ରାଫେଲ ଲାଗି IAFକୁ ବଧେଇ ଜଣେଇଲେ ରାହୁଲ, ପୁଣି ଦୋହରାଇଲେ ପୁରୁଣା ଅଭିଯୋଗ

Published By : Prameya-News7 Bureau | July 29, 2020 IST

ନୂଆଦିଲ୍ଲୀ ୨୯।୭ : ଭାରତକୁ ରାଫେଲ ବିମାନର ପ୍ରଥମ ଅର୍ଡର ମିଳିସାରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତକୁ ୫ଟି ରାଫେଲ ବିମାନ ମିଳିଛି। ରାଫେଲ ବିମାନ ଲାଗି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଭାରତୀୟ ବାୟୁସେନାକୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ଭାରତ ସରକାରଙ୍କୁ ଏଥିଲାଗି ପ୍ରଶ୍ନ କରିଛନ୍ତି। ଏ ନେଇ ରାହୁଲ ତାଙ୍କ ଟ୍ୟୁଟର ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିବା ବେଳେ ୫୨୬ କୋଟି ଟଙ୍କାର ବିମାନକୁ ୧୬ଶହ ୭୦ କୋଟିଟଙ୍କାରେ କାହିଁକି କିଣାଗଲା ବୋଲି ପୁରୁଣା ପ୍ରଶ୍ନ ଦୋହରାଇଛନ୍ତି।

କେବଳ ସେତିକି ନୁହେଁ ଭାରତକୁ ୧୨୬ଟି  ରାଫେଲର ଆବଶ୍ୟକତା ଥିବା ବେଳେ ୩୬ଟି ବିମାନ କାହିଁକି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। ସେହିପରି ଭାରତରେ ବାୟୁସେନା ଲାଗି ବିମାନ କିଣା ନିମନ୍ତେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ(ଏଚଏଏଲ) ଥିବା ବେଳେ  ଦେବାଳିଆ ଅନିଲକୁ କଣ୍ଟ୍ରାକ୍ଟ ଦେଇ କାହିଁକି ୩୦ ହଜାର କୋଟି ଟଙ୍କା ଦିଆଯାଉଛି ବୋଲି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ଭାରତ ସରକାର ମେକ୍‌ ଇଣ୍ଡିଆର କଥା କହୁଛନ୍ତି ହେଲେ ଆମଦାନୀ କରୁଛନ୍ତି ମେଡ-ଇନ ଫ୍ରାନ୍ସ। ଏହା ଛଡା ବିମାନ ଯଦି କିଣିବାର ଥିଲା ତେବେ ଏତେ ବିଳମ୍ବ ହେଲା କାହିଁକି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। କେବଳ ରାହୁଲ ନୁହନ୍ତି ତାଙ୍କ ପୂର୍ବରୁ ପାର୍ଟି ମୁଖପାତ୍ର ରଣଦୀପ ସୂରଜେୱାଲା ମଧ୍ୟ ଟ୍ୱିଟରରେ ରାଫେଲକୁ ଭାରତରେ ସ୍ୱାଗତ କରିବା ସହ ବିମାନ କିଣା ନେଇ ମଧ୍ୟ ପ୍ରଶ୍ନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.