କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ରାହୁଲ ଗାନ୍ଧୀଙ୍କ ଅପିଲ-'ସିଷ୍ଟମ୍ ଫେଲ୍, ଦଳର ସବୁ କାମ ଛାଡି ଲୋକଙ୍କୁ ସାହାଯ୍ୟ କରନ୍ତୁ, ଏହା ହିଁ କଂଗ୍ରେସର ଧର୍ମ'

Published By : Prameya-News7 Bureau | April 25, 2021 IST

ନୂଆଦିଲ୍ଲୀ ୨୫/୦୪ : କଂଗ୍ରେସ ନେତା ରାହୁଲ ଗାନ୍ଧୀ କରୋନାର ଏହି ସଙ୍କଟାପନ୍ନ ସମୟରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ରାଜନୈତିକ କାମ ଛାଡି ଲୋକଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ରାହୁଲ ଗାନ୍ଧୀ ଏନେଇ ଏକ ଟ୍ୱିଟ୍ କରିଛନ୍ତି। ଟ୍ୱିଟ୍ କରି ରାହୁଲ କହିଛନ୍ତି ଲୋକଙ୍କୁ ସାହାଯ୍ୟ କରିବା ହିଁ ଧର୍ମ। ସେ କହିଛନ୍ତି, 'ସିଷ୍ଟମ୍ ଫେଲ୍, ସେଥିପାଇଁ ଜନତାଙ୍କ କଥା କହିବା ଜରୁରୀ। ଏହି ସଙ୍କଟ ସମୟରେ ଦେଶକୁ ଦାୟିତ୍ୱବାନ ନାଗରିକ ଆବଶ୍ୟକ। ମୋର କଂଗ୍ରେସ ସହଯୋଗୀଙ୍କୁ ମୋର ଅନୁରୋଧ ଯେ ସମସ୍ତ ରାଜନୈତିକ କାମ ଛାଡି କେବଳ ଜନତାଙ୍କୁ ସାହାଯ୍ୟ କରନ୍ତୁ। ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରି ଦେଶବାସୀଙ୍କ କଷ୍ଟ ଦୂର କରନ୍ତୁ। କଂଗ୍ରେସ ପରିବାରର ଏହା ହିଁ ଧର୍ମ।

ଏହାର ଦିନେ ପୂର୍ବରୁ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ କେନ୍ଦ୍ର ସରକାର ନିର୍ବାଚନ ପ୍ରଚାରରେ ଟଙ୍କା ଖର୍ଚରେ କରିବା ପରିବର୍ତ୍ତେ ଟୀକା, ଅକ୍ସିଜେନ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବା ଉପରେ ଦୃଷ୍ଟି ଦେବାକୁ କହିଥିଲେ। ନିଜ ଟ୍ୱିଟରେ ସେ କହିଥିଲେ, କେନ୍ଦ୍ର ସରକାରଙ୍କୁ ଅପିଲ କରୁଛି ଯେ ପିଆର ଓ ଅନାବଶ୍ୟକ ପ୍ରୋଜେକ୍ଟରେ ଖର୍ଚ୍ଚ ନ କରି ଭ୍ୟାକସିନ, ଅକ୍ସିଜେନ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବା ଉପରେ ଧ୍ୟାନ ଦିଅନ୍ତୁ। ଆଗାମୀ ଦିନରେ ଏହି ସଙ୍କଟ ଆହୁରି ଗମ୍ଭୀର ହେବ। ଏହାର ମୁକାବିଲା ପାଇଁ ଦେଶକୁ ପ୍ରସ୍ତୁତ ରହିବାକୁ ହେବ। ବର୍ତ୍ତମାନ ଦୁର୍ଦ୍ଦଶା ଅସହନୀୟ।'

ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୯ ହଜାର ୬୯୧ ନୂଆ ମାମଲା ରେକର୍ଡ ହୋଇଛି। ସଂକ୍ରମଣ ଯୋଗୁଁ ୨୭୬୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ସଂଖ୍ୟା ୧ ଲକ୍ଷ ୯୨ ହଜାର ୩୧୧ରେ ପହଞ୍ଚିଛି। ସଂକ୍ରମଣ ମାମଲା ଥମିବାର ନାଁ ନେଉନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.