ଟେଷ୍ଟ ଅଧିନାୟକ କାହାକୁ କରାଯିବା ଉଚିତ୍, ତାଙ୍କୁ ନା କୋହଲିଙ୍କୁ ? ଉତ୍ତରରେ ଏହା କହିଲେ ଆଜିଙ୍କ୍ୟ ରାହାଣେ

Published By : Prameya-News7 Bureau | January 24, 2021 IST

ନୂଆଦିଲ୍ଲୀ ୨୪।୦୧: ଅଷ୍ଟ୍ରେଲିଆରେ ଭାରତୀୟ ଦଳକୁ ୨-୧ରେ ଟେଷ୍ଟ ସିରିଜ୍ ଜିତାଇଥିବା ଆଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ଵକୁ ସବୁ ସ୍ତରରେ ପ୍ରଶଂସା କରାଯାଉଛି। ଆଡିଲେଡ୍‌ରେ ଖେଳା ଯାଇଥିବା ଦ୍ଵିତୀୟ ଟେଷ୍ଟରେ ଭାରତ ୩୬ ରନରେ ଅଲଆଉଟ୍ ହୋଇ ଶୋଚନୀୟ ପରାଜୟ ଭୋଗିବା ପରେ ଦଳ ମେଲବୋର୍ଣ୍ଣ ଟେଷ୍ଟ  ଜିତି ସିରିଜ୍‌କୁ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲା। ଏହା ପରେ ଯାହା ଘଟିଲା ତାହା ଇତିହାସରେ ଲିପିବଦ୍ଧ ହୋଇ ଯାଇଛି।

ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍  ମଝିରେ ପିତୃତ୍ଵ ଅବକାଶରେ ସ୍ଵଦେଶ ଫେରି ଆସିଥିଲେ। ମାତ୍ର କୋହଲିଙ୍କ ସ୍ଥାନରେ ଅଧିନାୟକ ହୋଇଥିବା ଆଜିଙ୍କ୍ୟ ରାହାଣେ ଅଷ୍ଟ୍ରେଲିଆର ମାଇଣ୍ଡ ଗେମ୍‌କୁ ପାର କରି ଦଳକୁ ପୁଣି ଥରେ ଛିଡା କରାଇଥିଲେ। ଦଳ ରାହାଣେଙ୍କ ନେତୃତ୍ଵରେ ମେଲବୋର୍ଣ୍ଣରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା। ଉକ୍ତ ଟେଷ୍ଟରେ ରାହାଣେ ଦମଦାର ଶତକ ଅର୍ଜନ କରି କଙ୍ଗାରୁକୁ ୮ ଓ୍ଵିକେଟ୍‌ରେ ପରାସ୍ତ କରିଥିଲେ।

{"id":397695,"sizeSlug":"large","linkDestination":"none"}

ଭାରତ ଓ ବିଦେଶର ଅନେକ ପୂର୍ବତନ କ୍ରିକେଟ୍‌ର ଆଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ଵକୁ ପ୍ରଶଂସା କରିବା ସହିତ ବିରାଟଙ୍କ ସ୍ଥାନରେ ତାଙ୍କୁ ସ୍ଥାୟୀ ଭାବେ ଟେଷ୍ଟ ଦଳର ଅଧିନାୟକ କରିବାକୁ ଦାବି କରିଛନ୍ତି। ହେଲେ ରାହାଣେଙ୍କ ରାୟ ସଂପୂର୍ଣ୍ଣ ଓଲଟା ରହିଛି। ରାହାଣେଙ୍କ ମତରେ ଅଧିନାୟକତ୍ଵ ନେଇ ତାଙ୍କର ଏବଂ କୋହଲିଙ୍କ ମଧ୍ୟରେ କୌଣସି ପ୍ରତିଦ୍ଵନ୍ଦ୍ଵିତା ନାହିଁ।

ରାହାଣେ କହିଛନ୍ତି, ଟେଷ୍ଟରେ ଅଧିନାୟକତ୍ଵ ନେଇ ମୋର ଏବଂ ବିରାଟ କୋହଲିଙ୍କ ମଧ୍ୟରେ କୌଣସି ମୁକାବିଲା ନାହିଁ। ଯେବେ ବିରାଟ ଦଳର ନେତୃତ୍ଵ ନିଅନ୍ତି, ତାଙ୍କର ଗୋଟିଏ ଉଦ୍ଦେଶ୍ୟ ଥାଏ ଦଳକୁ କିପରି ମ୍ୟାଚ୍ ଜିତାଇବା। ଯେବେ ମୁଁ ଅଧିନାୟକ ହେଲି ତେବେ ମୁଁ ମଧ୍ୟ ସେମିତି କଲି ଯାହା କୋହଲି ଅଧିନାୟକ ହିସାବରେ କରନ୍ତି।

{"id":397696,"sizeSlug":"large","linkDestination":"none"}

ଆଜିଙ୍କ୍ୟ ରାହାଣେ କହିଛନ୍ତି, ଆମେ ଦୁଇ ଜଣ କେବଳ ଦଳକୁ ବିଜୟୀ କରାଇବାକୁ ଚାହୁଁ। ସେ ଅଧିନାୟକ ଯିଏ ହେଉ ନା କାହିଁକି। ଏମିତିରେ ଅଧିନାୟକ ନେଇ ଆମ ଦୁହିଁଙ୍କ ମଧ୍ୟରେ କୌଣସି ପ୍ରତିଯୋଗିତା ନାହିଁ। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ କୋହଲି ପୁଣି ଥରେ ଦଳର ମଙ୍ଗ ସମ୍ଭାଳିବେ ଏବଂ ମୁଁ ଉପ ଅଧିନାୟକ ଦାୟିତ୍ଵ ତୁଲାଇବି। ଏହି ପରି ସମସ୍ତେ ଚାହାନ୍ତି ଯେ ଭାରତୀୟ ଦଳକୁ ବିଜୟ ମିଳୁ, ସେ ଅଧିନାୟକ ଯିଏ ହୁଅନ୍ତୁ ନା କାହିଁକି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.