ଯାତ୍ରୀରେଳ ଘରୋଇକରଣ ପ୍ରସଙ୍ଗରେ ମୁହଁ ଖୋଲିଲେ ରାହୁଲ, କହିଲେ ଗରିବଙ୍କ ଜୀବନ ରେଖା ଛଡାଇ ନେଉଛନ୍ତି ସରକାର
2/07/2020 at 3:55 PM

ନୂଆଦିଲ୍ଲୀ ୨।୭: ଦେଶର ୧୦୯ଟି ରୁଟ୍ରେ ପାସେଞ୍ଜର ଟ୍ରେନ୍ ସେବା ଘରୋଇ କମ୍ପାନୀଙ୍କ ହାତକୁ ଟେକିଦେବେ କେନ୍ଦ୍ର ସରକାର। ଏଥିଲାଗି ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏହା ଦ୍ୱାରା ସରକାର ଗରିବ ଲୋକଙ୍କ ଜୀବନ ରେଖା ଛଡାଇ ନେଉଛନ୍ତି ବୋଲି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ବରିଷ୍ଠ ସାଂସଦ ରାହୁଲ ଗାନ୍ଧି ଗୁରୁବାର ଅଭିଯୋଗ କରିଛନ୍ତି। ଏ ନେଇ ରାହୁଲ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏକ ପୋଷ୍ଟ ସେୟାର କରିଥିବା ବେଳେ ସରକାରଙ୍କୁ ଲୋକେ ଏହାର ଜବାବ ନିଶ୍ଚିତ ଦେବେ ବୋଲି କହିଛନ୍ତି।
रेल ग़रीबों की एकमात्र जीवनरेखा है और सरकार उनसे ये भी छीन रही है।
— Rahul Gandhi (@RahulGandhi) July 2, 2020
जो छीनना है, छीनिये। लेकिन याद रहे- देश की जनता इसका करारा जवाब देगी।https://t.co/M6OQZ6xAz5
ରାହୁଲ ସେୟାର କରିଥିବା ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି ଯେ, ‘ରେଳ ଗରିବଙ୍କ ଜୀବନ ରେଖା ସରକାର ଏବେ ସେମାନଙ୍କ ଠାରୁ ତାହାବି ଛଡାଇ ନେଉଛନ୍ତି । ଯହା ଛଡାଇବାର ଅଛି ଛଡାନ୍ତୁ.. ହେଲେ ମନେ ରଖନ୍ତୁ ଦେଶର ଜନତା ଏହାର କଡା ଜବାବ ଦେବେ ’। ସୂଚନା ଯୋଗ୍ୟଯେ ରେଳବାଇ ନିଜ ନେଟୱାର୍କରେ ଯାତ୍ରୀ ଟ୍ରେନ ଚଳାଚଳ ଲାଗି ଘରୋଇ କମ୍ପାନୀଙ୍କୁ ଅନୁମତି ଦେବା ନିମନ୍ତେ ଯୋଜନାର ଔପଚାରିକତା ପୂରଣ କରିଛନ୍ତି।

ଏଥିଲାଗି ରେଳବାଇ ଟେଣ୍ଡର ଆହ୍ୱାନ କରିଥିବା ବେଳେ ୧୦୯ଟି ମାର୍ଗରେ ୧୫୧ଟି ଅତ୍ୟାଧୁନିକ ଟ୍ରେନ ଜରିଆରେ ଯାତ୍ରୀ ପରିବହନ ସେବା ଯୋଗାଇ ଦେବାକୁ ଘରୋଇ କମ୍ପାନୀଙ୍କ ଠାରୁ ଟେଣ୍ଡର ଆହ୍ୱାନ କରାଯାଇଛି। ଏଥିରେ ଘରୋଇ କ୍ଷେତ୍ରରୁ ରେଳବାଇକୁ ଅନୁନ୍ୟ ୩୦ ହଜାର କୋଟି ଟଙ୍କାର ନିବେଶ ଆସିବ ବୋଲି ସରକାର ଆକଳନ କରିଛନ୍ତି।