Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସିବଲ ରାଗିଲେ ତା ପରେ ବୁଝିଲେ: ରାହୁଲଙ୍କ ବିଜେପି ଲିଙ୍କ୍ ମନ୍ତବ୍ୟରେ ଅଭିମାନ କଲେ ବରିଷ୍ଠ କଂଗ୍ରେସ ନେତା, କଥା ହୋଇ ଭାଙ୍ଗିଲେ ମାନ

24/08/2020 at 3:37 PM

ନୂଆଦିଲ୍ଲୀ ୨୪।୦୮: କଂଗ୍ରେସରେ ନେତୃତ୍ଵ ପରିବର୍ତ୍ତନ ନେଇ ପାର୍ଟିରେ ଝଡ ସୃଷ୍ଟି ହୋଇଛି। ପାର୍ଟି ଭିତରେ ବରିଷ୍ଠ ନେତାଙ୍କ ମଧ୍ୟରେ ଗଭୀର ମତଭେଦ ଦେଖିବାକୁ ମିଳିଛି। ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କିଛି କଂଗ୍ରେସ ନେତାଙ୍କ ଉପରେ  ବିଜେପି ସହିତ ଲିଙ୍କ୍ ଥିବା ସଙ୍ଗୀନ ଆରୋପ ଲଗାଇଥିଲେ। ଏଥିରେ ମର୍ମାହତ ହୋଇ କପିଲ ସିବ୍ବଲ ମୁହଁ ଖୋଲିଥିଲେ। କିନ୍ତୁ ପରେ ସେ ନିଜର ଟ୍ଵିଟ୍‌ ଡିଲିଟ୍ କରିଛନ୍ତି। ସେ କହିଛନ୍ତି ଯେ ରାହୁଲ ତାଙ୍କୁ କହିଛନ୍ତି ଯେ ସେ ଏମିତି କିଛି ମନ୍ତବ୍ୟ ଦେଇ ନାହାନ୍ତି। ଖବର ଏହା ମଧ୍ୟ ଯେ ବୈଠକରେ ଏମିତି ବିତର୍କ ହୋଇଥିଲା ଯଦ୍ଵାରା କିଛି  ବରିଷ୍ଠ ନେତା ବୈଠକ ଛାଡି ଚାଲି ଆସିଛନ୍ତି।

କପିଲ ସିବଲଙ୍କ ସହିତ ପାର୍ଟିର ୨୩ ବରିଷ୍ଠ ନେତା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ପାର୍ଟିର ପୂର୍ଣ୍ଣକାଳୀନ ସଭାପତି କରିବା, କ୍ଷମତାର ବିକେନ୍ଦ୍ରୀକରଣ କରିବା, ରାଜ୍ୟର ସାଂଗଠିକ ସ୍ଥିତିକୁ ସଜାଡିବା କଥା ଉଲ୍ଲେଖ କରିଥିଲେ। ପରେ ଚିଠି ଲେଖିଥିବା ଲୋକଙ୍କ ପ୍ରତି ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କଡା ଶବ୍ଦ ପ୍ରୟୋଗ କରିଥିଲେ। ସେ ଚିଠି ଲେଖାଯିବାର ସମୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ରାହୁଲ ଗାନ୍ଧୀ ଏହା ମଧ୍ୟ କହିଥିଲେ ଯେ ଚିଠି ଲେଖିଥିବା କଂଗ୍ରେସ ନେତା ବିଜେପି ସହ ସାଲିସ କରିଛନ୍ତି।

Rahul Gandhi says “ we are colluding with BJP “Succeeded in Rajasthan High Court defending the Congress PartyDefending party in Manipur to bring down BJP Govt.Last 30 years have never made a statement in favour of BJP on any issueYet “ we are colluding with the BJP “!— Kapil Sibal (@KapilSibal) August 24, 2020

ରାହୁଲ ଗାନ୍ଧୀଙ୍କ ଏହି ଟିପ୍ପଣୀ ଉପରେ ଖପ୍ପା ସିବଲ ଟ୍ଵିଟ୍ କରି କହିଥିଲେ, ରାହୁଲ କହୁଛନ୍ତି ଆମେ ବିଜେପି ସହିତ ମିଶିଛୁ। ଆମେ ରାଜସ୍ଥାନରେ କଂଗ୍ରେସ ସରକାରକୁ ବଞ୍ଚାଇବାରେ ସଫଳ ହେଲେ। ମଣିପୁରରେ ବିଜେପି ସରକାରକୁ ଭାଙ୍ଗି କଂଗ୍ରେସକୁ ବଞ୍ଚାଇଲୁ। ଗତ ୩୦ ବର୍ଷରେ କେବେ ମଧ୍ୟ କୌଣସି ପ୍ରସଙ୍ଗରେ  ବିଜେପି ସପକ୍ଷରେ  ବୟାନ ଦେଇନାହୁଁ। ତଥାପି ଆମକୁ ବିଜେପି ସହ ଲିଙ୍କ ଥିବା କୁହାଯାଉଛି।

ସିବଲଙ୍କ ଏହି ଟ୍ଵିଟ୍ ପରେ ଜାତୀୟ ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା କହିଛନ୍ତି ରାହୁଲ ଗାନ୍ଧୀ ଏହି ଧରଣର କୌଣସି ମନ୍ତବ୍ୟ ଦେଇ ନାହାନ୍ତି। ଏହି ଧରଣର ଭ୍ରମିତ ଖବରକୁ ନେଇ ଭ୍ରମିତ ହୁଅନ୍ତୁ ନାହିଁ। ଆମକୁ ପରସ୍ପର ଭିତରେ ଲଢିବା ବଦଳରେ ନିରଙ୍କୁଶ ମୋଦୀ ସରକାର ବିରୋଧରେ ଏକାଠି ମିଶି ଲଢିବା ଉଚିତ୍। ସୁରଜେଓ୍ଵାଲାଙ୍କ ଏହି ଟ୍ଵିଟ୍ ପରେ ସିବଲ ପୁନର୍ବାର ଟ୍ଵିଟ୍ କରି କହିଛନ୍ତି ତାଙ୍କ ସହ ରାହୁଲଙ୍କ କଥାବାର୍ତ୍ତା ହୋଇଛି। ଏହା ପରେ ଜଣା ପଡିଲା ଯେ ରାହୁଲ ଏମିତି କୌଣସି ଆରୋପ ଲଗାଇ ନାହାନ୍ତି। ଏହା ପରେ ସେ ନିଜର ଟ୍ଵିଟ୍‌ ଡିଲିଟ୍ କରିଥିଲେ।

   Related Posts