ବିଜେପି ସରକାର ବିରୋଧରେ ହାଇକୋର୍ଟରେ ଜନସ୍ଵାର୍ଥ ମାମଲା, ଅଡୁଆରେ ପଡିଲେ ରଘୁବର ଦାସ !

Published By : Prameya-News7 Bureau | October 21, 2020 IST

ରାଞ୍ଚି ୨୧।୧୦: ଝାଡଖଣ୍ଡର ବର୍ତ୍ତମାନ ରାଜ୍ୟ ସରକାରଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ କରି ବିବାଦ ଘେରରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରଘୁବର ଦାସଙ୍କ ମୁସ୍କିଲ ଆହୁରି ବଢିପାରେ। ତାଙ୍କ କାର୍ଯ୍ୟକାଳରେ ଉଦ୍ୟୋଗପତିଙ୍କୁ ଆକର୍ଷିତ କରିବା ପାଇଁ ଆୟୋଜିତ ମୋମେଣ୍ଟମ ଝାଡଖଣ୍ଡ କାର୍ଯ୍ୟକ୍ରମରେ ହେରଫେର ହୋଇଥିବା ଅଭିଯୋଗରେ ଝାଡଖଣ୍ଡ ହାଇକୋର୍ଟରେ ପୁଣି ଥରେ ରଘୁବର ଦାସଙ୍କ ବିରୋଧରେ ଜନସ୍ଵାର୍ଥ ମାମଲା ରୁଜୁ ହୋଇଛି।

ଝାଡଖଣ୍ଡରେ ନିବେଶକଙ୍କୁ ଆମନ୍ତ୍ରିତ କରିବା ଏବଂ ବଡ ଧରଣର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ୨୦୧୭ରେ ରଘୁବର ଦାସଙ୍କ ନେତୃତ୍ଵାଧୀନ ତତ୍କାଳୀନ ବିଜେପି ସରକାର ମୋମେଣ୍ଟମ ଝାଡଖଣ୍ଡ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ହେରଫର ହୋଇଥିବା ଅଭିଯୋଗ କରି ଆଡଭୋକେଟ୍ ରାଜୀବ କୁମାର ଉଚ୍ଚ ନ୍ୟାୟାଳୟରେ ଜନସ୍ଵାର୍ଥ ମାମଲା ଦାଖଲ କରିଛନ୍ତି।

ଏହା ପୂର୍ବରୁ ମଧ୍ୟ ଆଡଭୋକେଟ୍ ରାଜୀବ କୁମାର ହାଇକୋର୍ଟରେ ଜନସ୍ଵାର୍ଥ ମାମଲା ଦାୟର କରିଥିଲେ। ହେଲେ ଅଦାଲତ ଦୁର୍ନୀତି ନିବାରଣ ସଂସ୍ଥା(ଏସିବି)ଠାରେ ଅଭିଯୋଗ କରିବାକୁ କହିଥିଲେ। ରାଜୀବ କୁମାର ଏସିବିରେ ଅଭିଯୋଗ କରି ମାମଲାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଥିଲେ। ଅଭିଯୋଗର ଗୋଟିଏ ବର୍ଷ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ସେ ପୁଣି ଥରେ ଝାଡଖଣ୍ଡ ହାଇକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି।

ଆବେଦନକାରୀ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେ, ଅଧିକାରୀଙ୍କ ସହିତ ମିଶି ମୋମେଣ୍ଟମ ଝାଡଖଣ୍ଡ ନାମରେ ବଡ ଆର୍ଥିକ ହେରଫେର ହୋଇଛି। ଏହି କାର୍ଯ୍ୟକ୍ରମ ଆୟୋଜନରେ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଗଲା। ହେଲେ ସେହି ଅନୁରୂପ ରାଜ୍ୟରେ ନିବେଶ ହୋଇ ପାରିନାହିଁ। କେବଳ ଏହି ଆୟୋଜନ ଦ୍ଵାରା ତତ୍କାଳୀନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ନିକଟତର ଲୋକଙ୍କ ଫାଇଦା ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.