ବିରାଟ କୋହଲିଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଲେ ଆଜିଙ୍କ୍ୟ ରାହାଣେ ଓ ଚେତେଶ୍ଵର ପୂଜାରା, ଜୟ ଶାହାଙ୍କଠାରେ କଲେ ଅଭିଯୋଗ

Published By : Prameya-News7 Bureau | September 29, 2021 IST

ନୂଆଦିଲ୍ଲୀ ୨୯।୦୮:  ଭାରତୀୟ ଦଳରେ ଅଧିନାୟକ ବିରାଟ କୋହଲିଙ୍କ ଆଭିମୁଖ୍ୟକୁ ନେଇ ଅସନ୍ତୁଷ୍ଟ ବରିଷ୍ଠ ଖେଳାଳି। ତାଙ୍କର ନେତୃତ୍ଵ ଶୈଳୀକୁ ପସନ୍ଦ କରନ୍ତି ନାହିଁ ଦଳର କିଛି ଦିଗ୍‌ଜ ଖେଳାଳି। ଚଳିତ ବର୍ଷ ନ୍ୟୁଜିଲାଣ୍ଡ ହାତରୁ ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ମ୍ୟାଚ୍ ହାରିବା ଭାରତୀୟ ଦଳ ଏବଂ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହୋଇଛି। ଏହା ମଧ୍ୟରେ ହୋଇଛି ବଡ ଖଲାସା। ଦଳରେ ଅତି କମରେ ଦୁଇ ଜଣ ବରିଷ୍ଠ ବ୍ୟାଟସମ୍ୟାନ ଅଧିନାୟକତ୍ଵ ଉପରେ କୋହଲିଙ୍କ ବିଷୟରେ ନିଜର କଥା  ବିସିସିଆଇ ସଂପାଦକ ଜୟ ଶାହାଙ୍କ ସାମ୍ନାରେ ରଖିଥିଲେ। ଆଜିଙ୍କ୍ୟ ରାହାଣେ ଓ ଚେତେଶ୍ଵର ପୂଜାରା କୋହଲିଙ୍କ  ନେତୃତ୍ଵ ଉପରେ ଆପତ୍ତି ପ୍ରକାଶ କରିଥିଲେ। ଖରାପ ପ୍ରଦର୍ଶନ କାରଣରୁ ଦୁଇ ବ୍ୟାଟସମ୍ୟାନଙ୍କୁ ସମାଲୋଚନା ହେବାକୁ ପଡିଥିଲା।

ପୂଜାରା ପ୍ରଥମ ଇନିଂସରେ ୫୪ ବଲ୍‌ରୁ ୮ ରନ ଏବଂ ୮୦ ବଲ୍‌ରୁ ୧୫ ରନ କରିଥିଲେ। ରାହାଣେ ପ୍ରଥମ ଇନିଂସରେ ୧୧୭ ବଲ୍‌ରେ ୪୯ ରନ ଏବଂ ଦ୍ଵିତୀୟ ଇନିଂସରେ ୪୦ ବଲ୍‌ରୁ ୧୫ ରନ କରିଥିଲେ। ପରାଜୟ ପରେ କୋହଲି  ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ରନ କରିବାର ମାନସିକତା ଦେଖାଇବା ଉଚିତ୍। ଆପଣ ଆଉଟ୍ ହେବା ନେଇ ଅଧିକ ଚିନ୍ତିତ ହେବା ଆବଶ୍ୟକତା ନାହିଁ। ଅଧିକ ରକ୍ଷାତ୍ମକ ହେଲେ ଆପଣ ବୋଲରଙ୍କ ପାଇଁ ଅନୁକୂଳ ମାହୋଲ ସୃଷ୍ଟି କରୁଛନ୍ତି।

ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍‌ର ଏକ ରିପୋର୍ଟ ଅନୁଯାୟୀ, ପୂଜାରା ଓ ରାହାଣେ କୋହଲିଙ୍କ ଅଧିନାୟକତ୍ଵ ଉପରେ ଆଲୋଚନା କରିବାକୁ ଶାହାଙ୍କୁ ଫୋନ କରିଥିଲେ ଏବଂ ଏହା ପରେ ବିସିସିଆଇ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ନିଷ୍ପତ୍ତି ନେଇଥିଲା। ଦୁଇ ବରିଷ୍ଠ ଖେଳାଳିଙ୍କ କଲ୍ ପରେ ବିସିସିଆଇ ଅନ୍ୟ ଖେଳାଳିଙ୍କ ପ୍ରତିକ୍ରିୟା ମାଗିଥିଲା। ଦଳର ଇଂଲଣ୍ଡ ଗସ୍ତ ସଂପନ୍ନ ପରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ହୋଇଥିଲା। ଚଳିତ ବର୍ଷ ଶେଷ ଆଡକୁ ଟି-୨୦ ବିଶ୍ଵ କପରେ ପରେ କୋହଲି ଟି-୨୦ ଫର୍ମାଟରୁ ଅଧିନାୟକ ପଦ ଛାଡିବା ଏହି ଘଟଣାକୁ ଏହା ସହ ଯୋଡି ଦେଖାଯାଉଛି।

ଏହା ମଧ୍ୟ ଅନୁମାନ କରାଯାଉଛି ଯେ, ବିଶ୍ଵ କପ୍ ପରେ କୋହଲିଙ୍କ ଦିନିକିଆ ଅଧିନାୟକତ୍ଵ ଉପରେ ମଧ୍ୟ ନିଷ୍ପତ୍ତି ନିଆଯିବ। କୋହଲି ଏହା ମଧ୍ୟ ଘୋଷଣା କରି ସାରିଛନ୍ତି ଯେ, ଆଇପିଏଲର ଚଳିତ ସିଜିନ ପରେ ସେ ରୟାଲ  ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ପଦ ଛାଡି ଦେବେ।

ଏହା ପୂର୍ବରୁ ଆର ଅଶ୍ଵିନ ମଧ୍ୟ କୋହଲିଙ୍କ ଆଭିମୁଖ୍ୟ ଉପରେ ଖୁସିନଥିଲେ। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଅଶ୍ଵିନଙ୍କୁ ଗୋଟିଏ ହେଲେ ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ମିଳିନଥିଲା। କୋହଲି ଚତୁର୍ଥ ଟେଷ୍ଟରେ ଅଶ୍ଵିନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯିବା ରବି ଶାସ୍ତ୍ରୀଙ୍କ ପରାମର୍ଶକୁ ମଧ୍ୟ ଅଣଦେଖା କରିଥିଲେ । ପୁଣି ଟି-୨୦ ବିଶ୍ଵ କପ୍ ପାଇଁ ଦଳର ବରିଷ୍ଠ ସ୍ପିନର ଅଶ୍ଵିନଙ୍କୁ ଚୟନ କରାଯିବା ନେଇ କୋହଲି ଚୟନକର୍ତ୍ତାଙ୍କ ଏହି ନିଷ୍ପତ୍ତିରେ ଖୁସିନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.