ଆକ୍ସନ ମୋଡରେ ରାହୁଲ ଗାନ୍ଧୀ, କାଲି ଜଳଖିଆରେ ଡକାଇଲେ ବିରୋଧୀ ନେତାଙ୍କ ବୈଠକ, ଏମିତି ରହିଛି ଯୋଜନା

Published By : Prameya-News7 Bureau | August 02, 2021 IST

ନୂଆଦିଲ୍ଲୀ ୦୨।୦୮: ସଂସଦର ମୌସୁମି ଅଧିବେଶନରେ ଲଗାତାର ସକ୍ରିୟ ନଜର ଆସିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଏହି କ୍ରମରେ ରାହୁଲ ମଙ୍ଗଳବାର ସକାଳ ୯ଟା୩୦ରେ ବିରୋଧୀ ଦଳ ନେତାଙ୍କୁ ଭେଟିବେ। ରାହୁଲ ନୂଆଦିଲ୍ଲୀ ସ୍ଥିତ କନଷ୍ଟିଚ୍ୟୁସନ କ୍ଲବରେ ଆସନ୍ତାକାଲି ସକାଳେ ବିରୋଧୀ ନେତାଙ୍କୁ ଜଳଖିଆରେ ଡକାଇଛନ୍ତି। ଗୋଟିଏ ସପ୍ତାହ ଭିତରେ ରାହୁଲ ଗାନ୍ଧୀ ଦ୍ଵିତୀୟ ଥର ବିରୋଧୀ ନେତାଙ୍କୁ ଭେଟିବାକୁ ଯାଉଛନ୍ତି। ଏହି ସମୟରେ ସମସ୍ତ କଂଗ୍ରେସ ନେତା ଉପସ୍ଥିତ ରହିବେ।

ଏହା ପୂର୍ବରୁ ଗତ ବୁଧବାର ରାହୁଲ ଗାନ୍ଧୀ ପେଗାସସ୍ ଗୁଇନ୍ଦାଗିରି କାଣ୍ଡଠୁ ନେଇ କୃଷି ଆଇନ ସମେତ ଅନେକ ପ୍ରସଙ୍ଗରେ ଉଭୟ ଗୃହରେ ମୋଦୀ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିବା ଓ ଭବିଷ୍ୟତର ପଦକ୍ଷେପର ରୂପରେଖା ପ୍ରସ୍ତୁତ ପାଇଁ ବିରୋଧୀ ନେତାଙ୍କୁ ସଂସଦରେ ଭେଟିଥିଲେ।

ବିରୋଧୀ ନେତାଙ୍କ ବୈଠକ ପରେ ରାହୁଲ ଗାନ୍ଧୀ କହିଥିଲେ ଯେ, ଆମେ ଦରବୃଦ୍ଧି, ପେଗାସସ୍ ଓ କୃଷକ ପ୍ରସଙ୍ଗରେ କୌଣସି ସାଲିସ୍ କରିବାକୁ ଚାହୁଁନୁ। ଆମେ ଗୃହରେ ଆଲୋଚନା ଚାହୁଁଛୁ। ଏହି ବୈଠକରେ ରାହୁଲ ଗାନ୍ଧୀଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖଡଗେ, ଜୟରାମ ରମେଶ, ସଞ୍ଜୟ ରାଉତ, ମନୋଜ ସିହ୍ନା ସମେତ ବିରୋଧୀ ଦଳର ଅନେକ ନେତା ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.