ରାହୁଲ ଗାନ୍ଧିଙ୍କ ଗ୍ୟାରେଣ୍ଟି ପ୍ଲାନ୍‌ : କହିଲେ,‘ଆମ ଘୋଷଣା କେବଳ ପ୍ରତିଶ୍ରୁତି ନୁହେଁ, ବରଂ ନିଶ୍ଚିତ ହେବ’

Published By : Prameya-News7 Bureau | October 30, 2021 IST

ଗୋଆ ୩୦/୧୦ : ଆସନ୍ତା ବର୍ଷ କିଛି ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହାକୁ ନେଇ ଏବେ ଠାରୁ ରାଜନୀତି ସରଗରମ ହୋଇଗଲାଣି । ରାଜନୈତିକ ଦଳମାନେ ଆଶାୟୀ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଏବେ କସରତ ଆରମ୍ଭ କରିଦେଲେଣି । ଏହି ପରିପ୍ରେକ୍ଷୀରେ ଗୋଆରେ ବିକାଶର ଗ୍ୟାରେଣ୍ଟି ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ।

ଆସନ୍ତା ବର୍ଷ ଗୋଆରେ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ଫୁଲ ଦମ୍‌ରେ ଲାଗିପଡିଛି କଂଗ୍ରେସ । ରାହୁଲ ଗାନ୍ଧି ଏବେ ଗୋଆ ଗସ୍ତରେ ଅଛନ୍ତି । ଏହି ଅବସରରେ ଗୋଆର ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ଭେଟି ଆଲୋଚନା କରିବା ସହିତ ସମସ୍ୟା ବାବଦରେ ପଚାରି ବୁଝିଛନ୍ତି କଂଗ୍ରେସ ନେତା ।

ଏହି ଅବସରରେ ରାହୁଲ ଗାନ୍ଧି କହିଛନ୍ତି, ଯେତେବେଳେ ୟୁପିଏ ସରକାର କ୍ଷମତାରେ ଥିଲା ସେତେବେଳେ ପେଟ୍ରୋଲିୟମ ଦର ବ୍ୟାରେଲ ପିଛା ୧୪୦ ଡଲାର ଥିଲା । ଏବେ ପେଟ୍ରୋଲ ଏବଂ ଡିଜେଲର ଆନ୍ତର୍ଜାତୀୟ ଦର ତାଠାରୁ ମଧ୍ୟ କମ ରହିଛି କିନ୍ତୁ ଦେଶରେ ତେଲ ଦେଶ ଅହେତୁକ ଭାବେ ବୃଦ୍ଧି ପାଇଛି । ସାଧାରଣ ଖାଉଟି ପେଟ୍ରୋଲ ଏବଂ ଡିଜେଲ ଦାମକୁ ନେଇ ହନ୍ତସନ୍ତ ହେଉଛନ୍ତି ।

ଭାଷଣ ଦେବା ସମୟରେ ରାହୁଲ ଗାନ୍ଧି କହିଛନ୍ତି, ‘ଆମେ ଛତିଶଗଡ ବିଧାନସଭା ନିର୍ବାଚନ ପୂର୍ବରୁ ଚାଷୀଙ୍କ ଋଣ ଛାଡ କରିବାକୁ ପ୍ରତିଶ୍ରୁତି ଦେଇଥିଲୁ ଏବଂ ଦଳ କ୍ଷମତାକୁ ଆସିବା ପରେ ତାହା ହିଁ କରିଥିଲା । ପଞ୍ଜାବ ଏବଂ କର୍ଣ୍ଣାଟକରେ ମଧ୍ୟ ଦଳ ପ୍ରତିଶ୍ରୁତି ପାଳନ କରିଥିଲା । ଆମ ଘୋଷଣା ପତ୍ରରେ ଯାହା କିଛି ରହିଥାଏ ତାହା ଗ୍ୟାରେଣ୍ଟି ସହ କରିଥାଉ, କେବଳ ପ୍ରତିଶ୍ରୁତି ନୁହେଁ ।’

ଗୋଆର ପରିବେଶକୁ ନେଇ ରାହୁଲ କହିଛନ୍ତି, ‘ଗୋଆରେ ପରିବେଶ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ରକ୍ଷିତ ରଖିବାକୁ ହେବ । ତେଣୁ ଆମେ ଗୋଆକୁ କୋଇଲା ହବ୍ ହେବାକୁ ଦେବୁ ନାହିଁ କିମ୍ବା ରାଜ୍ୟକୁ ପ୍ରଦୂଷିତ ହେବାକୁ ଦେବୁ ନାହିଁ’ । ସେଠାରେ ଉପସ୍ଥିତ ଜନତାଙ୍କୁ ରାହୁଲ କହିଛନ୍ତି ଯେ, ତାଙ୍କୁ ପରିବାରର ଜଣେ ସଦସ୍ୟ ବୋଲି ଭାବନ୍ତୁ ଏବଂ ସେହିଭଳି ବ୍ୟବହାର କରନ୍ତୁ । ଏହା ସହିତ ଗୋଆରେ କଣ କଣ ସମସ୍ୟା ରହିଛି ତାହାକୁ ମଧ୍ୟ ଜଣାଇବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.