ରାହୁଲ କହିଲେ ସବୁ ଏବେ ଗାଏବ: ୧୨ କୋଟି ରୋଜଗାର, ଦେଶର ଖୁସି ଓ ସୁରକ୍ଷା, ୫ ଟ୍ରିଲିଅନ୍ ଅର୍ଥନୀତି ସବୁ ଗାଏବ, ପ୍ରଶ୍ନ ପଚାରିଲେ ଉତ୍ତର ବି ଗାଏବ
4/09/2020 at 6:07 PM

ନୂଆ ଦିଲ୍ଲୀ ୦୪/୦୯: କଂଗ୍ରେସର ପୂର୍ବତନ ଅଧ୍ୟୟ ରାହୁଲ ଗାନ୍ଧୀ ବଢ଼ୁଥିବା ବେରୋଜଗାରୀ ଓ ଦେଶର ଆର୍ଥିକ ଦୁର୍ଦଶାକୁ ନେଇ ନରେନ୍ଦ୍ର ମୋଦି ସରକାର ଉପରେ ବର୍ଷିଛନ୍ତି। ଏହାକୁ ନେଇ ରାହୁଲ ଟ୍ବିଟ୍ କରିଛନ୍ତି। ଟ୍ବିଟ୍ କରି କହିଛନ୍ତି, ୧୨ କୋଟି ଚାକରି ଚାଲିଗଲାଣି, ଦେଶର ଖୁସି ଓ ସୁରକ୍ଷା ହଜିଗଲାଣି। ସାଧାର ଳୋକ ଆମଦାନି ଗାଏବ, ୫ ଟ୍ରିଲିଅନ୍ ଅର୍ଥନୀତି ଗାଏବ। ମାତ୍ର ପ୍ରଶ୍ନ ପଚାରିଲେ ତା’ର ଉତ୍ତର ବି ଗାଏବ। ସେ ସରକାରଙ୍କ ପାଖରେ ଦାବି କରିଛନ୍ତି ସେ ଯୁବପିଢ଼ିଙ୍କ ସମସ୍ୟାକୁ ସମାଧାନ, ନିଯୁକ୍ତି ବାଟ ତଥା ପରୀକ୍ଷା ରେଜଲ୍ଟ ଜାରି କରନ୍ତୁ। ସେହିପରି ସେ ଅନ୍ୟ ଏକ ଟ୍ବିଟରେ ଯୁବପିଢ଼ିଙ୍କ ସମସ୍ୟାର ସମାଧାନ କରିବା ପାଇଁ ସରକାରଙ୍କ ପାଖରେ ଅପିଲ୍ କରିଛନ୍ତି।
ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ଟ୍ବିଟ୍ କରିଛନ୍ତି- ୨୦୧୭-ଏସ୍ଏସସି ସିଜିଏଲ୍ (ସଂଯୁକ୍ତ ସ୍ନାତନକ ସ୍ତର)ରେ ନିଯୁକ୍ତି ଏବେ ସୁଦ୍ଧା ହୋଇ ନାହିଁ। ୨୦୧୮- ସିଜିଏଲ ପରୀକ୍ଷାର ଫଳ ଏଯାଏଁ ଅାସିପାରିଲା ନାହିଁ। ୨୦୧୯- ସିଜିଏଲ୍ ପରୀକ୍ଷା ହିଁ ହେଲା ନାହିଁ। ୨୦୧୦- ଏସଏସସି ସିଜିଏଲ ନିଯୁକ୍ତି ବାହାର କରାଗଲା ନାହିଁ।
ସେ ଦାବି କରିଛନ୍ତି ନିଯୁକ୍ତି ବାହାରିଲେ ପରୀକ୍ଷା ନାହିଁ, ପରୀକ୍ଷା ହେଲେ ଫଳ ନାହିଁ, ଫଳ ଆସିଲେ ନିଯୁକ୍ତି ନାହିଁ। ବେସରକାରୀ ସଂସ୍ଥାରେ ଛଟେଇ ଓ ସରକାରୀରେ ନିଯୁକ୍ତିରେ ତାଲା ଲାଗିବାରୁ ଯୁବପିଢ଼ିଙ୍କ ଭବିଷ୍ୟ ବର୍ବାଦ ହେଉଛି। ମାତ୍ର ସରକାର ସତ ଉପରେ ପରଦା ଘୋଡାଇବା ପାଇଁ ବିଜ୍ଞାପନ ଓ ଭାଷଣରେ ମିଛ କହୁଛନ୍ତି।