କଳ୍ପନା ମର୍ଡରର ଫିଟିବ ଗୁମର : ଅନୁପ ସାଏଙ୍କୁ ରିମାଣ୍ଡରେ ନେବ ରାୟଗଡ ପୋଲିସ, ଡ୍ରାଇଭରଙ୍କ ସହ ମୁହାଁମୁହିଁ କରିବ ଜେରା
19/02/2020 at 7:53 AM

ଝାରସୁଗୁଡା ୧୯।୨: ଅନୁପ ସାଏଙ୍କ ରିମାଣ୍ଡ ଆବେଦନ ଉପରେ ଆଜି ଶୁଣାଣି ହେବ । ଗତକାଲି ଛତିଶଗଡର ରାୟଗଡ କୋର୍ଟରେ ହାଜର ହୋଇଥିଲେ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ସହଯୋଗୀ ଡ୍ରାଇଭର ବର୍ଦ୍ଧନ ।

ତେବେ ଅନୁପଙ୍କୁ ରିମାଣ୍ଡରେ ନେବା ସହ ନାର୍କୋ ଟେଷ୍ଟ ପାଇଁ ଆବେଦନ କରିଛି ଛତିଶଗଡ ପୋଲିସ । ତେବେ କେତେଦିନ ରିମାଣ୍ଡରେ ଯିବେ ତାହା କୋର୍ଟର ନିର୍ଦ୍ଦେଶ ଉପରେ ନିର୍ଭର କରେ । ଉଭୟଙ୍କୁ ରିମାଣ୍ଡରେ ଆଣିବା ପରେ ରାୟଗଡ ପୋଲିସ ପୁଣିଥରେ ଘଟଣାସ୍ଥଳରେ କ୍ରାଇମ୍ ରିକ୍ରିଏଟ୍ କରି ଉଭୟଙ୍କୁ ପୋଲିସ ଜେରା କରିବ ।

ଗତକାଲି ରାୟଗଡ କୋର୍ଟରେ ରିମାଣ୍ଡ ଆବେଦନ ଉପରେ ଶୁଣାଣି ଚାଲିଥିବା ବେଳେ ଅନୁପଙ୍କ ଓକିଲ ଦୃଢ ବିରୋଧ କରିଥିଲେ । ପୋଲିସ ଜେରା ସମୟରେ ଉଭୟ ଅନୁପ ସାଏ ଓ ତାଙ୍କ ସହଯୋଗୀ ବର୍ଦ୍ଧନ ପୋଲିସକୁ ସହାୟତା କରୁନଥିବା ଅଭିଯୋଗ କରି ସରକାରୀ ଓକିଲ ୧୪ ଦିନିଆ ରିମାଣ୍ଡ ପାଇଁ ଯୁକ୍ତି ଉପସ୍ଥାପନ କରିଥିଲେ।

ସେପେଟେ ଅନୁପଙ୍କ ବଡ ଭାଇ ପ୍ରମୋଦ କୁମାର ସାଏ ବ୍ରଜରାଜନଗର ଥାନାର ଦ୍ବାରସ୍ଥ ହୋଇଛନ୍ତି । ଛତିଶଗଡରେ ମା’, ଝିଅ ହତ୍ୟାକାଣ୍ଡ ଉପରେ ଓଡିଆ ଫିଲ୍ମ ମାୟାବିନୀକୁ ବିରୋଧ କରାଯାଇଛି । ଏଥିରେ ହତ୍ୟାକାଣ୍ଡ ଘଟଣା ଉପରେ ମିଡିଆ ଟ୍ରାଏଲ ହେଇଥିବା ଅଭିଯୋଗ ହୋଇଛି ।