ଅଜିଙ୍କ୍ୟ ରାହାଣେଙ୍କୁ ନିଜ ସହରରେ ଭବ୍ୟ ସ୍ବାଗତ : ଭାରତର ଐତିହାସିକ ବିଜୟ ପରେ ଢୋଲ-ବ୍ୟାଣ୍ଡ୍ ବଜାଇ ଓ୍ବେଲକମ୍ କଲେ ପ୍ରଶଂସକ

Published By : Prameya-News7 Bureau | January 21, 2021 IST

ମୁମ୍ବାଇ ୨୧/୦୧ : ଅଷ୍ଟ୍ରେଲିଆରେ ଅଧିନାୟକ ଭାବେ ଭାରତକୁ ଐତିହାସିକ ବିଜୟ ଭେଟି ଦେବା ପରେ ଗୁରୁବାର ମାଟୁଙ୍ଗା ସ୍ଥିତ ନିଜ ବାସଭବନରେ ପହଞ୍ଚିଥିଲେ ଅଜିଙ୍କ୍ୟ ରାହାଣେ । ଘରେ ପହଞ୍ଚିବା ପରେ ରାହାଣେଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସେ ରହୁଥିବା ସୋସାଇଟିର ଲୋକମାନେ ରେଡ୍‌କାରପେଟ୍‌ ପକାଇ ନିଆରା ଢଙ୍ଗରେ ରାହାଣେଙ୍କ ସ୍ବାଗତ କରିଥିଲେ । ରାହାଣେ ପହଞ୍ଚିବା ପରେ ତାଙ୍କୁ ପାଛୋଟି ନେଇଥିଲେ ଅନ୍ତେବାସୀ ।

ଏହା ଛଡା ସୋସାଇଟି ବିଲଡିଂର ଏକ ଖୁମ୍ବରେ ରାହାଣେଙ୍କର ଏକ ସ୍ବତନ୍ତ୍ର ପୋଷ୍ଟର ଲଗାଯାଇଥିଲା । ଯେଉଁଥିରେ ଲେଖାଯାଇଥିଲା, ‘କଂଗ୍ରାଚସ୍ ଟୁ ଓଭର ପରସିଷ୍ଟେଣ୍ଟ୍ ପିଲର’ । ଅନେକ ସଂଖ୍ୟାରେ ପ୍ରଶଂସକ ରାହାଣେଙ୍କ ଘର ସାମ୍ନାରେ ଉପସ୍ଥିତ ଥିଲେ ଏବଂ ରାହାଣେଙ୍କୁ ଫୁଲ ବର୍ଷା କରୁଥିଲେ । ଏହା ସହ ପ୍ରଶଂସକମାନେ, ‘ଆଲା ରେ ଆଲା ଅଜିଙ୍କ୍ୟ ଆଲା’ ନାରାରେ ପୁରା ଅଞ୍ଚଳକୁ ପ୍ରକମ୍ପିତ କରୁଥିଲେ । ରାହାଣେଙ୍କ ସହ ପତ୍ନୀ ରାଧିକା ଧୁପାଓ୍ବକର ଏବଂ ଝିଅ ଆର୍ଯ୍ୟା ମଧ୍ୟ ସେଠାରେ ଉପସ୍ଥିତ ଥିଲେ ।

ରାହାଣେଙ୍କ ବ୍ୟତିତ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ, ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା, ସାର୍ଦୁଳ ଠାକୁର, ପୃଥ୍ବୀ ସ ମଧ୍ୟ ଗୁରୁବାର ମୁମ୍ବାଇ ପହଞ୍ଚିଛନ୍ତି । ବ୍ରିସବେନ୍‌ ଟେଷ୍ଟ୍‌ର ହିରୋ ଋଷଭ ପନ୍ତ ମଧ୍ୟ ଗୁରୁବାର ଦିଲ୍ଲୀରେ ପହଞ୍ଚିଛନ୍ତି ।

ଅଷ୍ଟ୍ରେଲିଆରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍ ସିରିଜକୁ ୨-୧ରେ ଜିତିନେଇଥିଲା ଭାରତ । ଏବେ ଭାରତୀୟ ଦଳ ଇଂଲଣ୍ଡ ସହିତ ଘରୋଇ ମାଟିରେ ଲମ୍ବା ସିରିଜ୍‌ ଖେଳିବାକୁ ପ୍ରସ୍ତୁତ ହେବ । ଯେଉଁଥିରେ ୪ଟି ଟେଷ୍ଟ୍, ୫ଟି ଦିନିକିଆ ଏବଂ ୩ଟି ଟି-ଟ୍ବେଣ୍ଟି ମ୍ୟାଚ୍‌ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.