ଶୁଣନ୍ତୁ ପ୍ରଧାନମନ୍ତ୍ରୀ, 'ମୁଁ ପ୍ରଶ୍ନ ପଚାରି ଚାଲିଥିବି, ସମାଧାନ ଯାଏଁ', ମୋଦୀଙ୍କ ଉପରେ ରାହୁଲଙ୍କ ପୁଣି ଆକ୍ରମଣ

Published By : Prameya-News7 Bureau | July 23, 2020 IST

ନୂଆଦିଲ୍ଲୀ, ୨୩|୦୭: ନରେନ୍ଦ୍ର ମୋଦୀ ଏବେ ନିଜର ଛବି ସଜାଡୁଛନ୍ତି । ଏହା ଉପରେ ହିଁ ଅଧିକ ଫୋକସ କରୁଛନ୍ତି ବୋଲି ଏକ ଭିଡିଓ ଜାରି କରି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏପରିକି ମୋଦୀଙ୍କ ସହ ଦେଶର ଅନେକ ଜାତୀୟ ସଂସ୍ଥା ଏ କାମରେ ଲାଗିଥିବା ରାହୁଲ ଅଭିଯୋଗ କରିଛନ୍ତି ।

ରାହୁଲ କହିଛନ୍ତି ଯେ, ଜଣେ ବ୍ୟକ୍ତିଙ୍କ ଛବି ରାଷ୍ଟ୍ରୀୟ ପରିକଳ୍ପନାର ବିକଳ୍ପ ହୋଇନପାରେ । ମୋଦୀଙ୍କୁ ପ୍ରଶ୍ନ କରିବା ତାଙ୍କର ଗୁରୁ ଦାୟିତ୍ୱ । ଚୀନର ମୁକାବିଲା ସେତେବେଳେ କରାଯାଇ ପାରିବ ଯେତେବେଳେ ନିଜେ ମଜବୁତ ଥିବ । ଯଦି ସେମାନେ ଆମ ଦୁର୍ବଳତା ଧରି ଦିଅନ୍ତି ତେବେ ଅଧିକ ଅସୁବିଧା ହେବାର ସମ୍ଭାବନା ରହିଛି । ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟର ମୁକାବିଲା ପାଇଁ ସ୍ପଷ୍ଟ ଦୃଷ୍ଟି କୋଣ ରହିଥିବା ଆବଶ୍ୟକ । କେବଳ ଜାତୀୟ ନୁହେଁ ଅନ୍ତରାଷ୍ଟ୍ରୀୟ ଦୃଷ୍ଟିକୋଣ ମଧ୍ୟ ରହିବା ଆବଶ୍ୟକ ।

ସେ ଆହୁରି କହିଛନ୍ତି ଯେ, ଭାରତକୁ ନିଜର ଏକ ବିଚାର ତିଆରି କରିବାକୁ ହେବ । ବିଶ୍ୱସ୍ତରରେ ଚିନ୍ତା କରିବାକୁ ହେବ । ଫଳରେ ଦେଶର ରକ୍ଷା କରାଯାଇପାରିବ । ଚୀନ ସହ ଉପୁଜିଥିବା ସୀମା ବିବାଦର ସମାଧାନ ଜରୁରୀ । କିନ୍ତୁ ଦେଶକୁ ନିଜ ନୀତିରେ ପରିବର୍ତ୍ତନ କରିବାକୁ ହେବ । ଭାବନାରେ ମଧ୍ୟ ପରିବର୍ତ୍ତନ ଆବଶ୍ୟକ । ୨୦୧୪ରେ ବିଜେପି ସରକାରରେ ଆସିବା ପରଠୁ ଦେଶର ଦୃଷ୍ଟିକୋଣ ହଜିଯାଇଛି । ଅର୍ଥବ୍ୟବସ୍ଥା ଓ ସୀମା ବିବାଦରେ ଦେଶ ପଛେଇଛି । ରାହୁଲ ଆହୁରି ଅଭିଯୋଗ କରିଛନ୍ତି ଯେ, ମୋଦୀ ନିଜର ଛବି ତିଆରି କରିବାରେ ଲାଗିଛନ୍ତି । ଦେଶକୁ ଦୁର୍ବଳ କଲା ଭଳି କାମ କରୁଛନ୍ତି । ଭାରତର କୌଣସି ଦୃଷ୍ଟିକୋଣ ନଥିବାରୁ ଚୀନ ଜାଗା ମାଡିବସିଛି । ଚୀନର ମୁକାବିଲା କିପରି କରାଯିବ ତାହା ପ୍ରଧାନମନ୍ତ୍ରୀ ଜାଣି ନାହାଁନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.