ଆଜି ଜମ୍ମୁ-କାଶ୍ମୀର ଯିବେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

Published By : Prameya-News7 Bureau | August 24, 2019 IST

ନୂଆଦିଲ୍ଲୀ ୨୪|୮: କାଶ୍ମୀରକୁ ନେଇ ବିବାଦ ଥମିବାର ନାଁ ନେଉନି । ବାରମ୍ବାର ଏହି ପ୍ରସଙ୍ଗରେ ମୁହାଁମୁହିଁ ହେଉଛନ୍ତି ଶାସକ ଓ ବିରୋଧୀ । ତେବେ ଏସବୁ ଭିତରେ ଆଜି ଜମ୍ମୁ-କାଶ୍ମୀର ଯିବେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲଙ୍କ ସହ ଅନ୍ୟ ୯ ଜଣ ବିରୋଧୀ ଦଳ ନେତା ମଧ୍ୟ ଜମ୍ମୁ କଶ୍ମୀର ଗସ୍ତ କରିବେ । କଂଗ୍ରେସ ନେତା ଗୁଲାମନବୀ ଆଜାଦ, ଆନନ୍ଦ ଶର୍ମା, ସିପିଆଇ ନେତା ଡି ରାଜା, ସିପିଆଇଏମ୍ ନେତା ସୀତାରାମ ୟେଚୁରି ଏବଂ ଆରଜେଡି ନେତା ମନୋଜ ଝା ଏହି ଗସ୍ତରେ ଯାଉଥିବା ଜଣାପଡ଼ିଛି ।

ସେପଟେ ରାହୁଲ ଓ ଅନ୍ୟ ବିରୋଧୀ ଦଳ ନେତାଙ୍କ କାଶ୍ମୀର ଗସ୍ତ କାର୍ଯ୍ୟକ୍ରମକୁ ପ୍ରଶାସନ ପକ୍ଷରୁ ବିରୋଧ କରାଯାଇଛି । ଏହା ଘାଟିର ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି କୁହାଯାଇଛି । ବିଶେଷ କରି ଶ୍ରୀନଗର ନଯିବା ପାଇଁ ସେମାନଙ୍କୁ ଅନୁରୋଧ କରାଯାଇଛି ।

ପୂର୍ବରୁ ମଧ୍ୟ ବରିଷ୍ଠ କଂଗ୍ରେସ ନେତା ଏବଂ ରାଜ୍ୟସଭା ସଦସ୍ୟ ଗୁଲାମନବୀ ଆଜାଦ କଶ୍ମୀର ଗସ୍ତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କୁ ଜମ୍ମୁ ବିମାନବନ୍ଦରରେ ଅଟକ ରଖାଯାଇ ଦିଲ୍ଲୀ ଫେରାଇ ଦିଆଯାଇଥିଲା । ସେହିପରି ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ୍ ମଲ୍ଲିକ ରାହୁଲଙ୍କୁ କାଶ୍ମୀର ଆମନ୍ତ୍ରଣ କରି କାଶ୍ମୀର ସ୍ଥିତି ସମୀକ୍ଷା ପାଇଁ ଆହ୍ବାନ କରିଥିଲେ । କିନ୍ତୁ ରାହୁଲ ଏହାର କଡ଼ା ଜବାବ ଦେଇ କହିଥିଲେ ଯେ ସେ କଶ୍ମୀର ଯିବାପାଇଁ ଚାହାନ୍ତି କିନ୍ତୁ ଏଥିପାଇଁ ତାଙ୍କୁ ସ୍ବାଧୀନତା ଦରକାର। ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.