କରୋନା ସଂକଟ: ଯଦି ସରକାର ଚାହିଁବେ ଭାରତୀୟ ଭାବେ ସହଯୋଗ ଲାଗି ପ୍ରସ୍ତୁତ ବୋଲି କହିଲେ ରଘୁରାମ ରାଜନ

Published By : Prameya-News7 Bureau | April 12, 2020 IST

ନୂଆଦିଲ୍ଲୀ ୧୨।୪:  କରୋନା ସଂକ୍ରମଣ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ଲକ୍ଷ ଲକ୍ଷ ଲୋକେ ସଂକ୍ରମିତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୧ଲକ୍ଷ ପାର ହୋଇଗଲାଣି। ସଂକ୍ରମଣର ଶୃଙ୍ଖଳ ଛିନ୍ନ କରିବା ଲାଗି ଲକଡାଉନ୍ ଓ ସଟଡାଉନ୍‌ ହେଉଥିବାରୁ ଆର୍ଥନୀତି ପ୍ରଭାବିତ ହୋଇଛି। ବିଶ୍ୱ ଅର୍ଥନୀତି ମହାମାନ୍ଦାବସ୍ଥାକୁ ଯାଉଥିବାର ଅନ୍ତର୍ଜାତୀୟ ମୁଦ୍ରାପଣ୍ଠି (ଆଇଏମଏଫ୍) ସତର୍କ କରାଇଥିବା ବେଳେ ପରିସ୍ଥିତିରୁ ବିଶ୍ୱକୁ ମୁକାଳିବା ଲାଗି ଏକ ଆଡଭାଇଜରି ଗ୍ରୁପ ଗଠନ କରିଛନ୍ତି। ଯେଉଁଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ଙ୍କ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ମଧ୍ୟ ଅଛନ୍ତି।

କରୋନାଜନିତ ଗୁରୁତର ସଂକଟରୁ ଭାରତ ବି ବାଦ ପଡିନି। ଦେଶର ଅର୍ଥନୀତି ଗୁରୁତର ହୋଇପଡିଥିବା ବେଳେ ଭାରତ ସରକାର ଯଦି ଚାହିଁବେ ଉପୁଜିଥିବା ପରିସ୍ଥିତିରେ ଦେଶର ସହାୟତା ନିମନ୍ତେ ନିଶ୍ଚିତ ଆଗକୁ ଆସିବେ ବୋଲି କହିଛନ୍ତି ରଘୁରାମ ରାଜନ। ଆଇଏମଏଫ ପରାମର୍ଶଦାତା ନିଯୁକ୍ତି ପରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଅବସରରେ ରଘୁରାମ ଜଣେ ଭାରତୀୟ ନାଗରିକ ଭାବେ ଦେଶର ସହାୟତା ଲାଗି ନିଶ୍ଟିତ ଆସିବେ ବୋଲି କହିଛନ୍ତି। 

ରଘୁରାମ ରାଜନ ଦାର୍ଘ ୩ ବର୍ଷ କାଳ ଆରବିଆଇଙ୍କ ଗଭର୍ଣ୍ଣର ଥିଲେ। ୨୦୧୬ ମସିହାରେ ତାଙ୍କର କାର୍ଯ୍ୟକାଳ ସରିବା ପରେ ସେ ୟୁନିଭର୍ସିଟି ଅଫ ସିକାଗୋରେ ପ୍ରଫେସର ଭାବେ ଯୋଗଦେଇଛନ୍ତି। ରଘୁରାମ ଆରବିଆଇ ଛାଡିବାର ୪ ବର୍ଷ ହୋଇଗଲାଣି। ତେବେ ଦେଶର ଅର୍ଥାବସ୍ଥା ଉପରେ ନଜର ରଖିଥିବା କହିଛନ୍ତି ରଘୁରାମ। ଏଣୁ ଭାରତ ଯଦି  ତାଙ୍କର ସହଯୋଗ ଚାହିଁବ ତେବେ ସେ ପଛଘୁଞ୍ଚା ଦେବେ ନାହିଁ ବୋଲି କହିଛନ୍ତି।

୫୭ ବର୍ଷବୟସ୍କ ରଘୁରାମ ରାଜନ ଆରବିଆଇ ପୂର୍ବରୁ ୨୦୦୩ରୁ ୨୦୦୭ ମସିହା ପର୍ଯ୍ୟନ୍ତ ଆଇଏମଏଫଙ୍କ ମୁଖ୍ୟ ଇକୋନମିଷ୍ଟ ଅବସ୍ଥାପିତ ଥିଲେ। ଏଣୁ ପରିବର୍ତ୍ତିତ ବିଶ୍ୱରେ ତାଙ୍କର ସହଯୋଗ ଜରୁରି ହୋଇପଡିଥିବା ବେଳେ ସେ ଆଇଏମଏଫଙ୍କ ସହଯୋଗ ଲାଗି ଆଗେଇ ଆସିଛନ୍ତି। ତେବେ ସେ କେବଳ ପରାମର୍ଶ ଦେବେନି ବରଂ ଉପୁଜିଥିବା ପରିସ୍ଥିତିରେ ଜଟିଳନୀତିଗତ ସମସ୍ୟାର ସମାଧାନର ବାଟ ବି କାଢିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.