ଅଭାବୀଙ୍କୁ ଲୋନ୍ ନୁହେଁ ନଗଦ ଅର୍ଥ ସାହାଯ୍ୟ ଦରକାର, ଲୋକାଲ ସେବେ ଭୋକାଲ ହେବେ ଯେବେ ମିଳିବ ଭୋଜନ

Published By : Prameya-News7 Bureau | May 16, 2020 IST

ନୂଆଦିଲ୍ଲୀ ୧୬।୦୫: କଂଗ୍ରେସ ପାର୍ଟିର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ ଆଜି ବିଭିନ୍ନ ରାଜ୍ୟର ସ୍ଥାନୀୟ ଗଣମାଧ୍ୟମ ସହ ଆଲୋଚନା କରିଛନ୍ତି। ଏହି ସମୟରେ କରୋନା ଭୂତାଣୁ ମଧ୍ୟରେ ସରକାର ଦ୍ଵାରା ଜାରି ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ଉପରେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଏହି ସମୟରେ ଲୋକଙ୍କ  ହାତରେ ପଇସା ରହିବା ଉଚିତ୍। ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପିଲ୍ କରିଛନ୍ତି, ଅସ୍ଥାୟୀ ଭାବେ ହେଉ ପଛେ ନ୍ୟାୟ ଯୋଜନା ଲାଗୁ କରନ୍ତୁ। ଲୋକଙ୍କ ଖାତାକୁ ସିଧାସଳଖ ଟଙ୍କା ଟ୍ରାନ୍ସଫର ହେବା ଉଚିତ୍।

ରାହୁଲ ଗାନ୍ଧୀ କହିଛନ୍ତି, ଯେବେ ପିଲାଙ୍କୁ ଆଘାତ  ଲାଗେ ତେବେ ମା ତାଙ୍କୁ କରଜ ନୁହେଁ ବରଂ ରିଲିଫ ଲାଗି ତୁରନ୍ତ ସାହାଯ୍ୟ କରିଥାଏ। ଋଣର ପ୍ୟାକେଜ୍‌ ହେବା ଉଚିତ୍ ନଥିଲା। ବରଂ କୃଷକ, ଶ୍ରମିକଙ୍କ ହାତକୁ ତୁରନ୍ତ ଟଙ୍କା ଦିଆଯିବାର ଆବଶ୍ୟକତା ରହିଛି। ଚାହିଦା ବଢାଇବା ଲାଗି ଯଦି ଆର୍ଥିକ ସହାୟତା ଦେବା ନାହିଁ ତେବେ ବହୁତ ବଡ କ୍ଷତି ହେବ।

ରାହୁଲ ଗାନ୍ଧୀ କହିଛନ୍ତି, ଏହା ଆଙ୍ଗୁଳି ଉଠାଇବାର ସମୟ ନୁହେଁ। ଆଜି ହିନ୍ଦୁସ୍ତାନ ସମ୍ମୁଖରେ ସବୁଠୁ ବଡ ସମସ୍ୟା ଛିଡା ହୋଇଛି। ଏହାକୁ ଆମେ ସମସ୍ତେ ମିଶି ଦୂର କରିବା ଉଚିତ୍। ଯେଉଁ ଲୋକେ ଆଜି ସଡକରେ ଚାଲୁଛନ୍ତି, ଆମ ସମସ୍ତଙ୍କୁ ସେମାନଙ୍କର ସାହାଯ୍ୟ କରିବା ଉଚିତ୍। ବିଜେପି ସରକାରରେ ରହିଛି ଏବଂ ସେମାନଙ୍କ ହାତରେ ସବୁଠୁ ଅଧିକ ଶକ୍ତି ରହିଛି। ତେଣୁ ସେମାନଙ୍କର ଦାୟିତ୍ଵ ସବୁଠୁ ଅଧିକ ରହିଛି। କଂଗ୍ରେସ ଶାସିତ ରାଜ୍ୟ ସରକାର ଶ୍ରମ ଜୀବୀଙ୍କୁ ପୂରା ସମର୍ଥନ ଦେବାକୁ ଚେଷ୍ଟା କରିଛନ୍ତି। ଆମେ ସିଧାସଳଖ ଲୋକଙ୍କୁ ଆର୍ଥିକ ସହାୟତା ଦେଉଛୁ।

ରାହୁଲ ଗଣମାଧ୍ୟମକୁ ପ୍ରଶଂସା କରି କହିଛନ୍ତି, ଯଦି ସେମାନେ ପ୍ରବାସୀ ଶ୍ରମ ଜୀବୀଙ୍କ ସଙ୍କଟ ଦେଖାଇ ନଥାନ୍ତେ ତେବେ ଆମେ ସରକାର ଉପରେ ଚାପ ପକାଇ ପାରି ନଥାନ୍ତୁ। ସେ ଫେବୃଆରୀ ୧୨ରେ ଟୁଇଟ୍ କରି ସରକାରଙ୍କୁ କରୋନା ବିପଦ ପ୍ରତି ସତର୍କ କରାଇଥିଲେ।

ଲୋକାଲ ତେବେ ଭୋକାଲ ହେବେ ଯେବେ ପେଟରେ ଭୋଜନ ଥିବ

ଗାଁ ପାଇଁ ମନରେଗା ଓ ସହର ପାଇଁ  ନ୍ୟାୟ ଯୋଜନା ଆରମ୍ଭ ହେବା ଉଚିତ୍। ପାଞ୍ଚ ପାଞ୍ଚ ମାସ ନ୍ୟାୟ ଯୋଜନା ଲାଗୁ କରିବା ପରେ ବନ୍ଦ କରାଯାଉ। ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ଯୋଜନା ହେବା ଉଚିତ୍। ରାହୁଲ ଗାନ୍ଧୀ କହିଛନ୍ତି ଲୋକାଲ ତେବେ ଯାଇ ଭୋକାଲ ହେବ ଯେବେ ତା ପେଟରେ ଭୋଜନ ଥିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.