Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

COVID-19 ନେଇ ପୁଣି ସତର୍କ କଲେ ରାହୁଲ ଗାନ୍ଧି,କହିଲେ ଆଗାମୀ ସପ୍ତାହମାନଙ୍କରେ ବଢିବ ସଂକ୍ରମିତଙ୍କ ସଂଖ୍ୟା

17/07/2020 at 5:27 PM

ନୂଆଦିଲ୍ଲୀ ୧୭।୭:  କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଶୁକ୍ରବାର କରୋନା ମହାମାରୀ ନେଇ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ସତର୍କ କରାଇଛନ୍ତି। ଯଦି ସରକାର ଏବେଠୁ ସତର୍କ ନ ହେବେ ତେବେ ହୁଏତ ଅଗଷ୍ଟ ଦ୍ୱିତୀୟ ସପ୍ତାହ ବେଳକୁ ସାରା ଦେଶରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୨ ନିୟୁତରେ ନ ପହଞ୍ଚିବ ତାହା କହି ହେବ ନାହିଁ। ଗୁରୁବାର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ପାର କରିଥିଲା। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ସୂଚନା ମିଳିବା ପରେ ରାହୁଲ ଏପରି ମନ୍ତବ୍ୟ ଦେଇଛନ୍ତି।

କରୋନା ସଂକ୍ରମଣରେ ଆମେରିକା ଓ ବ୍ରାଜିଲ ପରେ ଭାରତ ଏବେ ତୃତୀୟ ସ୍ଥାନରେ। ଭାରତକୁ ୧ ନିୟୁତରେ ପହଞ୍ଚିବା ଲାଗି ମାତ୍ର ୧୩୭ ଦିନ ସମୟ ଲାଗିଛି। ସଂକ୍ରମଣର ଶୃଙ୍ଖଳ ଛିନ୍ନ କରିବା ଲାଗି ସାରା ଦେଶରେ ଲକଡାଉନ୍‌ ଜାରି କରାଯାଇଥିଲା। ୨୫ ମାର୍ଚ୍ଚରୁ ସାରା ଦେଶରେ ଜାରି ଲକଡାଉନ୍‌କୁ ପରେ ସରକାର ଏହାକୁ ୩ ଥର ସମ୍ପ୍ରସାରଣ ମଧ୍ୟ କରିଥିଲେ। ତେବେ ଦେଶ ଲକଡାଉନରେ ଥିବା ବେଳେ ୫ଲକ୍ଷ ଲୋକେ ସଂକ୍ରମିତ ହୋଇସାରିଥିଲେ।

ଯଦି ସଂକ୍ରମଣର ତୀବ୍ରତା ଜାରି ରହେ ତେବେ ୨୦ ଲକ୍ଷ ଲୋକେ ସଂକ୍ରମିତ ହେବା ଲାଗି ବେଶି ସମୟ ଲାଗି ନ ପାରେ ବୋଲି ରାହୁଲ କହିଛନ୍ତି। ହୁଏତ ଅଗଷ୍ଟ ୧୦ ତାରିଖ ବେଳକୁ ଦେଶ ଏହି ରେକର୍ଡ ସ୍ତରରେ ପହଞ୍ଚି ସାରିଥିବ ବୋଲି  ରାହୁଲ ତାଙ୍କ ଟ୍ୱିଟ୍‌ରେ ଆଶଙ୍କା ବ୍ୟକ୍ତ କରିଛନ୍ତି।  ରାହୁଲ ହିନ୍ଦୀରେ କରିଥିବା ଟ୍ୱିଟ୍‌ରେ ଚଳିତ ସପ୍ତାହରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷରେ ପହଞ୍ଚିବ ବୋଲି ଉଲ୍ଲେଖ କରିଥିବା ବେଳେ ଏଥିରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମହାନିର୍ଦ୍ଦେଶକଙ୍କ ରିପୋର୍ଟ ମଧ୍ୟ ଟ୍ୟାଗ୍ କରିଛନ୍ତି।

ଡବ୍ଲୁଏଚଓ ମୁଖ୍ୟ ତାଙ୍କ ରିପୋର୍ଟରେ ଯଦି ଉଚିତ ପଦକ୍ଷେପ ନିଆ ନ ଯାଏ ତେବେ ପରିସ୍ଥିତି ଖରାପରୁ ଗୁରୁତର ବି ହୋଇପାରେ ବୋଲି ସତର୍କ କରାଇଛନ୍ତି। ଏଣୁ ଆଗାମୀ ଭବିଷ୍ୟତରେ ଆମେ ପୂର୍ବ ଭଳି ପରିସ୍ଥିତିକୁ କେବେବି ଆଉ ଥରେ ଫେରି ଯାଇ ପାରିବାନି ବୋଲି ରିପୋର୍ଟରେ କହିଛନ୍ତି। ଏଥିରେ ଦେଶରେ ଚାଲିଥିବା କରୋନା ବିରୋଧରେ ସଂଘର୍ଷକୁ ନେଇ କଂଗ୍ରେସ ନେତା ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ୩୬ ହଜାର ୨୪୭ ନୂଆ କୋଭିଡ-୧୯ ମାମଲା ସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୪ ହଜାର ୬୫୨ରେ ପହଞ୍ଚିଛି। ଏଥିରେ ମୃତକଙ୍କ ସଂଖ୍ୟା ୨୫ ହଜାର ୫୯୪ରେ ପହଞ୍ଚିଛି।

   Related Posts