ପଦ୍ମ ଧରିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ବସ୍ତାରୁ ହୋଇପାରନ୍ତି ପ୍ରାର୍ଥୀ
2/04/2019 at 6:14 PM

ଭୁବନେଶ୍ବର ୨|୪ : ବିଜେପିରେ ଯୋଗଦେଲେ ରଘୁନାଥ ମହାନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପି ଦଳରେ ଯୋଗଦେଇଛନ୍ତି ରଘୁନାଥ ମହାନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ମହିଳା ମୋର୍ଟ୍ଟାର ସଭାନେତ୍ରୀ ପ୍ରଭାତୀ ପରିଡା, ଅବିନେତା ଶ୍ରୀତମ ଦାଶ, ଉପ ସଭାପତି ସମୀର ମହାନ୍ତି ପ୍ରମୁଖଙ୍କ ଉପସ୍ଥିତିରେ ବିଜେପି ଦଳରେ ଯୋଗଦେଇଛନ୍ତି ।

ରବିବାର ଦିନ ରଘୁନାଥ ମହାନ୍ତି ବିଜେଡିରୁ ଇସ୍ତଫା ଦେଇଥିଲେ । ତା ପୂର୍ବରୁ ସେ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ । ବସ୍ତା ବିଧାନସବା ଆସନରୁ ରଘୁନାଥ ମହାନ୍ତି ଆଶାୟୀ ଥିଲେ । ୨୦୦୦ରୁ ୨୦୦୯ ମସିହା ମଧ୍ୟରେ ରଘୁନାଥ ମହାନ୍ତି ବସ୍ତା ଆସନରୁ ଲଗାତର ୩ଥର ବିଜେଡି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋବା ସହ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିଲେ । ତେବେ ୨୦୧୩ ମସିହାରେ ପୁତ୍ରବଧୂ ବର୍ଷା ସୋନୀଙ୍କ ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ ରଘୁନାଥ ମହାନ୍ତି ଗିରଫ ହେବାପରେ ବିଡେରୁ ନିଲମ୍ବିତ ହୋଇଥିଲେ । ୨୦୧୭ ମସିହାରେ ବିଜେଡି ତାଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଥିଲା । ରଘୁନାଥ ମହାନ୍ତି ବିଜୁ ପଟ୍ଟନାୟକଙ୍କ ସହ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରି ଜନତା ଦଳ ଟିକେଟରେ ମଧ୍ୟ ବିଧାନସବାକୁ ନିର୍ବାଚିତ ହୋଇଥିଲେ ।
ତେବେ ବିଜେଡି ବିଜୁ ପଟ୍ଟନାୟକଙ୍କ ଆଦର୍ଶରୁ ବିଚ୍ୟୁତ ହେବାରେ ଲାଗିଛି । ଦଳ ଆଉ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିୟନ୍ତ୍ରଣରେ ନାହିଁ ବୋଲି ଦର୍ଶାଇ ରଘୁନାଥ ମହାନ୍ତି ବିଜେଡି ଛାଡିଥିଲେ । ବିଜେପିରେ ଯୋଗ ଦେବାପରେ ସେ ବସ୍ତା ଆସନରୁ ବିଜେପି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।