ବନ୍ଧୁକ କାରଖାନା ଉପରେ ଚଢାଉ : ବନ୍ଧୁକ ତିଆରି ସାମଗ୍ରୀ ଜବତ, ଜଣେ ଗିରଫ

Published By : Prameya-News7 Bureau | October 08, 2021 IST

ଢେଙ୍କାନାଳ ୮।୧୦: ତିଆରି କରୁଥିଲେ ବନ୍ଧୁକ । ଆଉ ଖବର ପାଇ ପୋଲିସ କଲା ଚଢ଼ାଉ । ଏହି ଚଢ଼ାଉରେ ଦେଶୀ ବନ୍ଧୁକ ସହ କିଛି ବନ୍ଧୁକ ତିଆରି ସାମଗ୍ରୀକୁ ଜବତ କରିଛି ପୋଲିସ । ଢେଙ୍କାନାଳ ଜିଲ୍ଲା

ପର୍ଜଙ୍ଗ ଥାନା ପୋଲିସ ବାମ ଗ୍ରାମରେ ତିଆରି ଚାଲିଥିବା ଏକ ଦେଶୀ ବନ୍ଧୁକ କାରଖାନାରେ ଚଢ଼ାଉ କରିଥିଲା । ପୋଲିସର ଚଢାଉରେ ବନ୍ଧୁକ ସମେତ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି । ଏହି ବନ୍ଧୁକ ତିଆରି କରୁଥିବା ଜଣେ ବ୍ୟକ୍ତିକୁ ଗିରଫ କରିଛି ପୋଲିସ । ଗିରଫ ଯୁବକ ହେଲେ ବାମ ଗ୍ରାମ ଭୂତୁରିଆ ସାହିର ମଙ୍ଗୁଳୁ ମହାରଣା। ମଙ୍ଗୁଲୁ ବନ୍ଧୁକ ତିଆରି କରି ବାହାରକୁ ଚାଲାଣ କରୁଥିବା ପୋଲିସ ସୂଚନା ଦେଇଛି। ଏକ ବିଶେଷ ସୂତ୍ରରୁ ପୋଲିସ ଖବର ପାଇ ପର୍ଜଙ୍ଗ ଥାନା ଅଧିକାରୀଙ୍କ ନେତୃତ୍ବରେ ଗତ ବିଳମ୍ବିତ ରାତିରେ ମଙ୍ଗୁଳୁ ମହାରଣାଙ୍କ ଘରେ ଚଢାଉ କରିଥିଲା। ଚଢାଉ ବେଳେ ତା ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଓ ବନ୍ଧୁକ ତିଆରିରେ ବ୍ୟବହୃତ ହେଉଥିବା ସରଞ୍ଜାମଗୁଡିକୁ ଜବତ କରିବାରେ ସକ୍ଷମ ହୋଇଛି। ଦୀର୍ଘ ଦିନ ହେବ ଏହିଠାରେ ବେଆଇନ ଭାବେ ବନ୍ଧୁକ ତିଆରି ହେଉଥିଲା ବୋଲି ପୋଲିସ ସୂଚନା ପାଇଛି। ବିଶେଷ କରି ଏହି ବନ୍ଧୁକଗୁଡିକୁ ଅଧିକାଂଶ ସମୟରେ ଜୀବଜନ୍ତୁ ଶିକାର ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ଜଣାପଡିଛି। ପୋଲିସ ମଙ୍ଗୁଳୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.