ଶ୍ରୀଲଙ୍କା ଗସ୍ତ ଠିକ୍ ପୂର୍ବରୁ ଦ୍ରାବିଡଙ୍କ ବଡ ବୟାନ- ସମସ୍ତ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ସମ୍ଭବ ନୁହେଁ, ସିରିଜ୍ ଜିତିବା ଗୁରୁତ୍ଵପୂର୍ଣ୍ଣ

Published By : Prameya-News7 Bureau | June 27, 2021 IST

ମୁମ୍ବଇ ୨୭।୦୬: ଭାରତୀୟ ଦଳ ଆସନ୍ତା ମାସ ଶ୍ରୀଲଙ୍କା  ଗସ୍ତ କରି ଦିନିକିଆ ଓ ଟି-୨୦ ସିରିଜ୍‌ ଖେଳିବ। ଶ୍ରୀଲଙ୍କା ଗସ୍ତ କରିବା ପୂର୍ବରୁ କୋଚ୍ ରାହୁଲ ଦ୍ରାବିଡ ଯୁବ ଖେଳାଳିଙ୍କୁ ନେଇ ବଡ ବୟାନ ଦେଇଛନ୍ତି। ଦ୍ରାବିଡ କହିଛନ୍ତି, ଟି-୨୦ ବିଶ୍ଵ କପ୍‌କୁ ଦୃଷ୍ଟିରେ ରଖି ସମସ୍ତ ଖେଳାଳି ଭଲ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ। ଦଳର ବରିଷ୍ଠ ଖେଳାଳି ଏବେ ଇଂଲଣ୍ଡରେ ଅଛନ୍ତି। ଅନେକ ଯୁବ ଖେଳାଳିଙ୍କୁ ଶ୍ରୀଲଙ୍କା ଗସ୍ତ ପାଇଁ ଦଳରେ ସାମିଲ କରାଯାଇଛି। ଚଳିତ ବର୍ଷ ଟି-୨୦ ବିଶ୍ଵ କପ୍ ହେବାର ଅଛି। ତେଣୁ ଏହା ପୂର୍ବରୁ ଏହି ସିରିଜ୍ ଖେଳାଳିଙ୍କ ପାଇଁ ବହୁ ଗୁରୁତ୍ଵ ବହନ କରୁଛି।

ରାହୁଲ ଦ୍ରାବିଡ କହିଛନ୍ତି, ପୃଥ୍ଵୀ ସଙ୍କ ବ୍ୟତୀତ ଦେବଦତ୍ତ ପାଡିକଲ୍ ଓ ଋତୁରାଜ ଗାଏକଓ୍ଵାଡଙ୍କ  ପରି ଯୁବ ଖେଳାଳି ଭଲ ପ୍ରଦର୍ଶନ କରିବାକୁ ଉତ୍ସୁକ। ବିଶ୍ଵ କପ୍‌ ପାଇଁ ଖେଳାଳିଙ୍କ ଚୟନ ଚୟନକର୍ତ୍ତାଙ୍କ କାମ। ଯଦି ଆପଣ ଏହି ସ୍ତରରେ ଭଲ ପ୍ରଦର୍ଶନ କରିବେ ତେବେ ଚୟନକର୍ତ୍ତା ନିଶ୍ଚିତ ରୂପେ ଆପଣଙ୍କ ଉପରେ ଧ୍ୟାନ ଦେବେ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ କିନ୍ତୁ ଭିନ୍ନ ପ୍ରକାରର ଚାପ ରହିଥାଏ। ଦ୍ରାବିଡ କହିଛନ୍ତି, ଶ୍ରୀଲଙ୍କା ଗସ୍ତରେ ମୋଟ୍ ୬ଟି ମ୍ୟାଚ୍ ଖେଳାଯିବ। ତେଣୁ ସମସ୍ତ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ସମ୍ଭବ ନୁହେଁ।

ନିଜ କୋଚିଂ ଅଭିଜ୍ଞତାକୁ ନେଇ ଦ୍ରାବିଡ୍ କହିଛନ୍ତି, ଦଳରେ ଯୁବ ଏବଂ ଅନୁଭବୀ ଖେଳାଳିଙ୍କ ଭଲ ମିଶ୍ରଣ ରହିଛି। ଜଣେ କୋଚ୍ ଭାବେ ଏହା ତାଙ୍କ ପାଇଁ ରୋମାଞ୍ଚକର ସମୟ। ଏଥିରେ ସମସ୍ତଙ୍କୁ କିଛିନା କିଛି ଶିଖିବାକୁ ମିଳିଥାଏ। ଜଣେ ପ୍ରଶିକ୍ଷକ  ହିସାବରେ ଆପଣ ପ୍ରତିଟି ଅନୁଭବରୁ ଶିକ୍ଷାଲାଭ କରିଥାନ୍ତି। ଏହା ମୋ ପାଇଁ ଶିଖିବା ଏବଂ ଶିଖାଇବାର ସୁଯୋଗ ଆଣିଛି। ତେଣୁ ମୁଁ ଏହାକୁ ନେଇ ଉତ୍ସାହିତ ଥିବା ଦ୍ରାବିଡ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.