ବିଜେଡିରୁ ଇସ୍ତଫା ଦେଲେ ରଘୁନାଥ ମହାନ୍ତି, ବିଜେପିରେ ଦେଇପାରନ୍ତି ଯୋଗ
31/03/2019 at 11:11 AM

ଭୁବନେଶ୍ବର ୩୧|୩ : ବିଜେଡିର ପ୍ରାଥମିକ ସଭ୍ୟ ପଦ ଏବଂ ଉପସଭାପତି ପଦରୁ ଇସ୍ତଫା ଦେଲେ ରଘୁନାଥ ମହାନ୍ତି । ବାଲେଶ୍ବର ଜିଲ୍ଲା ବସ୍ତା ନିର୍ବାଚନମଣ୍ଡଳୀରୁ ଆଶାୟୀ ଥିବା ରଘୁନାଥ ମହାନ୍ତି ଗତକାଲି ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ବିଜେଡିରୁ ଇସ୍ତଫା ଦେବା ପରେ ସେ ବିଜେପିରେ ଯୋଗଦେଇ ବସ୍ତା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢିପାରନ୍ତି ବୋଲି କୁହାଯାଉଛି ।
ବିଜେଡିରୁ ଇସ୍ତଫା ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ରଘୁନାଥ ମହାନ୍ତି । ସେ କହିଛନ୍ତି କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଦ୍ବାରା ବିଜୁ ଜନତା ଦଳ ପରିଚାଳିତ ହେଉଛି । ବିଜୁ ବାବୁଙ୍କ ଆଦର୍ଶରୁ ବିଚ୍ୟୁତ ହୋଇଛି ଦଳ । ବର୍ତ୍ତମାନ ସୁଦ୍ଧା ନିର୍ବାଚନ ଲଢିବି କି ନାହିଁ ନିଷ୍ପତ୍ତି ନେଇ ନାହିଁ । ଚତୁର୍ଥ ପର୍ଯ୍ୟାୟରେ ବାଲେଶ୍ବର ନିର୍ବାଚନ ରହିଛି । ଏନେଇ ଖୁବଶୀଘ୍ର ନିଷ୍ପତ୍ତି ନେବି ।
ରଘୁନାଥ ମହାନ୍ତି ଜନତା ଦଳ ଏବଂ ବିଜୁ ଜନତା ଦଳ ଟିକେଟ୍ ରେ ପାଞ୍ଚ ଥର ବିଧାୟକ ଭାବେ ନିର୍ବାଚିତ ହେବା ସହ ମନ୍ତ୍ରୀ ମଧ୍ୟ ଥିଲେ । ୧୯୯୦, ୧୯୯୫ରେ ସେ ଜନତା ଦଳ ଟିକେଟ୍ ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଜୁ ଜନତା ଦଳ ଗଠନ ହେବା ପରେ ସେ ବିଜୁ ଜନତା ଦଳରେ ଯୋଗଦେବା ସହ ୨୦୦୦, ୨୦୦୪ ଓ ୨୦୦୯ରେ ବିଜୁ ଜନତା ଦଳ ଟିକେଟ୍ ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୯ରେ ନିର୍ବାଚିତ ହେବା ପରେ ପଞ୍ଚାୟତରାଜ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ । ତେବେ ପୁତ୍ରବଧୂ ବର୍ଷା ସୋନୀଙ୍କ ଯୌତୁକ ନିର୍ଯାତନା ଅଭିଯୋଗରେ ଗିରଫ ହେବା ପରେ ୨୦୧୩ ମସିହା ମାର୍ଚ୍ଚ ମାସରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ଫଳରେ ୨୦୧୪ ମସିହାରେ ତାଙ୍କୁ ଆଉ ଟିକେଟ୍ ମିଳିନଥିଲା । ୨୦୧୭ ମସିହାରେ ତାଙ୍କ ଉପରୁ ଦଳ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ସହ ତାଙ୍କୁ ଦଳର ଉପସଭାପତି କରାଯାଇଥିଲା । ଏଥିସହ ତାଙ୍କୁ ଉଠା ଜଳ ସେଚନ ନିଗମର ଅଧ୍ୟକ୍ଷ ଭାବେ ମଧ୍ୟ ଅବସ୍ଥାପିତ କରାଯାଇଥିଲା ।
ସୂଚନାଯୋଗ୍ୟ ଯେ, ଚଳିତ ଥର ସେ ବସ୍ତା ନିର୍ବାଚନମଣ୍ଡଳୀରୁ ବିଧାନସଭା ନିର୍ବାଚନ ଲଢିବା ପାଇଁ ଆଶାୟୀ ଥିଲେ । କିନ୍ତୁ ତାଙ୍କୁ ଟିକେଟ୍ ମିଳିୁନଥିବା ସଙ୍କେତ ପାଇବା ପରେ ଗତକାଲି ଉଠା ଜଳ ସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ଦଳୀୟ ନେତୃମଣ୍ଡଳୀ ଉପରେ ଚାପ ସୃଷ୍ଟି କରିବା ପାଇଁ ଉଦ୍ୟମ କରିଥିଲେ ।କିନ୍ତୁ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ପରେ ମଧ୍ୟ ଦଳୀୟ ନେତୃମଣ୍ଡଳୀ ତାଙ୍କ ସହିତ କୌଣସି ଆଲୋଚନା କରିନଥିଲେ । ଫଳରେ ତାଙ୍କ ପ୍ରତି ଥିବା ଦଳର ମନୋଭାବ ସେ ବୁଝିଯାଇଥିଲେ ଓ ଆଜି ଇସ୍ତଫା ପତ୍ର ଦଳୀୟ ହାଇକମାଣ୍ଡଙ୍କ ପାଖକୁ ପଠାଇଦେଇଛନ୍ତି ।
