ରାହୁଲ ଗାନ୍ଧୀଙ୍କ ବିବାଦୀୟ ଟ୍ୱିଟ : ଚୀନକୁ ଡରିଗଲେ ମୋଦି

Published By : Prameya-News7 Bureau | March 14, 2019 IST

ଦିଲ୍ଲୀ ୧୪/୩ : ମାସୁଦ ଆଝାର ମାମଲାରେ ଭାରତ ବିରୋଧରେ ଚୀନର ମନୋଭାବକୁ ନେଇ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ | ଏନେଇ ରାହୁଲ ଏକ ବିବାଦୀୟ ଟ୍ୱିଟ କରିଛନ୍ତି | ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଚୀନ ରାଷ୍ଟ୍ରପତି ଜୀ ଜୀନଫିଙ୍ଗଙ୍କୁ ଡରିଗଲେ | ଭାରତ ବିରୋଧରେ ଚୀନର ମନୋଭାବକୁ ନେଇ ମୋଦି ପଦେ ବି ପ୍ରତିକ୍ରୀୟା ପ୍ରକାଶ କରିନାହାନ୍ତି | ସେ ଆକ୍ଷେପ କରିଛନ୍ତି, ମୋଦିଙ୍କ ଚୀନ କୂଟନୀତି ହେଉଛି- ଗୁଜରାଟରେ ଚୀନ ରାଷ୍ଟ୍ରପତିଙ୍କ ସହ ଦୋଳି ଝୁଲିବା, ଦିଲ୍ଲୀରେ ଆଲିଙ୍ଗନ, କେବଳ ଚୀନରେ ଆଂଠେଇବାକୁ ବାକି ରହିଲା |


ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାର ଭାରତର ପ୍ରୟାସ ବିଫଳ ହୋଇଛି | ଚୀନ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ମାସୁଦକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପ୍ରସ୍ତାବ ଉପରେ ରୋକ ଲାଗିଛି | ଜାତିସଂଘର ସୁରକ୍ଷା ପରିଷଦର '୧୨୬୭ ଅଲ କାଇଦା ସେକ୍ସନ କମିଟି' ହିସାବରେ ମାସୁଦକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ପ୍ରସ୍ତାବ ଫେବୃଆରୀ ୨୭ ତାରିଖରେ ଆମେରିକା, ଫ୍ରାନ୍ସ ଏବଂ ବ୍ରିଟେନ ଦେଇଥିଲା | କମିଟି ସଦସ୍ୟଙ୍କ ପାଖରେ ଏହି ପ୍ରସ୍ତାବ ଉପରେ ଆପତ୍ତି କରିବା ପାଇଁ ୧୦ ଦିନ ସମୟ ଦିଆଯାଇଥିଲା | ବୁଧବାର ଦିନ ୩ଟା ବେଳେ ଏହି ଅବଧି ଶେଷ ହୋଇଥିଲା |


ଜାତିସଂଘର ଜଣେ ସଦସ୍ୟ କହିଛନ୍ତି ଯେ, ଅବଧି ଶେଷ ହେବାର ଠିକ ପୂର୍ବରୁ ଚୀନ ଏହି ପ୍ରସ୍ତାବ ଉପରେ କୌଶଳକ୍ରମେ ରୋକ ଲଗାଇଥିଲା | ମାମଲାର ଯାଞ୍ଚ କରିବା ପାଇଁ ଚୀନ ଆହୁରି ସମୟ ମାଗିଛି | ଏହି କୌଶଳ ୬ ମାସ ପାଇଁ ବୈଧ ଏବଂ ଏହି ଅବଧିକୁ ୩ମାସ ବଢ଼ାଇ ଦିଆଯାଇପାରେ |


ମାମଲାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ନିରାଶ ହୋଇଥିଲା | କିନ୍ତୁ ଉପଲବ୍ଧ ବିକଳ୍ପ ଉପରେ କାମ କରିବେ ବୋଲି କହିଥିଲେ | ଭାରତୀୟ ନାଗରିକଙ୍କ ଉପରେ ହୋଇଥିବା ହମଲାରେ ସାମିଲ ଥିବା ଆତଙ୍କବାଦୀଙ୍କୁ ନ୍ୟାୟ ଏବଂ କଠୋର ଦଣ୍ଡ ମିଳିବ ନେଇ ସେ ଉଦ୍ୟମ କରିବେ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରାଳୟ | ପ୍ରସ୍ତାବ ଆଣିଥିବା ସଦସ୍ୟ ରାଷ୍ଟ୍ରକୁ ଧନ୍ୟବାଦ ଜଣାଇଛି ଭାରତ |


ଗତ ୧୦ ବର୍ଷ ଭିତରେ ମାସୁଦକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପ୍ରସ୍ତାବ ଦିଆଯାଇଛି | ଚତୁର୍ଥ ଥର ପାଇଁ ଏହି ପ୍ରସ୍ତାବ ଦିଆଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.