ମୋଦୀ ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଲେ ରାହୁଲ, ସମର୍ଥନରେ ଆସିଲେ ପାଇଲଟ୍, କହିଲେ ଏସବୁ କଥା
12/09/2020 at 8:38 PM

ଜୟପୁର ୧୨।୦୯: ମୋଦୀ ସରକାରଙ୍କ ନୀତି ବିରୋଧରେ ରାହୁଲ ଗାନ୍ଧୀଙ୍କୁ ସମର୍ଥନ ଦେବା ପାଇଁ ଆଗକୁ ଆସିଛନ୍ତି ସଚିନ ପାଇଲଟ। ପାଇଲଟ୍ଙ୍କ ଅନୁଯାୟୀ ରାହୁଲ ଗାନ୍ଧୀ ଦେଶର ଅର୍ଥବ୍ୟବସ୍ଥାକୁ ନେଇ ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାହା ଯୁକ୍ତିଯୁକ୍ତ। ଦେଶରେ ଅନେକ ଉଦ୍ୟୋଗ ବନ୍ଦ ହୋଇ ଯାଇଛି। ବଡ ସଂଖ୍ୟାରେ ଲୋକଙ୍କୁ ରୋଜଗାର ହରାଇବାକୁ ପଡିଛି।
ପାଇଲଟ୍ କହିଛନ୍ତି ରାହୁଲ ଗାନ୍ଧୀ ଯେଉଁ ପ୍ରସଙ୍ଗକୁ ନେଇ ସ୍ଵର ଉଠାଇଛନ୍ତି ତାହା ନ୍ୟାୟସଙ୍ଗତ। ଦେଶ ସାମ୍ନାରେ ସଂପ୍ରତି ଆର୍ଥିକ ସଙ୍କଟ ଉତ୍ପନ ହୋଇଛି। ଉଦ୍ୟୋଗ ବନ୍ଦ ହେଉଛି ଏବଂ ପୂରା ଦେଶରେ ପ୍ରାୟ ୨.୧୦ କୋଟି ଲୋକଙ୍କୁ ନିଜର ଚାକିରି ହରାଇବାକୁ ପଡିଛି। ଯାହାଙ୍କ ପାଖରେ ଚାକିରି ରହିଛି ସେମାନଙ୍କର ଦରମା କାଟ୍ ହେଉଛି।
ଜୟପୁରରେ ଗଣମାଧ୍ୟମ ପ୍ରତିନିଧି ସହ ଆଲୋଚନା ବେଳେ ସଚିନ ପାଇଲଟ୍ କହିଛନ୍ତି, ଚୀନ ଆମ ସୀମାରେ ଅନୁପ୍ରବେଶ କରିଛନ୍ତି। ମାତ୍ର ସରକାର ଦେଶର ଜନତାଙ୍କ ଧ୍ୟାନ ଭାରତ ଓ ଚୀନ ଉତ୍ତେଜନାରୁ ହଟାଇବାକୁ ଚାହୁଁଛନ୍ତି। ସେ କହିଛନ୍ତି ଯଦି ସରକାର ଚୀନ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଉଠାନ୍ତି ତେବେ ପୂରା ଦେଶ ତାଙ୍କ ସହିତ ରହିଛି। ଏହା ପୂର୍ବରୁ ରାହୁଲ ଗାନ୍ଧୀ ଅନେକ ଟ୍ଵିଟ୍ ଜରିଆରେ ପ୍ରଶ୍ନ କରିଥିଲେ ଯେ ସରକାରଙ୍କ ନୀତି କାରଣରୁ ଦେଶର ଅର୍ଥବ୍ୟବସ୍ଥା ସଙ୍କଟଜନକ ସ୍ଥିତି ଦେଇ ଗତି କରୁଛି।