ମୋଦୀ ସରକାରଙ୍କୁ ଚେତାଇଲେ ରଘୁରାମ ରାଜନ: କହିଲେ- ଜିଡିପି ହ୍ରାସ ଚିନ୍ତାଜନକ, ଏବେଠୁ ପଦକ୍ଷେପ ନନେଲେ ବରବାଦ ହୋଇଯିବ ଦେଶର ଅର୍ଥବ୍ୟବସ୍ଥା

Published By : Prameya-News7 Bureau | September 07, 2020 IST

ନୂଆଦିଲ୍ଲୀ ୦୭।୦୯: କରୋନା କାରଣରୁ ଦେଶର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ଯାହାକୁ ନେଇ ପୂରା ଦେଶ ଚିନ୍ତିତ। ଏହି ଆର୍ଥିକ ସଙ୍କଟ ମଧ୍ୟରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଚେତାବନୀ ଦେଇ ମୋଦୀ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଯେ ଯଦି ସ୍ଥିତିକୁ ଏବେଠୁ ନସମ୍ଭାଳା ଯାଏ ତେବେ ଭାରତୀୟ ଅର୍ଥବ୍ୟବସ୍ଥା ଆହୁରି ନିମ୍ନଗାମୀ ହୋଇପାରେ। ରଘୁରାମ ରାଜନ କହିଛନ୍ତି ଆର୍ଥିକ ବର୍ଷ ୨୦୨୦-୨୧ ପ୍ରଥମ ତ୍ରୈମାସର ଜିଡିପି ତଥ୍ୟ ଆଲାରାମ। ତେଣୁ ସମସ୍ତଙ୍କୁ ଆଲର୍ଟ ହେବା ଉଚିତ୍।

ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଏହି ପରାମର୍ଶ ନିଜର ଲିଙ୍କ୍‌ଡଇନ୍‌ ପେଜ୍‌ରେ ପୋଷ୍ଟ କରି ଦେଇଛନ୍ତି। ରାଜନ କହିଛନ୍ତି ଦୁର୍ଭାଗ୍ୟରୁ ଆରମ୍ଭରେ ଯେଉଁସବୁ ଗତିବିଧି ଦ୍ରୁତ ଗତିରେ ବଢି ଚାଲିଥିଲା, ତାହା ଏବେ ଶିଥିଳ ପଡି ଯାଇଛି।

ରାଜନ ଲେଖିଛନ୍ତି ଆର୍ଥିକ ଅଭିବୃଦ୍ଧିରେ ଏତେ ବଡ ହ୍ରାସ ଆମ ସମସ୍ତଙ୍କ ପାଇଁ ଚେତାବନୀ।  ଭାରତରେ ଜିଡିପିରେ ୨୩.୯ ପ୍ରତିଶତ ହ୍ରାସ ଘଟିଛି। ଅନ୍ୟପଟେ କୋଭିଡ୍-୧୯ରେ ସର୍ବାଧିକ ପ୍ରଭାବିତ ଦେଶ ଇଟାଲୀରେ ଜିଡିପି ୧୨.୪ ପ୍ରତିଶତ ଏବଂ ଆମେରିକାରେ ୯.୫ ପ୍ରତିଶତ ହ୍ରାସ ଘଟିଛି। ରାଜନ କହିଛନ୍ତି ଏତେ ଖରାପ ଜିଡିପି ତଥ୍ୟ ମଧ୍ୟରେ ଗୋଟିଏ ଭଲ ଖବର ଏହା ହୋଇପାରେ ଯେ ସରକାରୀ କଳ ଏବେ ଆତ୍ମସନ୍ତୋଷ ସ୍ଥିତିରୁ ବାହାରକୁ ଆସିବେ ଏବଂ କିଛି ଅର୍ଥପୂର୍ଣ୍ଣ ଗତିବିଧି ଉପରେ ଧ୍ୟାନ କେନ୍ଦ୍ରିତ କରିବେ। ରାଜନ ସଂପ୍ରତି ଚିକାଗୋ ବିଶ୍ଵ ବିଦ୍ୟାଳୟରେ ପ୍ରଫେସର ଅଛନ୍ତି।

ସରକାରଙ୍କ ରଣନୀତି ଆତ୍ମଘାତୀ

ରାଜନ କହିଛନ୍ତି ସରକାର ଭବିଷ୍ୟତରେ ପ୍ରୋତ୍ସାହନ ପ୍ୟାକେଜ୍ ଦେବା ପାଇଁ ସମ୍ବଳ ବଞ୍ଚାଇବା ରଣନୀତିରେ ଚାଲୁଛନ୍ତି ଯାହା ଆତ୍ମଘାତୀ ହୋଇପାରେ। ସରକାର ଭାବୁଛନ୍ତି ଯେ  ଭାଇରସ ନିୟନ୍ତ୍ରଣକୁ ଆସିବା ପରେ ରିଲିଫ୍ ପ୍ୟାକେଜ୍ ଦେବେ। ମାତ୍ର ସରକାର ସାଂପ୍ରତିକ ସ୍ଥିତିର ଗମ୍ଭୀରତାକୁ କମ୍ ଭାବେ ଆକଳନ କରୁଛନ୍ତି। ସେ ପର୍ଯ୍ୟନ୍ତ ଅର୍ଥବ୍ୟବସ୍ଥା ଧ୍ଵଂସ ପାଇଯିବ ବୋଲି ରାଜନ କହିଛନ୍ତି।

ଅର୍ଥବ୍ୟବସ୍ଥାକୁ ରୋଗୀ ପରି ଦେଖାଯାଉ

ରଘୁରାମ ରାଜନ କହିଛନ୍ତି ଯଦି ଆପଣ ଅର୍ଥବ୍ୟବସ୍ଥାକୁ ଏକ ରୋଗୀ ପରି ଦେଖିବେ ତେବେ ଏହାର କ୍ରମାଗତ ଚିକିତ୍ସା ଜରୁରୀ। ରିଲିଫ ପ୍ୟାକେଜ୍ ବିନା ଲୋକେ ଖାଇବା ଛାଡି ଦେବେ, ପିଲାଙ୍କୁ ସ୍କୁଲ ପଠାଇବେ ନାହିଁ ଏବଂ ସେମାନଙ୍କୁ କାମ କରିବା କିମ୍ବା ଭିକ ମାଗିବା ପାଇଁ ପଠାଇ ଦେବେ। ଋଣ ପାଇଁ ନିଜର ସୁନା ବନ୍ଧା ପକାଇବେ, ଇଏମଆଇ ଓ ଘର ଭଡା ବଢି ଚାଲିବ। ଏହି ପରି ରିଲିଫ୍ ଅଭାବରେ କ୍ଷୁଦ୍ର ଓ ମଧ୍ୟମ କମ୍ପାନୀ ନିଜର କର୍ମଚାରୀଙ୍କୁ ବେତନ ଦେଇ ପାରିବେ ନାହିଁ। କର୍ମଚାରୀଙ୍କ ଋଣ ବଢି ଚାଲିବ ଏବଂ ଶେଷରେ ସେମାନେ ବନ୍ଦ ହୋଇଯିବେ। ଏହି ପରି କରୋନା ଭାଇରସ୍‌ କାବୁ ହେବା ବେଳକୁ ଅର୍ଥନୀତି ବରବାଦ ହୋଇଯିବ। ତେଣୁ ରଘୁରାମ ରାଜନ ସରକାରଙ୍କୁ ତତ୍କାଳ ରିଲିଫ ପ୍ୟାକେଜ୍ ଓ ଏହାର ରାଶି ବଢାଇବାକୁ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.