ଆର୍ୟଲ୍ୟାଣ୍ଡରେ ଅମ୍ବାତି ରାୟିଡୁଙ୍କ ଧମାଲ: ମାତ୍ର ଏତିକି ବଲରେ ଶତକ କରି ବିସିସିଆଇକୁ ଦେଲେ ମୁହଁତୋଡ଼ ଜବାବ

Published By : Prameya-News7 Bureau | July 28, 2019 IST

ନୂଆଦିଲ୍ଲୀ୨୮|୭: ଓ୍ବେଷ୍ଟଇଣ୍ଡିଜ ଗସ୍ତ ନେଇ ଭାରତୀୟ ଟିମର ମୁଖ୍ୟ ଚୟନ କର୍ତ୍ତା ଏମଏସକେ ପ୍ରସାଦ ଗତ ରବିବାର ଦିନ ମୁମ୍ବାଇ ଓ୍ବାଙ୍ଖ​‌ଡେ ଷ୍ଟାଡିୟମରେ ଖେଳାଳିଙ୍କ ନାଁ ଘୋଷଣା କରିଥିଲେ। ୨୦୧୯ ବିଶ୍ବକପରେ ସାମିଲ ଥିବା ଅମ୍ବାତି ରାୟିଡୁଙ୍କୁ ଏମଏସକେ ପ୍ରସାଦ ଓ୍ବେଷ୍ଟଇଣ୍ଡିଜ ଗସ୍ତରୁ ବାଦ ଦେଇଥିଲେ। ଏନେଇ ରାୟୁଡୁଙ୍କୁ କାହିଁକି ସାମିଲ କରଗଲା ନାହିଁ ବୋଲି ଗଣମାଧ୍ୟମ ପ୍ରତିନିଧି ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦଙ୍କୁ ପ୍ରଶ୍ନ କରିଥିଲେ ।

 ଏମଏସକେ ପ୍ରସାଦ ଉତ୍ତର କହିଥିଲେ, ରାୟିଡୁଙ୍କ ଫିଟନେସ ପାଇଁ ତାଙ୍କୁ ବାଦ ଦିଆଯାଇଛି। ଏନେଇ ରାୟିଡୁଙ୍କୁ ପ୍ରଶଂସକମାନେ ମଧ୍ୟ ମର୍ମାହତ ହୋଇଛନ୍ତି। ଆଗାମୀ ମ୍ୟାଚରେ ଅମ୍ବାତି ରାୟିଡୁଙ୍କ ଭଳି ଜ​ଣେ ସୁଦକ୍ଷ ଖେଳାଳି ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯିବା ଆବଶ୍ୟକ ବୋଲି କ୍ରିକେଟପ୍ରେମୀ ମତ ଦେଇଥିଲେ।

ସୂଚନାଥାଉକି, ୨୦୧୯ ବିଶ୍ବକପରେ ରାୟିଡୁଙ୍କୁ ରିଜର୍ଭ ଖେଳାଳି ଭାବେ ବିସିସିଆଇ ଟିମ ଇଣ୍ଡିଆରେ ସାମିଲ କରିଥିଲେ। ତେବେ ଶିଖର ଧାଓ୍ବନ ଓ ବିଜୟ ଶଙ୍କରଙ୍କୁ ଆଘାତ କାରଣରୁ ଟିମରୁ ବାଦ ଦିଆଯାଇଥିଲା। ଏହି ଦୁଇଜଣଙ୍କ ସ୍ଥାନରେ ଋଷଭ ପନ୍ତ ଓ ମାୟଙ୍କ ଅଗ୍ରଓ୍ବାଲଙ୍କୁ ଖେଳିବାକୁ ସୁଯୋଗ ମିଳିଥିଲା । ହେଲେ ରାୟିଡୁଙ୍କୁ ସୁଯୋଗ ମିଳିନଥିଲା। ଏସବୁ କାରଣରୁ ରାୟିଡୁ କ୍ଷୁବ୍ଧ ହୋଇ ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ।

ଅମ୍ବାତି ରାୟିଡୁ କ୍ରିକେଟରୁ ସନ୍ୟାସ  ନେବା ପରେ ଆର୍ୟଲ୍ୟାଣ୍ଡର ନାଗରିକତ୍ବ ଗ୍ରହଣ କରି ସେଠାରେ ଘରୋଇ କ୍ରିକେଟ ଖେଳୁଛନ୍ତି । ସେଠାରେ ଏକ ଘରୋଇ ମ୍ୟାଚରେ ସେ ୫୮ଟି ବଲରେ୧୦୦ ରନ ସଂଗ୍ରହ କରିଛନ୍ତି। ଏହି ଜବରଦସ୍ତ ଶତକ ହାସଲ ପରେ ବିସିସିଆଇ ଓ ଭାରତୀୟ ଚୟନ କମିଟିକୁ ରାୟିଡୁ ମୁହଁତୋଡ଼ ଜବାବ ବୋଲି କୁହାଯାଉଛି । ଏଥିସହ ଆର୍ୟଲ୍ୟାଣ୍ଡ ଟିମରେ ତାଙ୍କୁ ଅଧିନାୟକ କରିବା ପାଇଁ ମଧ୍ୟ ପ୍ରସ୍ତାବ ଆସିଛି। ଆଗାମୀ ଦିନରେ ରାୟିଡୁ ଆର୍ୟଲ୍ୟାଣ୍ଡ ଟିମର ଅଧିନାୟକ ଭାର ସମ୍ଭାଳି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.