'ଚୌକିଦାର ଚୋର ହେ' କହି ଫସିଗଲେ ରାହୁଲ ଗାନ୍ଧୀ : ସୁପ୍ରିମକୋର୍ଟରେ କ୍ଷମା ମାଗିଲେ ରାହୁଲ

Published By : Prameya-News7 Bureau | April 22, 2019 IST

ନୂଆଦିଲ୍ଲୀ ୨୨/୪ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲ ମାମଲାରେ ସୁପ୍ରିମକୋର୍ଟରେ ନିଜ ବୟାନ ଦାଖଲ କରିଛନ୍ତି | ରାହୁଲ କହିଛନ୍ତି ଯେ, ନିର୍ବାଚନ ପ୍ରଚାର ସମୟରେ ଉତ୍ତେଜିତ ହୋଇ ଏହିଭଳି ବୟାନ ଦେଇଥିଲେ | ସେଥିପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି | ରାହୁଲ ରାଫେଲ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ଚୌକିଦାର ଚୋର ହେ କହିଥିଲେ | ସୁପ୍ରିମକୋର୍ଟ ମଧ୍ୟ ଏହା କହୁଛନ୍ତି ବୋଲି ରାହୁଲ କହିଥିଲେ | ରାହୁଲଙ୍କ ଏହି ବୟାନ ପରେ ବିଜେପି ସାଂସଦ ମିନାକ୍ଷୀ ଲେଖି ସୁପ୍ରିମକୋର୍ଟରେ ଏକ ଆବେଦନ କରି ରାହୁଲ ଗାନ୍ଧୀଙ୍କ ବିରୋଧରେ ଅବମାନନା ଅଭିଯୋଗ କରିଥିଲେ |


ମିନାକ୍ଷୀ ଲେଖିଙ୍କ ଆବେଦନ ଗ୍ରହଣ କରିଥିଲେ ସୁପ୍ରିମକୋର୍ଟ | ସୁପ୍ରିମକୋର୍ଟଙ୍କ ଅବମାନନା କରିଥିବା ଯୋଗୁଁ କୋର୍ଟ ରାହୁଲଙ୍କୁ ନୋଟିସ ଜାରି କରିଥିଲେ | ଏପ୍ରିଲ ୧୫ ତାରିଖରେ ସୁପ୍ରିମକୋର୍ଟରେ ଅବମାନନା ଆବେଦନର ଶୁଣାଣି ବେଳେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ କହିଥିଲେ ଯେ, ସେ ଏଭଳି କୌଣସି ବୟାନ ଦେଇନଥିଲେ | ଏହାପରେ ରାହୁଲଙ୍କୁ ନୋଟିସ ଜାରି କରିଥିଲେ |


ରାହୁଲ ଗାନ୍ଧୀ ଲଗାତାର ନିଜର ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ଚୌକିଦାର ଚୋର ହେ ନାରା ଲଗାଉଛନ୍ତି | ମୋଦି ରାଫେଲ ଡ଼ିଲରେ ଦୁର୍ନୀତି କରି ଅନୁଲ ଅମ୍ବାନୀଙ୍କୁ ପାଖାପାଖି ୩୦ କୋଟି ଟଙ୍କାର ଲାଭ ଦେଇଥିବା ରାହୁଲ ବାରମ୍ବାର ଅଭିଯୋଗ କରିଆସୁଛନ୍ତି | ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ କ୍ଲିନ ଚିଟ ଦେଇସାରିଥିଲେ ଏବଂ ରାଫେଲ ବିମାନର କ୍ରୟ ପ୍ରକ୍ରିୟାକୁ ସଠିକ ଦର୍ଶାଇଥିଲେ | ଏହାପରେ ଅରୁଣ ସୋରି, ଯଶବନ୍ତ ସିହ୍ନା ଓ ପ୍ରଶାନ୍ତ ଭୂଷଣ ପୁନର୍ବିଚାର ପାଇଁ କୋର୍ଟରେ ପୁଣିଥରେ ଆବେଦନ କରିଥିଲେ | ଏହାକୁ କୋର୍ଟ ସ୍ୱୀକାର କରିଥିଲେ | ଏହାପରେ ରାହୁଲ ଗାନ୍ଧୀ କୋର୍ଟଙ୍କ ନିଷ୍ପତ୍ତିକୁ ନିର୍ବାଚନ ସଭାରେ ପେଶ କରି ମୋଦିଙ୍କୁ ଚୋର ବୋଲି ଆକ୍ଷେପ କରିଥିଲେ | କିନ୍ତୁ କୋର୍ଟ ଏହିଭଳି କୌଣସି ମନ୍ତବ୍ୟ ଦେଇନଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.