ପୈତୃକ ଗାଁରେ ହେବ ରଘୁବଂଶ ସିଂହ ଯାଦବଙ୍କ ଅନ୍ତିମ ସଂସ୍କାର, ସନ୍ଧ୍ୟାରେ ପାଟନାରେ ପହଞ୍ଚିବ ପାର୍ଥିବ ଶରୀର
13/09/2020 at 3:47 PM

ନୂଆଦିଲ୍ଲୀ ୧୩/୦୯ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିହାର ରାଜନୀତିର ବରିଷ୍ଠ ନେତା ରଘୁବଂଶ ସିଂହ ଯାଦବଙ୍କ ରବିବାର ଦିନ ଦେହାନ୍ତ ହୋଇଛି । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କର ଅନ୍ତିମ ସଂସ୍କାର ତାଙ୍କ ପୈତୃକ ଗାଁରେ ହେବ । ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରଘୁବଂଶ ସିଂହ ଯାଦବଙ୍କ ଅନ୍ତିମ ସଂସ୍କାର ବୈଶାଳୀ ଜିଲ୍ଲା ପାନାପୁର ଗାଁରେ ସୋମବାର ଦିନ କରାଯିବ । ରବିବାର ସନ୍ଧ୍ୟାରେ ତାଙ୍କ ପାର୍ଥିବ ଶରୀର ବିମାନ ଯୋଗେ ପାଟନାରେ ପହଞ୍ଚିବାର ସମ୍ଭାବନା ରହିଛି ।
ସୂଚନାଯୋଗ୍ୟ ଯେ, ଆରଜେଡିର ବରିଷ୍ଠ ନେତା ରଘୁବଂଶ ସିଂହ ଯାଦବ କିଛି ଦିନ ପୂର୍ବରୁ ଦଳରୁ ଇସ୍ତଫା ଦେଇଥିଲେ । ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ଚିଠି ଲେଖି ଦଳ ଛାଡିବାକୁ ସେ ଘୋଷଣା କରିଥିଲେ ।
ରବିବାର ଦିନ ଦିଲ୍ଲୀ ଏମ୍ସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଫୁସଫୁସ ସଂକ୍ରମଣ ଯୋଗୁଁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ତାଙ୍କ ପାର୍ଥିବ ଶରୀର ବର୍ତ୍ତମାନ ଦିଲ୍ଲୀ ଏମ୍ସରେ ହିଁ ଅଛି । ତାଙ୍କ ପରିବାର ସଦସ୍ୟ ମଧ୍ୟ ସେଠାରେ ଅଛନ୍ତି ।
ସୂଚନା ଅନୁଯାୟୀ, ରଘୁବଂଶ ସିଂହ ଯାଦବଙ୍କ ଅନ୍ତିମ ସଂସ୍କାରରେ ଲାଲୁ ଯାଦବଙ୍କ ସାନ ପୁଅ ତଥା ବିହାର ବିଧାନସଭାରେ ବିରୋଧୀ ନେତା ତେଜସ୍ୱି ଯାଦବ ସାମିଲ ହେବେ । ତାଙ୍କ ଛଡା ବିହାର ଅନେକ ନେତା ମଧ୍ୟ ଅନ୍ତିମ ସଂସ୍କାରରେ ସାମିଲ ହେବାର ସମ୍ଭାବନା ରହିଛି ।
ରଘୁବଂଶ ଯାଦବଙ୍କ ଦେହାନ୍ତ ପରେ ଲାଲୁ ଯାଦବ ଟ୍ୱିଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ଦଳର ନେତା ଟ୍ୱିଟ ଜରିଆରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।