ଦୁଇଟି ଚୋରା କରତକଳ ଉପରେ ଚଢ଼ାଉ,୧୩ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଓ ମୁଲ୍ୟବାନ କାଠ ଜବତ, ମାଲିକ ଫେରାର

Published By : Prameya-News7 Bureau | September 11, 2020 IST

ନୀଳଗିରି,୧୧/୦୯:  ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନୀଳଗିରି ଓ କୂଳଡିହା ବନବିଭାଗ ରେମୁଣା ବ୍ଲକ ଦରକୋଇଲି ଅଞ୍ଚଳରେ ଥିବା ଦୁଇଟି ଚୋରା କରତ କଳ ଉପରେ ମିଳିତ ଚଢ଼ାଉ କରିଛି। ଏହି ଚଢାଉରେ ୧୩ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଓ ମୂଲ୍ୟବାନ କାଠ ଜବତ କରିବାରେ ସଫଳ ହୋଇଛି ବନ ବିଭାଗ। କାଠର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।  ହେଲେ ମାଲିକ ଫେରାର ହେବାରେ ସଫଳ ହୋଇଛି।

ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ସୀମାନ୍ତ ରେମୁଣା ବ୍ଲକ ଗଣ୍ଡରଦା ନିକଟ ଦରକୋଇଲି ଅଂଚଳରେ ବହୁଦିନ ଧରି ଚୋରା କରତକଳ ଚାଲିଆସୁଥିଲା। ନୀଳଗିରି ସମେତ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଚୋରାକାଠ  ଅଣାଯାଇ ଏଠାରେ କଟାଯିବା ସହ ବାହାରକୁ ଚାଲାଣ ହେଇଥିଲା। ବିଶେଷ ସୂତ୍ରରୁ ବାଲେଶ୍ଵର ଡିଏଫଓ ବିଶ୍ଵରାଜ ପଣ୍ଡା ଖବର ପାଇ ଚଢ଼ାଉକରିବା ନେଇ ଏକ ଟିମ ଗଠନ କରିଥିଲେ।

ନୀଳଗିରି ଅତିରିକ୍ତ ତହସିଲଦାର ଦାୟିତ୍ୱରେ ଥିବା ହେମନ୍ତ କୁମାର ନାୟକ ମାଜିଷ୍ଟ୍ରେଟଙ୍କୁ ନେଇ ନୀଳଗିରି ରେଞ୍ଜର ମନର ଖାଁ ଓ ତାଙ୍କ କର୍ମଚାରୀ ଓ କୁଳଡିହା ରେଞ୍ଜର ବିଜୟ କୁମାର ମହାପାତ୍ର ଓ ତାଙ୍କ କର୍ମଚାରୀ ଏହି ଦୁଇଟି ଚୋରା କରତ କଳ ଉପରେ ଆତର୍କିତ ଚଢ଼ାଉ କରିଥିଲେ। ୧୦ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଜବତ କରିବା ସହିତ ଆକାଶିଆ, ନିମ୍ବ, ଶିଶୁ ଭଳି ମୁଲ୍ୟବାନ କାଠ ଜବତ ହୋଇଛି। କାଠର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ଦୁଇଟି କରତକଳ ର ମାଲିକ ଭାସ୍କର ରଣା ଓ ରାମଚନ୍ଦ୍ର ଗିରି ବୋଲି ଜଣାପଡିଛି।ଘଟଣାସ୍ଥଳରୁ ଦୁଇ ମାଲିକ ଓ କର୍ମଚାରୀ ଫେରାର ହୋଇଥିବା ଜଣାପଡିଛି।ନୀଳଗିରି ବନବିଭାଗ ଯନ୍ତ୍ରାଂଶ ଓ କାଠ ଜବତ କରିବା ସହ ଦୁଇଟି ପୃଥକ ମାମଲା ରୁଜୁକରିଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.