ଜୟପୁରରେ ମହିଳାକାର୍ଡ଼ ଖେଳିଲେ ରାହୁଲ୍ : ପ୍ରତ୍ୟେକ ମହିଳାଙ୍କୁ ମାଗଣା ଶିକ୍ଷା, ପ୍ରତ୍ୟେକ ଗରିବ ଝିଅର ବିବାହ ପାଇଁ ଆର୍ଥିକ ସହାୟତା ଦେବାକୁ ପ୍ରତିଶୃତି
8/03/2019 at 7:19 PM

ଭୁବନେଶ୍ୱର ୮/୩ : ନିର୍ବାଚନକୁ ନଜରରେ ରଖି ଜୟପୁରରେ ମହିଳାକାର୍ଡ଼ ଖେଳିଲେ ରାହୁଲ୍ । ଆଜି କୋରାପୁଟ ଜୟପୁରରେ ଆୟୋଜିତ ଦଳର ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେଇ କେଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମହିଳାଙ୍କ ପାଇଁ ଦଳର ଏଜେଣ୍ଡା ବଖାଣିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । କଂଗ୍ରେସ କ୍ଷମତାକୁ ଆସିଲେ ଓଡ଼ିଶାରେ ପ୍ରତ୍ୟେକ ମହିଳାଙ୍କୁ ମାଗଣା ଶିକ୍ଷା, ପ୍ରତ୍ୟେକ ଗରିବ ଝିଅର ବିବାହ ପାଇଁ ଆର୍ଥିକ ସହାୟତା ଏବଂ ବିଧବା ପେନ୍ସନ ୨ହଜାର ଟଙ୍କା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ରାହୁଲ ଗାନ୍ଧି । ସେପେଟ କଂଗ୍ରେସ ଅଧ୍ୟକ୍ଷଙ୍କ ନିର୍ବାଚନୀ ଆଟାକ୍ର କାଉଣ୍ଟର କରିଛନ୍ତି ଉଭୟ ବିଜେଡି ଓ ବିଜେପି ନେତା । …..

ପୂର୍ବରୁ କଳାହାଣ୍ଡିରେ ଆଦିବାସୀ କାର୍ଡ଼ ଖେଳିଥିଲେ । ଆଉ ଏବେ କୋରାପୁଟରେ ଖେଳିଲେ ମହିଳା କାର୍ଡ଼ । ନିର୍ବାଚନକୁ ନଜର ରଖି ଘନ ଘନ ଓଡ଼ିଶା ଆସୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ବିଶ୍ବ ମହିଳା ଦିବସ ଅବସରରେ ରାଜ୍ୟର ମହିଳା ଭୋଟରଙ୍କୁ ଫୋକସ୍ କରିଛନ୍ତି । କଂଗ୍ରେସ କ୍ଷମତାକୁ ଆସିଲେ ଓଡ଼ିଶାରେ ପ୍ରତ୍ୟେକ ମହିଳାଙ୍କୁ ମାଗଣା ଶିକ୍ଷା, ପ୍ରତ୍ୟେକ ଗରିବ ଝିଅର ବିବାହ ପାଇଁ ଆର୍ଥିକ ସହାୟତା ଏବଂ ବିଧବା ପେନ୍ସନ ୨ହଜାର ଟଙ୍କା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ।

ଦଳର ପରିବର୍ତ୍ତନ ସମାବେଶରେ ମହିଳାଙ୍କ ପାଇଁ ଦଳର ଏଜେଣ୍ଡା ବଖାଣିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ୍ କରିବାକୁ ଭୁଲି ନଥିଲେ ରାହୁଲ । ଓଡ଼ିଶା ଗରିବ ନୁହେଁ ହେଲେ ଓଡ଼ିଶାର ଲୋକ ଗରିବ କାହିଁକି ? ଓଡ଼ିଶାରେ ଆଦିବାସୀଙ୍କ ସ୍ବର, ଗରିବ, ଚାଷୀ, ଦଳିତଙ୍କ ସ୍ବର ଓଡ଼ିଶା ସରକାରଙ୍କ ପାଖରେ ପହଞ୍ଚୁ ନାହିଁ । କଂଗ୍ରେସ କେବଳ ଓଡ଼ିଶାରେ ଜନତା ସରକାର ବନାଇବାକୁ ଚାହୁଁଛି ବୋଲି କହିଥିଲେ ରାହୁଲ ଗାନ୍ଧି ।

ଖାଲି ରାଜ୍ୟ ସରକାର କାହିଁକି କେନ୍ଦ୍ରର ମୋଦି ସରକାରଙ୍କୁ ମଧ୍ୟ ରାଫେଲ୍ ଆଟାକ୍ କରିଥିଲେ ରାହୁଲ । ଏଭଳି ଦୁର୍ନୀତିଗ୍ରସ୍ତ ସରକାରକୁ କ୍ଷମତାରୁ ହଟାଇବା ଆପଣମାନଙ୍କ କାମ ବୋଲି କହିଥିଲେ ରାହୁଲ୍ । ଭାରତରେ ଯୁବକ ଓ ଯୁବତୀମାନଙ୍କୁ ଚାକିରି ମିଳୁନାହିଁ । ମଧ୍ୟମ ଧରଣର ଶିଳ୍ପାନୁଷ୍ଠାନ ପାଖରେ ଅର୍ଥର ଅଭାବ ରହିଛି, ବ୍ୟାଙ୍କଗୁଡ଼ିକ ଛୋଟ ଓ ମଧ୍ୟମ ଧରଣର ଶିଳ୍ପାନୁଷ୍ଠାନକୁ ଋଣ ଦେଛନାହାନ୍ତି । ତେଣୁ ରୋଜଗାର ସୃଷ୍ଟି ହୋଇପାରୁନାହିଁ ବୋଲି କହିଥିଲେ ରାହୁଲ ।

ନିର୍ବାଚନ ଆଉ ଅଳ୍ପ ଦିନ ବାକି । ରାଜନୈତିକ ଦଳମାନେ ନିଜ ନିଜର ପ୍ରଚାରରେ ମାତିଛନ୍ତି । ଓଡ଼ଶାକୁ ଏବେ ସବୁ ରାଜନୈତିକ ଦଳ ଫୋକସ୍ କରିଛନ୍ତି । ଏମିତିରେ କେନ୍ଦ୍ରୀୟ ନେତାମାନେ ତୁହାକୁ ତୁହା ଓଡ଼ିଶା ଗସ୍ତରେ ଆସୁଛନ୍ତି । ତେବେ ରାହୁଲଙ୍କ ଆଜିର କୋରାପୁଟ ଜୟପୁର ଗସ୍ତ ରାଜ୍ୟ କଂଗ୍ରେସ କ୍ୟାମ୍ପକୁ ଉତ୍ସାହିତ କରିଛି ।
