ବିହାର ନିର୍ବାଚନ: ପୁଣି ଥରେ ଫ୍ଲପ୍ ହେଲେ ରାହୁଲ ଗାନ୍ଧୀ, ପ୍ରଚାର କରିଥିବା ୫୨ କ୍ଷେତ୍ରରୁ ୪୨ଟିରେ ହାରୁଛି ମହାମେଣ୍ଟ

Published By : Prameya-News7 Bureau | November 10, 2020 IST

ପାଟନା ୧୦।୧୧: ବିହାର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ଏନଡିଏ ଏବଂ ମହାମେଣ୍ଟ ମଧ୍ୟରେ କଡା ମୁକାବିଲା ହେଉଛି। ଅନ୍ତିମ ପରିଣାମ ନ ଆସିବା ପର୍ଯ୍ୟନ୍ତ କିଛି କୁହାଯାଇ ପାରିବ ନାହିଁ ଯେ ବିହାରରେ କିଏ ସରକାର ଗଢିବ। ଏନଡିଏ ୧୨୫ଟି ଆସନରେ ଆଗୁଆ ରହିଥିବା ବେଳେ ମହାମେଣ୍ଟ ୧୦୮ ଟିରେ ଅଗ୍ରଣୀ ରହିଛି। ପ୍ରଥମ ପର୍ଯ୍ୟାୟ ଭୋଟ୍‌ରେ ମହାମେଣ୍ଟ ଆଶାନୁରୂପ ପ୍ରଦର୍ଶନ କରିଥିବା ବେଳେ ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାରେ ବିଜେପି ଭଲ ପ୍ରଦର୍ଶନ କରିଛି। ସବୁଠୁ ବଡ କଥା କଂଗ୍ରେସ ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ବିହାର ନିର୍ବାଚନରେ ସଂପୂର୍ଣ୍ଣ ଫ୍ଲପ୍ ସାବ୍ୟସ୍ତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ରାହୁଲ ଗାନ୍ଧୀ ଯେଉଁଠି ଯେଉଁଠି ପ୍ରଚାର କରିଛନ୍ତି ସେଠାରେ ମହାମେଣ୍ଟ ଧରାଶାୟୀ ହୋଇଛି। ୫୨ ଆସନକୁ ପ୍ରଭାବିତ କରୁଥିବା ଯେଉଁ ଆଠଟି ଜାଗାରେ ରାହୁଲ ଗାନ୍ଧୀ ରାଲି କରିଛନ୍ତି ସେଠାରେ ମହାମେଣ୍ଟ ପରାଜିତ ହୋଇଛି। ଏହି ୫୨ଟି ଆସନରୁ ମହାମେଣ୍ଟ ୪୨ଟିରେ ହାରୁଥିବା ଟ୍ରେଣ୍ଡରୁ ଦେଖିବାକୁ ମିଳିଛି। ମାତ୍ର ୧୦ଟି ଆସନରେ ମହାମେଣ୍ଟ ଜିତିବାର ସମ୍ଭାବନା ରହିଛି। ତେଣୁ କୁହାଯାଇ ପାରିବ ଯେ, ରାହୁଲ ଗାନ୍ଧୀ ଏଥର ମଧ୍ୟ ବିହାର ବିଧାନସଭା ନିର୍ବାଚନରେ ପ୍ରଭାବହୀନ ରହିଛନ୍ତି।

ଉଲ୍ଲେଖଯୋଗ୍ୟ, ବିହାର ବିଧାନସଭା ନିର୍ବାଚନ ୨୦୨୦ରେ କଂଗ୍ରେସର ଦିଲ୍ଲୀର ପୂରା ଟିମ୍‌ ରାଜ୍ୟସାରା ଗସ୍ତ କରିଥିଲେ। ପାର୍ଟିର ନେତା ନିର୍ବାଚନରେ ୫୯ଟି ସଭା କରିଥିଲେ। ଏଥିରେ ରାହୁଲ ଗାନ୍ଧୀ ଆଠଟି ରାଲି କରିଥିଲେ। ପ୍ରଥମ ପର୍ଯ୍ୟାୟରେ ସେ ହିସୁଆ ଓ କହଲଗାଅଁରେ ସଭା କରିଥିଲେ। ଏହା ପରେ ସେ କୁଶେଶ୍ଵରସ୍ଥାନ ଓ ବାଲ୍ମିକୀନଗର ଏବଂ ତୃତୀୟ ପର୍ଯ୍ୟାୟରେ କୋଢା, କିଶନଗଞ୍ଜ, ବିହାରିଗଞ୍ଜ ଓ ଅରରିଆରେ ରାଲିକୁ ସମ୍ବୋଧି କରିଥିଲେ। ହେଲେ ପାର୍ଟିକୁ ଆଶାନୁରୂପ ସଫଳତା ମିଳିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.