ଲକଡାଉନ୍ ସମାଧାନ ନୁହେଁ, ଲୋକଙ୍କ ପାଖରେ ଟଙ୍କା ପହଁଚିଲେ ଅର୍ଥବ୍ୟବସ୍ଥା ସୁଧୁରିଯିବ: ପରାମର୍ଶ ଦେଲେ ନୋବେଲ ବିଜୟୀ ଅଭିଜିତ ବାନାର୍ଜୀ

Published By : Prameya-News7 Bureau | May 05, 2020 IST

ନୂଆଦିଲ୍ଲୀ, ୦୫|୦୫ :  କରୋନା ମୁକାବିଲା ପାଇଁ ଦେଶ ଆର୍ଥିକ ସ୍ଥିତି ସଜାଡିବାକୁ ହେଲେ ଜନସଂଖ୍ୟାର ଏକ ପ୍ରମୁଖ ଭାଗ ନିକଟରେ ଟଙ୍କା ପହଁଯିବା ଉଚିତ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସହ ଭଡିଓ କନଫରେନ୍ସିଂ ଯୋଗେ ଆଲୋଚନାରେ ଏହି କଥା ଉପରେ ଜୋର ଦେଇଛନ୍ତି ନୋବେଲ ପୁରସ୍କାର ବିଜେତା ଅର୍ଥଶାସ୍ତ୍ରୀ ଅଭିଜିତ ବାନାର୍ଜୀ । ଭାରତ ସରକାର ଆମେରିକା ଭଳି ବଡ ପ୍ୟାକେଜ୍ ଘୋଷଣା କରନ୍ତୁ ଯେପରି ଲୋକଙ୍କ ପାଖରେ ଟଙ୍କା ପହଁଚିବ ଓ ବଜାରରେ ମଧ୍ୟ ଚାହିଦା ବୃଦ୍ଧି ପାଇବ ବୋଲି ଅଭିଜିତ ପରାମର୍ଶ ଦେଇଛନ୍ତି ।

ରାହୁଲ ଗାନ୍ଧୀ ଅଭିଜିତଙ୍କୁ ନ୍ୟାୟ ଯୋଜନାରେ ଅର୍ଥ ଦିଆଯାଇ ପାରିବ  ନା ନାହିଁ ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତରେ ଡ. ବାନାର୍ଜୀ କହିଥିଲେ ଯେ, ନିଶ୍ଚିତ ଭାବେ ଲୋକଙ୍କୁ ଅର୍ଥ ଦିଆଯାଇ ପାରିବ । ଯଦି ନିମ୍ନବର୍ଗର ୬୦ ପ୍ରତିଶତ ଲୋକଙ୍କ ପାଖରେ ଟଙ୍କା ପହଁଚିବ ତେବେ କିଛି ଭୁଲ ହେବ ନାହିଁ । ଏହା ପ୍ରୋତ୍ସାହନ ରାଶି ଭଳି ହେବ ।

ଅଭିଜିତ ଆହୁରି କହିଛନ୍ତି ଯେ, ଲକଡାଉନ୍ ସମାଧାନ ନୁହେଁ । ଯେଉଁମାନଙ୍କର ରାସନ କାର୍ଡ ନାହିଁ ସେମାନଙ୍କୁ ଅତି କମରେ ୩ ମାସ ଯାଏଁ ଅସ୍ଥାୟୀ ଭାବେ ରାସନ କାର୍ଡ ଜାରି କରିବା ଉଚିତ । ଲୋକଙ୍କ ନିକଟରେ ଟଙ୍କା ପହଁଚାଇବା ପାଇଁ ରାଜ୍ୟ ସରକାର ଓ ଏନଜିଓର ସହାଯ୍ୟ ନେବା ଆବଶ୍ୟକ ।

ପୂର୍ବରୁ ରାହୁଲ ଗାନ୍ଧୀ ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କ ସହ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ସରକାର ସମସ୍ତ ଗରିବଙ୍କ ଆକାଉଣ୍ଟକୁ ଟଙ୍କା ପଠାନ୍ତୁ ଓ ଏଥିପାଇଁ ପ୍ରାୟ ୬୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ରାଜନ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.