ଚାଷୀଙ୍କ ଲାଗି ଜନସମର୍ଥନ ଲୋଡିଲେ ରାହୁଲ, ଆରମ୍ଭ କଲେ ‘କିଷାନ କେ ଲିଏ ବୋଲେ ଭାରତ’ ଅଭିଯାନ, ଦେଖନ୍ତୁ ଭିଡିଓ
8/01/2021 at 6:19 PM

ନୂଆଦିଲ୍ଲୀ ୮।୧: ସରକାର ଓ ଚାଷୀଙ୍କ ମଧ୍ୟରେ ଶୁକ୍ରବାର ଅଷ୍ଟମ ପର୍ଯ୍ୟୟ ଆଲୋଚନା କୌଣସି ନିଷ୍ପତି ବିନା ଶେଷ ହୋଇଛି। ଏଥିରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚାଷୀଙ୍କ ଲାଗି ଦେଶବାସୀଙ୍କ ସମର୍ଥନ ଲୋଡିଛନ୍ତି। ଖାସ ଏଥିପାଇଁ ସେ ସୋସିଆଲ ମିଡିଆରେ ‘କିଷାନ କେ ଲିଏ ବୋଲେ ଭାରତ’ ନାମରେ ଏକ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି।
କଂଗ୍ରେସ ପାର୍ଟି ପକ୍ଷରୁ ୨ଟି ଅଲଗା ଅଲଗା ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହୋଇଛି। ଯେଉଁଥିରେ ଆଇନକୁ ନେଇ ଦେଶ କେତେ ଚିନ୍ତିତ ତାହା ବୁଝାଇବାକୁ ଉଦ୍ୟମ କରାଯାଇଛି। ରାହୁଲ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ତାଙ୍କ ପୁଞ୍ଜିପତି ମିତ୍ରଙ୍କ ସ୍ୱାର୍ଥ ଲାଗି ଚାଷୀଙ୍କ ପ୍ରତି ବିଶ୍ୱାସଘାତ କରିଥିବା ଉଲ୍ଲେଖ କରିଛନ୍ତି।
ଚାଷୀ ଆନ୍ଦୋଳନ ମାଧ୍ୟମରେ ସେମାନଙ୍କ ଅସନ୍ତୋଷ ପ୍ରଦର୍ଶନ କରୁଛନ୍ତି। ସେମାନଙ୍କ ଶ୍ୱରକୁ ଶାଣିତ କରିବା ଏବେ ଆମମାନଙ୍କ କର୍ତ୍ତବ୍ୟ ବୋଲି ରାହୁଲ ତାଙ୍କ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି। ଏହା ପୂର୍ବରୁ ରାହୁଲ ଅନ୍ୟ ଏକ ଟ୍ୱିଟ୍ କରିଥିଲେ। ଯେଉଁଥିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଗଣତନ୍ତ୍ରର ଏକ ଅଭିନ୍ନ ଅଂଶ ବୋଲି ଉଲ୍ଲେଖ କରିଛନ୍ତି। ଏଣୁ ଚାଷୀଙ୍କ ଆନ୍ଦୋଳନକୁ ସାରା ଦେଶରୁ ଏବେ ସମର୍ଥନ ମିଳିବାର ଲାଗିଛି। ଆପଣ ମଧ୍ୟ ସେମାନଙ୍କ ସହ ନିଜର ଶ୍ୱର ମିଳାନ୍ତୁ ବୋଲି ରାହୁଲ ଆହ୍ୱାନ ଦେଇଥିଲେ।
ରାହୁଲଙ୍କ ସହ ପ୍ରିୟଙ୍କା ମଧ୍ୟ ଚାଷୀଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଇଛନ୍ତି। ସେ ଜନ୍ତରମନ୍ତର ଯାଇ ବିକ୍ଷୋଭରତ ପଞ୍ଜାବର ସାଂସଦଙ୍କୁ ଭେଟିଛନ୍ତି। ସାଂସଦମାନେ ଗତ ୩୨ ଦିନ ହେଲା ଚାଷୀଙ୍କ ସମର୍ଥନରେ ଏଠାରେ ବିକ୍ଷୋଭ ଚଳାଇଥିବା ବେଳେ ପ୍ରିୟଙ୍କା ସେମାନଙ୍କୁ ଭେଟି ଚାଷୀ ବିରୋଧୀ ଆଇନ ଲାଗି କଂଗ୍ରେସ ସବୁ ରାସ୍ତାରେ କୃଷକଙ୍କ ସହିତ ରହିଛି ବୋଲି ପ୍ରିୟଙ୍କା ଆନ୍ଦୋଳନରତ ସାଂସଦଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।