ରଘୁ ମହାନ୍ତିଙ୍କ ଚିଠି : 'ଦଳ ଉପରୁ ନିୟନ୍ତ୍ରଣ ହରାଇଲେଣି ବିଜେଡି ସଭାପତି'

Published By : Prameya-News7 Bureau | March 31, 2019 IST

ଭୁବନେଶ୍ବର ୩୧|୩ : ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେବା ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଚିଠି ଲେଖିଛନ୍ତି ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି । ବସ୍ତାରୁ ଟିକେଟ୍ ନମିଳିବା ସଙ୍କେତ ପାଇବା ପରେ ରଘୁନାଥ ଗତକାଲି ଓଡିଶା ଉଠା ଜଳସେଚନ ନିଗର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଆଜି ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ରଘୁନାଥ ମଧ୍ୟ ଦଳର ଉପସଭାପତି ଥିଲେ ।

ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଲେଖିଥିବା ଚିଠିରେ ରଘୁନାଥ କେତେକ ଗୁରୁତ୍ବପୂର୍ଣ୍ଣ କଥା ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ, ବିଜୁ ଜନତା ଦଳ ବିଜୁଙ୍କ ଆଦର୍ଶରୁ ବିଚ୍ୟୁତ ହେବାରେ ଲାଗିଛି । ଦଳ ଉପରୁ ଦଳର ସଭାପତି ନିୟନ୍ତ୍ରଣ ହରାଇ ସାରିଲେଣି । ସେଥିପାଇଁ ଚିଟଫଣ୍ଡରେ ସଂପୃକ୍ତ ଥିବା ଲୋକଙ୍କୁ ମଧ୍ୟ ଟିକେଟ୍ ମିଳୁଛି । ଏହା ଦଳର ରାଜନୈତିକ ବାଧ୍ୟ ବାଧକତାକୁ ପଦାରେ ପକାଉଛି ।

୨୦୧୩ ମସିହାରେ ତାଙ୍କ ପରିବାରରେ ଘଟିଥିବା ଘଟଣାକୁ କିଛି ନ୍ୟସ୍ତ ସ୍ବାର୍ଥ ଦୁର୍ନୀତିଖୋର ବ୍ୟକ୍ତି ରାଜନୈତିକ ରୂପ ଦେଇ ତାଙ୍କୁ ନିନ୍ଦିତ କରିବା ପାଇଁ ଉଦ୍ୟମ କରିଥିଲେ । ସେ ବିଜେଡିର ପ୍ରତିଷ୍ଠାତା ସଭ୍ୟ । ତେଣୁ ଜଣେ ଶୃଙ୍ଖଳିତ କର୍ମୀ ଭାବେ ସେ ଦଳ ପାଇଁ କାମ କରିଆସିଛନ୍ତି । କିନ୍ତୁ ଅପରାଧ ପୃଷ୍ଠଭୂମି ଥିବା ବ୍ୟକ୍ତିତ୍ବ ଦଳର ସର୍ବେସର୍ବା ପାଲଟିଯିବା ଯୋଗୁଁ ଦଳରେ ବିଶୃଙ୍ଖଳା ସୃଷ୍ଟି ହୋଇଛି । ଦଳ ସାଧାରଣ ଲୋକଙ୍କଠାରୁ ଦୂରେଇ ଯାଇଛି । ଦିନେ ବିଜୁ ଜନତା ଦଳ ରାଜ୍ୟରେ ଲୋକଙ୍କ ବଳ ଥିଲା । ଆଜି ତାହା ଲୋକଙ୍କ କାଳରେ ପରିଣତ ହୋଇଛି । ତେଣୁ ସେ ଦଳ ଛାଡିଥିବା କହିଛନ୍ତି । ଏପର୍ଯ୍ୟନ୍ତ ସେ ତାଙ୍କ ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ସଂପର୍କରେ କୌଣସି ନିଷ୍ପତ୍ତି ନେଇନାହାନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି । ତେବେ ଖୁବ୍ ଶୀଘ୍ର ସେ ନିଷ୍ପତ୍ତି ନେବେ ।  

ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି ଯେ, ଆସନ୍ତା ୨ତାରିଖ ଦିନ ସେ ବିଜେପିରେ ଯୋଗଦେବେ । ଏଥିସହ ବସ୍ତାରୁ ମଧ୍ୟ ପ୍ରାର୍ଥୀ ହେବେ ।

{"id":98859}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.