କଂଗ୍ରେସର ପ୍ରତିଷ୍ଠା ଦିବସ ବେଳେ ରାହୁଲ ବିଦେଶରେ, ସମାଲୋଚକଙ୍କୁ ସୁରଜେଓ୍ୱାଲା କହିଲେ- 'ସେ ନୁହନ୍ତି, ସୋନିଆ ଦଳର ଅଧ୍ୟକ୍ଷା'

Published By : Prameya-News7 Bureau | December 28, 2020 IST

ନୂଆଦିଲ୍ଲୀ,୨୮/୧୨:  ଦେଶରେ ଚାଲିଥିବା କୃଷକ ଆନ୍ଦୋଳନ ମଧ୍ୟରେ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳନ କରୁଛି । କିନ୍ତୁ ପ୍ରତିଷ୍ଠା ଦିବସରେ ରାହୁଲ ଗାନ୍ଧୀ ଅନୁପସ୍ଥିତ ରହିଛନ୍ତି । କାରଣ ସେ ଏବେ ବିଦେଶ ଗସ୍ତରେ ଅଛନ୍ତି । ଯାହାକୁ ନେଇ ବିଜେପି କଂଗ୍ରେସକୁ କଟାକ୍ଷ କରିଛି । ତେବେ ବିଜେପିକୁ ଜବାବ ଦେଇଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା । ରାହୁଲ ନୁହେଁ ବରଂ ସୋନିଆ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷା ବୋଲି ସେ କହିଛନ୍ତି ।

ବିଜେପି ସାଂସଦ ଜେନେରାଲ ଭିକେ ସିଂ ରାହୁଲଙ୍କ ଯାତ୍ରାକୁ ନେଇ କଟାକ୍ଷ କରିଥିଲେ । ସେ କହିଥିଲେ ଯେ, ରାହୁଲଙ୍କୁ କଂଗ୍ରେସର ପ୍ରତିଷ୍ଠା ଦିବସରେ ଶୁଭକାମନା । କଂଗ୍ରେସ ଏଠାରେ ପ୍ରତିଷ୍ଠା ଦିବସ ପାଳନ କରୁଛି କିନ୍ତୁ ରାହୁଲ ବିଦେଶର ଆରାମ କରୁଛନ୍ତି । ବୋଧହୁଏ ସେ ବହୁତ ଥକି ଯାଇଛନ୍ତି । କଂଗ୍ରେସର ଏପରି ସ୍ଥିତି ହୋଇଛି ଯେଉଁଠି ଜାଣିବାଶୁଣିବା ଲୋକଙ୍କୁ ବାହାରକୁ ପଠାଇ ଦିଆଯାଉଛି ।

ସେ ଆହୁରି କହିଥିଲେ ଯେ, କଂଗ୍ରେସର ନେତୃତ୍ୱ ଶରଦ ପାଓ୍ୱାର, କପିଲ ଶିବ୍ବଲ ଯିଏ ନେଲେ ବି ଦଳର ସ୍ଥିତି ସମସ୍ତେ ଜାଣିଛନ୍ତି । ରାହୁଲଙ୍କ ସ୍ଥିତି ଏପରି ହୋଇଛି ଯେପରି ଜଣେ ଶିଶୁ ଖେଳଣା ମାଗିଥାଏ । ସେହି ଖେଳଣା ମିଳିଗଲେ ଆଉ ଏକ ଖେଳଣା ମାଗିଥାଏ ।

ବିଜେପିକୁ ଜବାବ ଦେଇଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା । ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ବ୍ୟକ୍ତିଗତ ଯାତ୍ରାରେ ବିଦେଶ ଯାଇଛନ୍ତି । ତାଙ୍କ ଜେଜେ ମାଆଙ୍କ ଦେହ ଭଲ ନାହିଁ । ଏହାକୁ ନେଇ ବିଜେପି ପ୍ରଶ୍ନ କରିବା ଅନୁଚିତ । ରାହୁଲ ଦଳର ସଭାପତି ନୁହଁନ୍ତି । ସୋନିଆ ଗାନ୍ଧୀ ଦଳର ନେତୃତ୍ୱ ନେଉଛନ୍ତି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.