଇଥିଲା ରାୟଗଡ ପୋଲିସ । ପଚରାଉଚରା ପରେ ଅନୁପ ନିଜ ଦୋଷ ସ୍ବୀକାର କରିଥିବା ମଧ୍ୟ ଜଣାପଡିଛି । ତେବେ ତାଙ୍କୁ ପୋଲିସ ଗିରଫ କରିଛି ।

ହତ୍ୟା ମାମଲାରେ ଗିରଫ ହେବା ପରେ ଅନୁପ ସାଏଙ୍କୁ ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ପଦ ସହ ଦଳରୁ ବହିଷ୍କାର କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୪ରେ କଂଗ୍ରେସ ଛାଡି ସେ ବିଜେଡିରେ ଯୋଗଦେଇଥିଲେ । ସେ ୨୦୦୦ ମସିହାରୁ ବ୍ରଜରାଜନଗରରୁ ୩ଥର କଂଗ୍ରେସ ବିଧାୟକ ଭାବେ ଲଗାତର ନିର୍ବାଚିତ ହୋଇଥିଲେ ।

   Related Posts