ରାହୁଲ ଗାନ୍ଧୀ ଯାହା କଲେ ମଧ୍ୟ କେବେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ବୋଲି କହିଲେ ମେନକା

Published By : Prameya-News7 Bureau | April 06, 2019 IST

ନୂଆଦିଲ୍ଲୀ ୬/୪ : ବିଜେପି ନେତା ମେନକା ଗାନ୍ଧୀ ଚାଳିତଥର ସୁଲତାନପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି | ମେନକା ଗାନ୍ଧୀ ପୂର୍ବରୁ ପିଲିଭିତରୁ ୬ ଥର ସାଂସଦ ଥିଲେ | ୨୦୦୯ ମସିହାରେ ଆମ୍ବଲା ଲୋକସଭା ଆସନରୁ ସାଂସଦ ହୋଇଥିଲେ ମେନକା | ନିର୍ବାଚନ ରାଜନୀତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମେନକା | ମେନକା କହିଛନ୍ତି ଯେ, ସୁଲତାନପୁର ଆସନରୁ ତାଙ୍କ ସ୍ୱାମୀ ସଞ୍ଜୟ ଗାନ୍ଧୀ ୨ଥର ଜିତିଥିଲେ ଏବଂ ପୁଅ ବରୁଣ ଗାନ୍ଧୀ ଗତ ନିର୍ବାଚନରେ ଜିତିଥିଲେ | ଏହି ଆସନରୁ ଚାଳିତଥର ସେ ନିଜେ ନିର୍ବାଚନ ଲଢ଼ୁଛନ୍ତି | ସେ ସୁଲତାନପୁର ଆସନରୁ ଜିତିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି |


ମେନକା କହିଛନ୍ତି ଯେ, ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟିର ମେଣ୍ଟର ପ୍ରାର୍ଥୀଙ୍କ ଠାରୁ ତାଙ୍କୁ କୌଣସି ବିପଦ ନାହିଁ | ମାୟାବତୀଙ୍କ ଦଳ ବିଷୟରେ ସମସ୍ତେ ଜାଣିଛନ୍ତି | ସେ ଟଙ୍କା ନେଇ ଟିକେଟ ବିକ୍ରି କରିଥାନ୍ତି | ଚାଳିତଥର ସୁଲତାନପୁରରେ ୧୫ କୋଟି ଟଙ୍କାରେ ଟିକେଟ ବିକ୍ରି କରାଯାଇଛି ବୋଲି କହିଛନ୍ତି ମେନକା | ମାୟାବତୀ ଟିକେଟ ବିକ୍ରି କରୁଥିବା କଥା ସେ ସାହସର ସହ ପ୍ରଥମଥର ମୁହଁ ଖୋଲି କହିଛନ୍ତି |


ପ୍ରିୟଙ୍କା ଗାନ୍ଧୀଙ୍କ ସମ୍ପର୍କରେ ପ୍ରଶ୍ନ ପଚାରିବାରୁ ମେନକା ଜବାବ ଦେଇଥିଲେ ଯେ, ନିର୍ବାଚନରେ ପ୍ରିୟଙ୍କାଙ୍କର କୌଣସି ପ୍ରଭାବ ପଡ଼ିବନାହିଁ | କାରଣ ତାଙ୍କର କର୍ମକର୍ତ୍ତା ନାହାନ୍ତି | ପ୍ରତ୍ୟେକଥର ନିର୍ବାଚନକୁ ତାଙ୍କ କର୍ମକର୍ତ୍ତା କମି କମି ଯାଉଛନ୍ତି | ଅପରପକ୍ଷରେ ତାଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ |


ରାହୁଲ ଗାନ୍ଧୀ ୱାୟାନାଡ଼ ଆସନରୁ ନିର୍ବାଚନ ଲଢ଼ୁଥିବା ପ୍ରସଙ୍ଗରେ ମେନକା କହିଛନ୍ତି ଯେ, ଯେକୌଣସି ବ୍ୟକ୍ତି ୨ଟି କିମ୍ବା ତା'ଠାରୁ ଅଧିକ ଆସନରୁ ନିର୍ବାଚନ ଲଢ଼ିପାରନ୍ତି | ତେବେ ରାହୁଲ ଯେତେ ଚେଷ୍ଟା କଲେ ମଧ୍ୟ କେବେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ବୋଲି କହିଛନ୍ତି ମେନକା | ଯଦି କୌଣସି ଚମତ୍କାର ହୁଏ ତାହେଲେ ହୋଇପାରେ, କିନ୍ତୁ ରାହୁଲ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ନାହିଁ | ବିଜେପି ଗତଥର ଠାରୁ ଅଧିକ ଆସନ ଜିତି ସରକାର ଗଠନ କରିବା ବୋଲି କହିଛନ୍ତି ମେନକା |


ତେବେ ଦଳ ମେନକାଙ୍କୁ ଅମେଠି ଏବଂ ରାୟବରେଲୀରେ ପ୍ରଚାର ପାଇଁ କହିଲେ ସେ ନିଶ୍ଚୟ ପ୍ରଚାର କରିବେ ବୋଲି କହିଛନ୍ତି | ଅପରପକ୍ଷରେ ବରୁଣ ପିଲିଭିତରୁ ସହଜରେ ଜିତିବେ କାରଣ ମେନକା ସେଠାରେ ଅନେକ କାମ କରିଛନ୍ତି ବୋଲି କହିଛନ୍ତି | ଲୋକେ ତାଙ୍କୁ ବହୁତ ପସନ୍ଦ କରନ୍ତି |
ଚଳିତ ନିର୍ବାଚନରେ ମେନକା ଗାନ୍ଧୀ ଏବଂ ବରୁଣ ଗାନ୍ଧୀଙ୍କ ଆସନ ଅଦଳବଦଳ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.