କୁଲଦୀପ ଯାଦବଙ୍କୁ ଦଳରୁ ବାହାର କରିବା ଉପରେ ବଡ ବୟାନ ଦେଲେ ରାହୁଲ ଦ୍ରାବିଡ, କହିଲେ ଏହାର କାରଣ

Published By : Prameya-News7 Bureau | May 11, 2021 IST

ନୂଆଦିଲ୍ଲୀ ୧୧।୦୫: ଭାରତର ଇଂଲଣ୍ଡ ଗସ୍ତ ପାଇଁ ୨୦ ଜଣିଆ ଭାରତୀୟ ଦଳ ଘୋଷଣା ସରିଛି। ଏଥିରେ କୁଲଦୀପ ଯାଦବଙ୍କୁ ସ୍ଥାନ ମିଳିନାହିଁ। କୁଲଦୀପଙ୍କୁ ଦଳରୁ ବାହାର କରିବା ପ୍ରସଙ୍ଗରେ ଅନେକ କ୍ରିକେଟ୍ ବିଶେଷଜ୍ଞ ପ୍ରଶ୍ନ କରିଛନ୍ତି। କୁଲଦୀପଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ଖେଳିବାକୁ ସୁଯୋଗ ମିଳିନଥିଲା। ପୁଣି ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍‌ରେ ମାତ୍ର ଗୋଟିଏ ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ମିଳିଥିଲା। ଏହା ପରେ ଏବେ ତାଙ୍କୁ ଦଳରୁ  ବାଦ୍ ଦିଆଯାଇଛି।

କୁଲଦୀପଙ୍କୁ ଦଳରୁ ବାଦ୍ ଦେବା ପ୍ରସଙ୍ଗରେ ରାହୁଲ ଦ୍ରାବିଡ ନିଜର ପ୍ରତିକ୍ରିୟା ରଖିଛନ୍ତି। ରାହୁଲ ଦ୍ରାବିଡଙ୍କ ମତରେ  ଭାରତୀୟ ଦଳ ପ୍ରଥମରୁ ହିଁ ନିଜର ଚୂଡାନ୍ତ ଏକାଦଶ ସ୍ଥିର କରି ରଖିଛି। ତାକୁ ଦୃଷ୍ଟିରେ ରଖି ଚୟନକର୍ତ୍ତା ଇଂଲଣ୍ଡ ଗସ୍ତ ପାଇଁ ଖେଳାଳି ଚୟନ କରିଛନ୍ତି।

ଇଏସପିଏନ କ୍ରିକଇନଫୋରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରାହୁଲ ଦ୍ରାବିଡ କହିଛନ୍ତି ୨୦ ଜଣିଆ  ଭାରତୀୟ ଦଳରେ ସନ୍ତୁଳନ ଦେଖିବାକୁ ମିଳିଛି। କେବଳ ଜଣେ ଖେଳାଳିଙ୍କୁ ମେରିଟ୍ ଆଧାରରେ ଚୟନ କରାଯାଇ ପାରିଥାନ୍ତା, ସେ ହେଉଛନ୍ତି କୁଲଦୀପ ଯାଦବ। ମାତ୍ର ସେ କିଛିଟା ପଛରେ ରହିଗଲେ। ଅନ୍ୟପଟେ ଗତ କିଛି ଦିନ ସମୟ ହେବ ଅକ୍ଷର ପଟେଲ୍, ରବୀନ୍ଦ୍ର  ଜାଡେଜା ଓ ଓ୍ଵାଶିଂଟନ ସୁନ୍ଦର ଯେଉଁଭଳି  ପ୍ରଦର୍ଶନ କରିଛନ୍ତି, ସେଥିରେ କୁଲଦୀପଙ୍କ ପାଇଁ ସ୍ଥାନ ବଜାୟ ରଖିବା ମୁସ୍କିଲ ହୋଇ ପଡିଛି।

ଅକ୍ଷର ପଟେଲ୍ ଓ ଓ୍ଵାଶିଂଟନ ସୁନ୍ଦର ଦଳର ଭବିଷ୍ୟତ !

ସୂଚନାଯୋଗ୍ୟ, ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ୍‌ରେ ଜାଡେଜାଙ୍କ ଅନୁପସ୍ଥିତିରେ ଅକ୍ଷର ପଟେଲ୍ ୩ଟି ମ୍ୟାଚ୍‌ରୁ ୨୭ ଓ୍ଵିକେଟ୍ ନେଇଥିଲେ। ଦ୍ରାବିଡଙ୍କ ମତରେ ସୁନ୍ଦରଙ୍କ ପାଖରେ ବ୍ୟାଟିଂ କରିବାର କ୍ଷମତା ରହିଛି। ସୁନ୍ଦର ଓ ଅକ୍ଷର ପଟେଲ୍ ଗୋଟିଏ ପ୍ରକାରରେ ଅଶ୍ଵିନ ଓ ଜାଡେଜାଙ୍କ ବିକଳ୍ପ ଭାବେ ସାମ୍ନାକୁ ଆସିଛନ୍ତି।  ଭାରତ ନିକଟରେ ଯେଉଁ ଚାରି ଜଣ ସ୍ପିନର ଅଛନ୍ତି, ସେମାନେ ବ୍ୟାଟିଂ ମଧ୍ୟ କରି ପାରିବେ, ଯାହା କୁଲଦୀପ କରି ପାରିବେ ନାହିଁ। ଉଲ୍ଲେଖନୀୟ ଭାରତୀୟ ଦଳକୁ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ୍ ପରେ ଘରୋଇ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଖେଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.