ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କୁ ନୋଟିସ୍ ପଠାଇଲା କ୍ରାଇମ୍ ବ୍ରାଞ୍ଚ : ଡ୍ରଗ୍ ରାକେଟ୍ ମାମଲାରେ ହେବ ପଚରାଉଚରା
3/09/2020 at 12:46 PM

ନୂଆଦିଲ୍ଲୀ ୩/୯: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ କିଛି ଦିନ ତଳେ ବେଙ୍ଗାଲୁରୁରେ ଏକ ବଡ଼ ଡ୍ରଗ୍ ଟ୍ରାଫିକିଙ୍ଗ୍ ରାକେଟର ପର୍ଦ୍ଦାଫାଶ କରିଥିଲା। ପୋଲିସକୁ ଏହି ସମୟରେ ମୁଖ୍ୟ ଅଭିଯୁକ୍ତଙ୍କ ଏକ ଡାଏରୀ ମିଳିଥିଲା ଯେଉଁଥିରେ ୧୫ଜଣ ସେଲିବ୍ରିଟିଙ୍କ ନାଁ ଲେଖା ହୋଇଥିଲା। ଏଥିରେ କର୍ଣ୍ଣାଟକର ମ୍ୟୁଜିସିୟାନ,କଳାକାର,ମଡେଲ୍ ଏବଂ ରିୟଲିଟି ଟିଭି ଅଭିନେତା ସାମିଲ ଥିଲେ।

ଏବେ ଏହି ମାମଲାରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରାଗିଣୀ ଦ୍ବିବେଦୀଙ୍କୁ କ୍ରାଇମ୍ ବ୍ରାଞ୍ଚ ନୋଟିସ୍ ପଠାଇଛି। ତାଙ୍କୁ ଡ୍ରଗ୍ ରାକେଟ ମାମଲାରେ ପଚରାଉଚୁରା ହୋଇପାରେ। ଅଗଷ୍ଟ ୨୧ତାରିଖରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଅଧିକାରୀ ୩ଟି ସ୍ଥାନରେ ଚଢ଼ାଉ କରିଛି ଏବଂ ୩ଟି ଡ୍ରଗ୍ ଡିଲରଙ୍କୁ ଗିରଫ କରିଛି। ଏନସିବି ବେଙ୍ଗାଲୁରୁର କଲ୍ୟାଣ ନଗରରେ ଏକ ଡ୍ରଗ୍ ପେଡଲରର ଘରେ ଚଢ଼ାଉ କରିଥିଲା ଏବଂ ୧୪୫ ଏମଡିର ଗୁଳି ଏବଂ ୨,୨୫,୦୦୦ କ୍ୟାସ୍ ଜବତ କରିଥିଲା।

ଆଉ ଥରେ ଚଢ଼ାଉରେ ବେଙ୍ଗାଲୁରୁର ନିକୁ ହୋମ୍ସରେ ଏମଡିଏମଏର ୯୬ ଗୁଳି ଏବଂ ୧୮୦ ଏଲଏସଡି ବ୍ଲଟସ୍ ଜବତ କରାଯାଇଥିଲା। ଏହା ବ୍ୟତୀତ ଡୋଡ୍ଡାଗୁବ୍ବି ସ୍ଥିତ ଅନିକାଙ୍କ ଘରୁ ଏମଡିଏମଏର ୨୭୦ଗୁଳି ଜବତ କରାଯାଇଥିଲା। ଚଢ଼ାଉ ସମୟରେ ଏନସିବି ୩ଜଣଙ୍କୁ ଗିରଫ କରିଛି ଯେଉଁଥିରେ ଅନିକା ଡି ଏବଂ ଅନ୍ୟ ୨ଜଣ ସହଯୋଗୀ ଅନୂପ ଏବଂ ରବୀନ୍ଦ୍ରନ୍ ଅଛନ୍ତି। ଅନିକା ଡିଙ୍କୁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କରାଯାଇଛି।
