ରାହୁଲ କହିଲେ ଗରିବଙ୍କୁ ଟଙ୍କା ଦିଅ: ୬ ମାସ ଯାଏଁ ପ୍ରତ୍ୟେକଙ୍କ ଖାତାକୁ ୭୫୦୦ ପାଇଁ ରଖିଲେ ଯୁକ୍ତି

Published By : Prameya-News7 Bureau | May 28, 2020 IST

ନୂଆଦିଲ୍ଲୀ, ୨୮|୦୫: କରୋନା ଭାଇରସ କାରଣରୁ ସାରା ଦେଶରେ ଗତ ୬୫ ଦିନ ହେଲା ଲକଡାଉନ୍ ଜାରି କରାଯାଇଛି ।ଏହାର ସିଦ୍ଧାସଳଖ ପ୍ରଭାବ ଶ୍ରମିକ, ଗରିବ ଓ ମଧ୍ୟବିତ୍ତଙ୍କ ଉପରେ ପଡୁଛି । ଏହାକୁ ନଜରରେ ରଖି କଂଗ୍ରେସ ପକ୍ଷରୁ ସ୍ପିକ୍ ଇନ୍ ଇଣ୍ଡିଆ ନାମରେ ଏକ ଅନଲାଇନ୍ କ୍ୟାମ୍ପେନ୍ ଆରମ୍ଭ ହୋଇଛି । ଏହି କ୍ୟାମ୍ପେନରେ ଦଳ ସୋସିଆଲ ମିଡିଆରେ ନିଜ ଦାବି ରଖିଛି । ପ୍ରଥମେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମୋଦୀ ସରକାରଙ୍କ ଆଗରେ ନିଜ ଦାବି ଉପସ୍ଥାପନା କରିଥିଲେ । ଏବେ ରାହୁଲ ଗାନ୍ଧୀ ଭାରତୀୟଙ୍କୁ ଲୋନ୍ ନୁହେଁ ଟଙ୍କା ଆବଶ୍ୟକ ବୋଲି କହିଛନ୍ତି । ସରକାର ଆସନ୍ତା ୬ ମାସ ଯାଏଁ ଗରିବଙ୍କୁ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ବୋଲି ରାହୁଲ ଦାବି କରିଛନ୍ତି ।

wp:html /wp:html

ରାହୁଲ ଗାନ୍ଧୀ ଏକ ଭିଡିଓ ମେସେଜ ଜାରି କରିଛନ୍ତି । ସେ କହିଛନ୍ତି ଯେ, କରୋନା ଭାଇରସ ପାଇଁ ଦେଶରେ ଏକ ବିରାଟ ଝଡ ଆସିଛି । ଗରିବଙ୍କୁ ଆଘାତ ଲାଗିଛି । ଶ୍ରମିକମାନେ ଅଖିଆପିଆ ଅବସ୍ଥାରେ ରାସ୍ତାରେ ଚାଲୁଛନ୍ତି । କ୍ଷୁଦ୍ର ବ୍ୟବସାୟୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି । ଆଜି ଭାରତୀୟଙ୍କୁ ଲୋନ୍ ନୁହେଁ ଟଙ୍କାର ଆବଶ୍ୟକତା ରହିଛି ।

ପ୍ରତି ଗରିବ ପରିବାରକୁ ସରକାର ମାସକୁ ୭୫୦୦ ଟଙ୍କା ପ୍ରଦାନ କରନ୍ତୁ । ମନରେଗା କାମକୁ ୧୦୦ ବଦଳରେ ୨୦୦ ଦିନ କରାଯାଉ । କ୍ଷୁଦ୍ର ବ୍ୟବସାୟୀଙ୍କୁ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ହେଉ । ଏହାସହ ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ସରକାର ସମସ୍ତ ସୁବିଧା ଉପଲବ୍ଧ କରାନ୍ତୁ ବୋଲି ରାହୁଲ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.