ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାହୁଲଙ୍କ ସମାଲୋଚନା- ସରକାରଙ୍କ କାମ ସୀମାରେ ଚୀନକୁ ରୋକିବାର ଥିଲା, ସତ୍ୟାଗ୍ରହୀ କୃଷକଙ୍କୁ ନୁହେଁ
24/01/2021 at 6:57 PM

ଉଥିଉର ୨୪।୦୧: ଚଳିତ ବର୍ଷ ଏପ୍ରିଲ-ମେ ସୁଦ୍ଧା ତାମିଲନାଡୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ରାଜ୍ୟରେ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି। କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ସଂପ୍ରତି ତାମିଲନାଡୁ ଗସ୍ତରେ ଅଛନ୍ତି। ଗସ୍ତର ଦ୍ଵିତୀୟ ଦିନ ରବିବାର ଉଥିଉରରେ ରୋଡ୍ ଶୋ କରିଛନ୍ତି। ଏହି ସମୟରେ ସେ ଚୀନକୁ ନେଇ କେନ୍ଦ୍ରର ମୋଦୀ ସରକାର ଉପରେ ବର୍ଷିଛନ୍ତି। ରାହୁଲ କହିଛନ୍ତି ସରକାରଙ୍କ କାମ ଥିଲା ସୀମାରେ ଚୀନକୁ ରୋକିବାର, ନା ସତ୍ୟାଗ୍ରହୀ ଅନ୍ନଦାତାଙ୍କୁ ଦିଲ୍ଲୀ ବର୍ଡରରେ ରୋକିବା। ରାହୁଲଙ୍କ ଏହି ରୋଡ୍ ଶୋରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଛି।
ଜନତାଙ୍କୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି, ଆପଣ ଖବର କାଗଜରେ ପଢିଥିବେ ଯେ ଚୀନ ଭାରତ ମାଟି କବ୍ଜା କରିଛି। ଚୀନ ଦେଖି ପାରୁଛି ଯେ ଭାରତ ଆଜି ଦୁର୍ବଳ ହୋଇପଡିଛି। ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଯେ ଯଦି ଭାରତର ଶ୍ରମିକ, କୃଷକ ମଜବୁତ ଏବଂ ସୁରକ୍ଷିତ ରହିବେ ତେବେ ଚୀନ ଭାରତରେ ପଶିବାର ସାହାସ କରି ପାରିବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆକ୍ଷେପ କରି ସେ କହିଛନ୍ତି ଯେ, ସେ ଏଠାକୁ ମନର କଥା କହିବାକୁ ଆସି ନାହାନ୍ତି ବରଂ ତାମିଲନାଡୁର ଲୋକଙ୍କ ସମସ୍ୟା ଶୁଣିବାକୁ ଆସିଛି।
#WATCH: Congress leader Rahul Gandhi holds a roadshow in Uthiyur, Tamil Nadu. pic.twitter.com/ZFSQ2yZf5U
— ANI (@ANI) January 24, 2021
ତାମିଲନାଡୁ ଗସ୍ତର ପ୍ରଥମ ଦିନରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ନିଶାଣ କରି କହିଥିଲେ ଯେ, ମୁଁ ଆପଣଙ୍କ ସହିତ କଥା ହେଉଛି, ଆପଣଙ୍କୁ ପ୍ରଶ୍ନ କରୁଛି। କଣ ଆପଣ କେବେ ପ୍ରଧାନମନ୍ତ୍ରୀଙ୍କୁ ଏମିତି କରିବା ଦେଖିଛନ୍ତି ? ସେ ପାଞ୍ଚ ଜଣ ଲୋକଙ୍କ ସହିତ ଗୋଟିଏ କୋଠରୀରେ ବସିବେ, ଦେଶର ସବୁଠୁ ବଡ ଉଦ୍ୟୋଗପତି ଲୋକଙ୍କ ସହିତ ଆଲୋଚନା କରିବେ। ସେ କେବେ ବି କୃଷକ, ଶ୍ରମିକ, ଛୋଟ ବ୍ୟବସାୟୀଙ୍କ ସହିତ ଆଲୋଚନା କରିବେ ନାହିଁ ବୋଲି ରାହୁଲ କହିଛନ୍ତି।