୩୨ ବର୍ଷର ସମ୍ପର୍କ ୩୨ ଶବ୍ଦରେ ତୁଟିଲା, ଆରଜେଡି ନେତା ରଘୁବଂଶ ସିଂହ ଦଳରୁ ଦେଲେ ଇସ୍ତଫା
10/09/2020 at 1:48 PM

ବିହାର ୧୦/୦୯: ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡିକୁ ବଡ଼ ଝଟକା ଲାଗିଛି। ଦଳର ରାଷ୍ର୍ଟର୍ର୍ୟ ଉପାଧ୍ୟକ୍ଷ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଏବେ ହସପିଟାଲରେ ଭର୍ତି ଅଛନ୍ତି ଓ ସେଠାରୁ ସିଂହ କାଗଜରେ ଇସ୍ତଫା ଲେଖି ପଠାଇଛନ୍ତି। ଇସ୍ତଫାରେ ସେ ୩୮ ଶବ୍ଦର ସନ୍ଦେଶ ସହିତ ଆରଜେଡିରେ ୩୨ ବର୍ଷ ପୁରୁଣା ସମ୍ବନ୍ଧ ଭାଙ୍ଗି ଥିବା କହିଛନ୍ତି। ଆରଜେଡ଼ି ଅଧ୍ୟକ୍ଷ ଲାଲୁପ୍ରସାଦଙ୍କୁ ସମ୍ବୋଧନ କରି ଲେଖିଛନ୍ତି ଯେ ‘ଜନନାୟକ କପୂର୍ରୀ ଠାକୁରଙ୍କ ପରେ ୩୨ ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ପଛରେ ଛିଡା ହେଲି ମାତ୍ର ଏଣିକି ଆଉ ନୁହେଁ। ଦଳ, ନେତା, କର୍ମକର୍ତା ଓ ସାଧାରଣ ଜନତା ଖୁବ୍ ସ୍ନେହ ଦେଲେ, ମାତ୍ର ମୋତେ କ୍ଷମା କରିବେ।’

ସୂଚନାଯୋଗ୍ୟ ଆରଜେଡିରେ ରାମା ସିଂହଙ୍କ ଏଂଟ୍ରି ଖବର ଯୋଗୁ ରାଗରେ ଥିଲେ ଓ ସେ ଏହାକୁ ତୀବ୍ର ବିରୋଧ ମଧ୍ୟ କରିଥିଲେ। ଏହି କାରଣ ଯୋଗୁ ତାଙ୍କୁ ଆରଜେଡିରେ ସ୍ଥାନ ମିଳି ନ ଥିବା କୁହାଯାଉଛି। ତେବେ ତାଙ୍କ ଇସ୍ତଫାକୁ ସ୍ବୀକାର କରି ନାହାନ୍ତି ଲାଲୁ ପ୍ରସାଦ ଯାଦବ। ରଘୁଙ୍କୁ ଏବେ ବି ବୁଝାଇବା ପାଇଁ ଚେଷ୍ଟା ଚାଲିଛି। ଇସ୍ତଫା ଫେରାଇବେ ନାହିଁ ବୋଲି ମଧ୍ୟ ସେ କହିଛନ୍ତି। ଏବେ ଯଦିଓ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସୁଧାର ଅଛି ତଥାପି ବିଭିନ୍ନ ପରୀକ୍ଷା ଚାଲିଛି। ସେ ଜୁନରେ କରୋନାରେ ସଂକ୍ରମିତ ହୋଇଥିଲେ। ସଂକ୍ରମଣ ପରେ ତାଙ୍କର ଚିକିତ୍ସା ପାଟଣା ଏମ୍ସରେ ଚାଲିଥିଲା। ସେଥିରୁ ସେ ସୁସ୍ଥ ହେବା ପରେ ନିମୋନିଆରେ ପୀଡ଼ିତ ହେଲେ। ଯେଉଁଥିପାଇଁ ସେ ଦିଳ୍ଳୀ ଏମ୍ସରେ ଏବେ ଚିକିତ୍ସିତ ହେଉଛନ୍ତି।