ଦ ଓ୍ଵାଲଙ୍କ ମହାନତା, କହିଲେ- ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆର ସଫଳତାର ଶ୍ରେୟ ମୋତେ ଅକାରଣରେ ଦିଆଯାଉଛି

Published By : Prameya-News7 Bureau | January 24, 2021 IST

ନୂଆଦିଲ୍ଲୀ ୨୪।୦୧: ଅଷ୍ଟ୍ରେଲିଆ ଗସ୍ତରେ ୨-୧ରେ ଟେଷ୍ଟ ସିରିଜ୍ ଜିତିଥିବା ଭାରତୀୟ ଦଳକୁ ସମସ୍ତେ ସଲାମ କରୁଛନ୍ତି। ଭାରତୀୟ ଦଳ ଅନେକ ପ୍ରମୁଖ ଖେଳାଳିଙ୍କ ବିନା ଅଷ୍ଟ୍ରେଲିଆକୁ ତାରି ମାଟିରେ ହରାଇ ବର୍ଡର-ଗାଭାସ୍କର ଟ୍ରଫି ଜିତିଛି। ଶୁବମାନ ଗିଲ୍, ଋଷଭ ପନ୍ତ, ଶାର୍ଦ୍ଦୁଳ ଠାକୁର, ଓ୍ଵାଶିଂଟନ ସୁନ୍ଦର ପରି ଯୁବ ଖେଳାଳି ଟେଷ୍ଟ ସିରିଜ୍ ଜିତାଇବାରେ ପ୍ରମୁଖ ଭୂମିକା ନିଭାଇଛନ୍ତି। ଦଳର ବିଜୟ ପରେ ପୂର୍ବତନ କ୍ରିକେଟ୍ ତଥା ଏନସିଏ ମୁଖ୍ୟ ରାହୁଲ ଦ୍ରାବିଡଙ୍କୁ ପ୍ରଶଂସକ ସାମାଜିକ ଗଣମାଧ୍ୟମରେ ସଲାମ କରୁଛନ୍ତି। କାରଣ ରାହୁଲ ହିଁ ଯୁବ ଖେଳାଳିଙ୍କୁ ଅନ୍ତରାଷ୍ଟ୍ରୀୟ  କ୍ରିକେଟ୍ ପାଇଁ ପ୍ରସ୍ତୁତ କରିଥିଲେ। ଏବେ ରାହୁଲ ନିଜକୁ ମିଳୁଥିବା ବିଜୟର ଶ୍ରେୟ ଉପରେ ମୁହଁ ଖୋଲିଛନ୍ତି।

ରାହୁଲ ଦ୍ରାବିଡ ନିଜର ମହାନତା ଦେଖାଇ କହିଛନ୍ତି, ଅଷ୍ଟ୍ରେଲିଆ ଦଳକୁ ମିଳିଥିବା ସଫଳତାର ଶ୍ରେୟ ତାଙ୍କୁ ଅକାରଣରେ ଦିଆଯାଉଛି। ରାହୁଲ ଦ୍ରାବିଡ ଇଣ୍ଡିଆନ ଏକ୍ସପ୍ରେସ୍‌ ସହ ଆଲୋଚନାରେ କହିଛନ୍ତି, ବିନା କାରଣରେ ମୋତେ ଶ୍ରେୟ ମିଳୁଛି। ଯୁବ ଖେଳାଳି ହିଁ ପ୍ରଶଂସାର ଯୋଗ୍ୟ। ରାହୁଲ ଦ୍ରାବିଡ ଶ୍ରେୟ ନେବାକୁ ମନା କରୁଥିଲେ ମଧ୍ୟ ଖୋଦ୍ ଋଷଭ ପନ୍ତ, ହନୁମା ବିହାରୀ, ଶୁବମାନ ଗିଲଙ୍କ ପରି ଖେଳାଳି ନିଜର ଏହି ସଫଳତା ପଛରେ ଦ୍ରାବିଡଙ୍କ ବଡ ହାଥ ଥିବା କହିଛନ୍ତି।

ପୂର୍ବତନ ଚୟନକର୍ତ୍ତା ଜତିନ ପରାଜମ୍ପେ ମଧ୍ୟ ଇଣ୍ଡିଆନ ଏକ୍ସପ୍ରେସ୍‌ ସହ ଆଲୋଚନାରେ କହିଛନ୍ତି, ବର୍ତ୍ତମାନ ଦଳର ଯୁବ ଖେଳାଳିଙ୍କ ସଫଳତାରେ ରାହୁଲ ଦ୍ରାବିଡଙ୍କ ବଡ ଭୂମିକା ରହିଛି। ସେ କହିଛନ୍ତି, ଦ୍ରାବିଡ ଯୁବ ଖେଳାଳିଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ ଟିପ୍ସ ଦେଇଥିଲେ ଯାହା ଖେଳାଳିଙ୍କ ସ୍ତରକୁ ବୃଦ୍ଧି କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.