ଫୋକସରେ ଓଡ଼ିଶା, ନିଶାନାରେ ମୋଦି ; ସୋସିଆଲ ମିଡିଆରେ ରାହୁଲଙ୍କ ଟ୍ୱିଟ କୁ ନେଇ ଚର୍ଚ୍ଚା
24/06/2018 at 6:38 AM

ଓଡ଼ିଶାରେ ହସ୍ପିଟାଲ ନିର୍ମାଣ ପାଇଁ ଫଣ୍ଡ ଯୋଗାଡ଼ କରୁଛି କଂଗ୍ରେସ । ଏକଥା ଆମେ କହୁନୁ, ଏକଥା କହିଛନ୍ତି ଖୋଦ୍ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଓଡ଼ିଶାର ରାଉରକେଲାରେ ସୁପରସ୍ପେଶିଆଲିଟି ହସ୍ପିଟାଲ ବନାଇବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ୩ବର୍ଷ ପରେ ମଧ୍ୟ ନିଜ ପ୍ରତିଶ୍ରୁତିକୁ ପୂରଣ କରିନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେଣୁ କଂଗ୍ରେସ ପାର୍ଟି ଏବେ ଏହି ହସ୍ପିଟାଲ ନିର୍ମାଣ ପାଇଁ ଧନ ସଂଗ୍ରହ କରୁଛି । ଏମିତି କହି ପିଏମ ମୋଦିଙ୍କୁ ନିଶାନା ସାଧିଛନ୍ତି ରାହୁଲ ।
ଫୋକସରେ ଓଡ଼ିଶା । ହେଲେ ନିଶାନାରେ ମୋଦି । ସୋସିଆଲ ମିଡିଆରେ କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କ ଟ୍ବିଟ୍ ଆଉ ଭିଡିଓ ସେୟାରକୁ ନେଇ ଚର୍ଚ୍ଚା । ଇଏ ହେଉଛି ସେଇ ଟ୍ବିଟ୍ ଯେଉଁଥିରେ ରାହୁଲ କହିଛନ୍ତି, ‘‘୧ ଏପ୍ରିଲ, ୨୦୧୫ରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ଲୋକଙ୍କୁ କେମିତି ଏପ୍ରିଲ ଫୁଲ୍ କରିଥିଲେ ତାହା ଏହି ଭିଡିଓରେ ଦେଖାଯାଉଛି । କଂଗ୍ରେସ ପାର୍ଟି ପ୍ରଧାନମନ୍ତ୍ରୀଙ୍କୁ ଏହାର ଜବାବ୍ ଦେବାକୁ ଯାଇ ଧନ ସଂଗ୍ରହ ଆରମ୍ଭ କରିଛି । ସେତେବେଳେ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରନ୍ତୁ । ନଚେତ୍ ଓଡ଼ିଶାର ରାଉରକେଲାରେ ସୁପରସ୍ପେଶିଆଲିଟି ହସ୍ପିଟାଲ ପାଇଁ କଂଗ୍ରେସ ପାର୍ଟି ଧନ ସଂଗ୍ରହ କରିବ । ଏଥି ପାଇଁ ଖୋଦ୍ କଂଗ୍ରେସ ପାର୍ଟି ୨ଲକ୍ଷ ଟଙ୍କା ଦେବାକୁ ଯୋଜନା କରିଛି । ଯେଉଁଥରୁ ଲକ୍ଷେ ୨୦ହଜାର ଟଙ୍କା ଜମା ହୋଇସାରିଛି । ଆପଣମାନେ ମଧ୍ୟ ଚାହିଁଲେ ହୃଦୟ ଖୋଲି ଏଥି ପାଇଁ ସହାୟତା କରିପାରିବେ ।’’
ଏମିତି ଟ୍ବିଟ୍ କରିବା ସହ ପ୍ରଧାନମନ୍ତ୍ରୀ ସେତେବେଳେ ଦେଇଥିବା ଭାଷଣର ଭିଡିଓ କ୍ଲିପ୍କୁ ମଧ୍ୟ ଟ୍ୟାଗ୍ କରଛନ୍ତି ରାହୁଲ୍ । ଆସନ୍ତୁ ଦେଖିବା ରାଉରକେଲା ସୁପର ସ୍ପେଶିଆଲିଟି ହସ୍ପିଟାଲ ନେଇ ସେତେବେଳେ କ’ଣ କହିଥିଲେ ପିଏମ ମୋଦି ।
ୟା ଭିତରେ ୩ବର୍ଷ ପୂରଣ ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ତାଙ୍କର ପ୍ରତିଶ୍ରୁତି ପୂରଣ କରିନାହାନ୍ତି । ଯାହାକୁ ନେଇ ରାଉରକେଲାର ଜଣେ ଯୁବକ ମୁକ୍ତିକାନ୍ତ ୧୫ଶହ କିଲୋମିଟର ପଦଯାତ୍ରା କରି ପ୍ରଧାନମନ୍ତ୍ରୀଙ୍କୁ ଅଭିଯୋଗ ପାଇଁ ଦିଲ୍ଲୀ ବାହାରିଥିଲେ । ଆଉ ସେଇ କଥାକୁ ଏବେ ଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଶାନା ସାଧିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।