ରାହୁଲ ଗାନ୍ଧିଙ୍କ ବିରୋଧରେ ରାହୁଲ ଗାନ୍ଧି ପ୍ରାର୍ଥୀ
6/04/2019 at 9:54 AM

ନୂଆଦିଲ୍ଲୀ ୬|୪ : ରାହୁଲ ଗାନ୍ଧିଙ୍କ ବିରୋଧରେ ରାହୁଲ ଗାନ୍ଧି ପ୍ରାର୍ଥୀ । ରାହୁଲ ଗାନ୍ଧିଙ୍କ ବିରୋଧରେ ଜଣେ ରାହୁଲ ଗାନ୍ଧି ନୁହଁନ୍ତି ଦୁଇ ଜଣ ରାହୁଲ ଗାନ୍ଧି ପ୍ରାର୍ଥୀ ହୋଇଛନ୍ତି । କେରଳର ୱାଏନାଡ୍ ଲୋକସଭା ଆସନରେ ତିନି ଜଣ ରାହୁଲ ଗାନ୍ଧି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ରୋଚକ ଖବରଟି ହେଲା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ଅନ୍ୟ ଦୁଇ ରାହୁଲ ଗାନ୍ଧିଙ୍କ ପରିବାର ଏକଦା କଂଗ୍ରେସର ଦୃଢ ସମର୍ଥକ ଏବଂ ଗାନ୍ଧି ପରିବାରଙ୍କ ପ୍ରଶଂସକ ଥିଲେ ।

ଗୁରୁବାର ୱାଏନାଡର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହି ଆସନରେ ସ୍ବାଧିନ ପ୍ରାର୍ଥୀ ହୋଇଛନ୍ତି ରାହୁଲ ଗାନ୍ଧି କେ ଇ ଏବଂ ଅଗିଲା ଇଣ୍ଡିଆ ମାକ୍କାଲ କାଝାଗମ୍ ରୁ ପ୍ରାର୍ଥୀ ହୋଇଛନ୍ତି ରାହୁଲ ଗାନ୍ଧି କେ । ୩୩ ବର୍ଷୀୟ ରାହୁଲ ଗାନ୍ଧି କେଇ ଜଣେ ଛାତ୍ର । ସେ ଲୋକନୃତ୍ୟରେ ଗବେଷଣା କରୁଛନ୍ତି । କେରଳ କୋଟ୍ଟାୟାମର ଇରୁମଲି ଗାଁ ବାସିନ୍ଦା ରାହୁଲଙ୍କ ବାପା ସ୍ବର୍ଗତ କୁଞ୍ଜୁମୁନ୍ ଜଣେ କଂଗ୍ରେସ ସମର୍ଥକ ଥିଲେ । ସେ ତାଙ୍କ ଦୁଇ ପୁଅଙ୍କ ନାମ ରାହୁଲ ଗାନ୍ଧି କେଇ ଏବଂ ରାଜୀବ ଗାନ୍ଧି କେଇ ଦେଇଥିଲେ ।

ୱାଏନାଡର ଅନ୍ୟତମ ପ୍ରାର୍ଥୀ ୩୦ ବର୍ଷୀୟ ରାହୁଲ ଗାନ୍ଧି କେ କିନ୍ତୁ ଏଆଇଏମକେରୁ ପ୍ରାର୍ଥୀ । ସେ ମଧ୍ୟ ଏକ ପୁରୁଣା କଂଗ୍ରେସ ପରିବାରରୁ ଆସିଛନ୍ତି । ତେବେ ତାଙ୍କ ଘର ତାମିଲନାଡୁର କୋଏମ୍ବାଟୁର । ତାଙ୍କର ଏହା ତୃତୀୟ ନିର୍ବାଚନ ଲଢେଇ, ଏବଂ ନାମରେ ସାମଞ୍ଜସ୍ୟତା ଯୋଗୁଁ ସେ ୱାଏନାଡରେ କଂଗ୍ରେସ ଅଧ୍ୟକ୍ଷଙ୍କୁ ମୁକାବିଲା କରୁଥିବା ଜଣାଯାଇଛି । ତେବେ ଏହି ତିନି ଗାନ୍ଧିଙ୍କ ପରେ ୱାଏନାଡରେ ଚତୁର୍ଥ ଗାନ୍ଧି ବି ଅଛନ୍ତି ।ସେହି ପ୍ରାର୍ଥୀଙ୍କ ନାମ ହେଲା କେ.ଶିବପ୍ରସାଦ ଗାନ୍ଧି । ନିର୍ବାଚନ ରାଜନୀତିରେ ନାମ ଆଧାରରେ ପ୍ରତିଦ୍ବନ୍ଦିତା କରି ଭୋଟରଙ୍କୁ ଦ୍ୱିଧାରେ ପକାଇବାର ଏହା ଏକ ତରିକା ।