Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାହୁଲଙ୍କ ତାତ୍ସଲ୍ୟ: କହିଲେ- ଚୀନର ନାମ ନେବାକୁ ଡରନ୍ତୁ ନାହିଁ

15/09/2020 at 7:40 PM

ନୂଆଦିଲ୍ଲୀ ୧୫।୦୯: ଲଦାଖରେ ଭାରତ-ଚୀନ ମଧ୍ୟରେ ଚାରି ମାସରୁ ଉର୍ଦ୍ଧ୍ଵ ସମୟ ଧରି ଉତ୍ତେଜନା ଲାଗି ରହିଛି। ଏହି ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ ଦେଇଥିବା ବିବୃତ୍ତି ପରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଶାଣ କରିଛନ୍ତି। ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଛନ୍ତି ଆପଣ ଚୀନର ନାମ ନେବାକୁ ଡରନ୍ତୁ ନାହିଁ। ଏହା ବ୍ୟତୀତ ଅଭିଯୋଗ କରିଛି ଯେ, ପ୍ରଧାନମନ୍ତ୍ରୀ ଦେଶକୁ ଚୀନ ପ୍ରସଙ୍ଗରେ ଭ୍ରମିତ କରିଛନ୍ତି।

ରାଜନାଥ ସିଂହ ଲୋକସଭାରେ ଦେଇଥିବା ବୟାନ ଉପରେ ରାହୁଲ ଗାନ୍ଧୀ ଟ୍ଵିଟ୍ କରିଛନ୍ତି, ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନରୁ ସ୍ପଷ୍ଟ ଜଣା ପଡୁଛି ଯେ ମୋଦୀ ଜୀ ଦେଶକୁ ଚୀନର ଅନୁପ୍ରବେଶ ଉପରେ ଭ୍ରମିତ କରିଛନ୍ତି। ଆମ ଦେଶ ଆପଣଙ୍କ ସହିତ ସର୍ବଦା ଛିଡା ହୋଇ ରହିଛି ଏବଂ ରହିବ ମଧ୍ୟ। ରାହୁଲ ପ୍ରଶ୍ନ କରିଛନ୍ତି, ମାତ୍ର ମୋଦୀଜୀ ଆପଣ ଚୀନ ବିରୋଧରେ କେବେ ଛିଡା ହେବେ ? ଚୀନଠୁ ଆମର ଜମି କେବେ ମୁକୁଳାଇବେ ? ଚୀନର ନାମ ନେବାକୁ ଭୟ କରନ୍ତୁ ନାହିଁ ବୋଲି ରାହୁଲ କହିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ସଂସଦରେ କହିଥିଲେ ଭାରତ ଶାନ୍ତିପୂର୍ଣ୍ଣ ପ୍ରକ୍ରିୟାରେ ସୀମା ପ୍ରସଙ୍ଗ ବିବାଦକ ସମାଧାନ କରିବାକୁ ପ୍ରତିବଦ୍ଧ ମାତ୍ର ପଡୋଶୀ ଦେଶ ଦ୍ଵାରା ସ୍ଥିତାବସ୍ଥାରେ କୌଣସି ପ୍ରକାରର ପରିବର୍ତ୍ତନକୁ ବରଦାସ୍ତ କରାଯାଇ ପାରିବ ନାହିଁ। ସେ କହିଛନ୍ତି ଆମେ ପୂର୍ବ ଲଦାଖରେ ଚ୍ୟାଲେଞ୍ଜର ସାମ୍ନା କରୁଛୁ। ଆମେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ସମାଧାନ କରିବାକୁ ଚାହୁଁଛୁ ଏବଂ ଆମର ଶସସ୍ତ୍ର ବଳ ଦେଶର ସାର୍ବଭୌମ ଓ କ୍ଷେତ୍ରୀୟ ଅଖଣ୍ଡତାର ରକ୍ଷା ପାଇଁ ଧୈର୍ଯ୍ୟର ସହ ଛିଡା ହୋଇଛନ୍ତି।

ଅନ୍ୟପଟେ ପ୍ରତିରକ୍ଷାଙ୍କ ଉତ୍ତରରେ କଂଗ୍ରେସର ସଦସ୍ୟ ମଧ୍ୟ ଏହି ପ୍ରସଙ୍ଗରେ ନିଜର କଥା ରଖିବାକୁ ଚାହିଁଥିଲେ ମାତ୍ର ବାଚସ୍ପତି ଓମ ବିର୍ଲା ନିୟମର ଉଲ୍ଲେଖ କରି ସେମାନଙ୍କୁ କହିବାକୁ ଅନୁମତି ଦେଇନଥିଲେ। କଂଗ୍ରେସର ଅଧୀର ରଞ୍ଜନ ଚୌଧୁରୀ ଓ ଗୌରବ ଗୋଗୋଇ କହିଛନ୍ତି ସେମାନଙ୍କୁ କହିବାର ଅଧିକାର ରହିଛି। ହେଲେ ଅନୁମତି ନମିଳିବାରୁ କଂଗ୍ରେସ ସଦସ୍ୟ ବିରୋଧରେ କକ୍ଷତ୍ୟାଗ କରିଥିଲେ।

   Related Posts