ଦେଶରେ କୃଷକ ଆନ୍ଦୋଳନ ବେଳେ ବିଦେଶ ଗଲେ ରାହୁଲ ! କଂଗ୍ରେସ କହିଲା ଏହା ତାଙ୍କର ବ୍ୟକ୍ତିଗତ ଯାତ୍ରା

Published By : Prameya-News7 Bureau | December 27, 2020 IST

ନୂଆଦିଲ୍ଲୀ ୨୭।୧୨: ସଂଶୋଧିତ କୃଷି ଆଇନ ବିରୋଧରେ ଚାଷୀଙ୍କୁ ସମର୍ଥନ କରୁଥିବା ପୂର୍ବତନ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ରବିବାର ବିଦେଶ ଗସ୍ତରେ ବାହାରି ଯାଇଛନ୍ତି। ରାହୁଲ ପୂର୍ବାହ୍ନରେ କତର ଏୟାରଲାଇନ୍ସ ଫ୍ଲାଇଟ୍‌ ଯୋଗେ ଇଟାଲୀ ଯାଇଥିବା ଅନୁମାନ କରାଯାଉଛି। ତେବେ ରାହୁଲଙ୍କ ଏପରି ଅଚାନକ ବିଦେଶ ଗସ୍ତକୁ ନେଇ ତାଙ୍କ ଗମ୍ଭୀରତା ଉପରେ ପୁଣି ଥରେ ପ୍ରଶ୍ନବାଚୀ ଲାଗିଛି। ସେପଟେ ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡା ରାହୁଲଙ୍କ ଏକ ପୁରୁଣା ଭିଡିଓ ଜାରି କରି ତାଙ୍କ ଉପରେ ଦିନ ତମାମ ରୋଷ ଜାହିର କରିବାରେ ଲାଗିଛନ୍ତି।

ସୂଚନା ଯୋଗ୍ୟଯେ ନୂଆ କୃଷି ଆଇନକୁ ବିରୋଧ କରି ରାହୁଲ ଦୁଇ ଥର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ସାକ୍ଷାତ ଆଲୋଚନାରେ ସେ ନୂଆ ଆଇନ ବାତିଲ ଲାଗି ମଧ୍ୟ ରାଷ୍ଟ୍ରପତିଙ୍କ ନିବେଦନ କରିଛନ୍ତି। ଏଥିରେ ଅଚାନକ ରାହୁଲ ବିଦେଶ ଚାଲିଯିବା ଆନ୍ଦୋଳନ ପଛରେ ତାଙ୍କର ସମର୍ଥନ ନେଇ ଆଶଙ୍କା ଉଦ୍ରେକ କରିଛି। କଂଗ୍ରେସ ମଧ୍ୟ ରାହୁଲଙ୍କ ଗସ୍ତକୁ ନେଇ କୌଣସି ସୂଚନା ଦେଇନି। ତେବେ ରାହୁଲଙ୍କ ବିଦେଶ ଗସ୍ତ ଚର୍ଚ୍ଚା ହେବା ପରେ ପାର୍ଟି ମୁଖପାତ୍ର ରଣଦୀପ ସୂରଜେୱାଲା ସେ କିଛି ଦିନ ଦେଶରୁ ଅନୁପସ୍ଥିତ ରହିବେ ବୋଲି କହିଛନ୍ତି।

କଂଗ୍ରେସ ମୁଖପାତ୍ର ରାହୁଲ ଏକ ସଂକ୍ଷିପ୍ତ ବ୍ୟକ୍ତିଗତ ଗସ୍ତରେ ବିଦେଶ ଯାଇଥିବାର ସୂଚିତ କରିଛନ୍ତି। ଯେଉଁଠାରେ ସେ କିଛି ଦିନ ରହିବେ ବୋଲି ସୂରଜେୱାଲା କହିଛନ୍ତି। ହେଲେ ସେ କେଉଁ ଦେଶକୁ ଯାଇଛନ୍ତି ସେଠାରେ କେତେଦିନ ଅବସ୍ଥାନ କରିବେ ସେ ନେଇ କୌଣସି ସୂଚନା ଦେଇ ନାହାନ୍ତି। ତେବେ ରାହୁଲଙ୍କ ବିଦେଶ ଗସ୍ତକୁ ନେଇ ଦେଶର ସୋସିଆଲ ମିଡିଆରେ ବି ଏବେ ଚର୍ଚ୍ଚା ଜୋର ଧରିଲାଣି। ରାହୁଲଙ୍କ ଏହି ବିଦେଶ ଗସ୍ତର ଦିନକ ପରେ ଦେଶରେ କଂଗ୍ରେସର ୧୩୬ତମ ସ୍ଥାପନା ଦିବସ ପାଳନ ହେବାକୁ ଯାଉଛି। ତେବେ ଦଳର ଜଣେ ଆଗ ଧାଡିର ନେତା ହୋଇ ମଧ୍ୟ କାର୍ଯ୍ୟକ୍ରମରେ ତାଙ୍କ ଅନୁପସ୍ଥିତି ଏବେ ଦଳରେ ମଧ୍ୟ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.