ହାତ ଗୋଡ ବାନ୍ଧି ୪ ଦିନ ଧରି ୪ ଜଣ ଛାତ୍ର ଅନ୍ୟଜଣେ ଜୁନିୟର୍‌ ଛାତ୍ରକୁ ରାଗିଂ କରିଥିବା ଅଭିଯୋଗ

Published By : Prameya-News7 Bureau | September 18, 2019 IST

ସମ୍ବଲପୁର ୧୮।୦୯-ସମ୍ବଲପୁର ଶାସନସ୍ଥିତ ବେଦିକ୍ ଇଣ୍ଟରନ୍ୟାସନାଲ୍ କଲେଜ୍ ରେ ରାଗିଂ ସବୁ ସୀମା ଟପି ଯାଇଛି ।  ୪ଦିନ ଧରି, ୪ଜଣ ଛାତ୍ର, ଜଣେ ଯୁକ୍ତ ଦୁଇ ପ୍ରଥମବର୍ଷ ବିଜ୍ଞାନ ଛାତ୍ରକୁ ନିସ୍ତୁକ ମାଡ ମାରିବା ସହ ଗୋଟିଏ ଘରେ ହାତଗୋଡ ବାନ୍ଧି ରଖିଥିବା ଅଭିଯୋଗ ହୋଇଛି । ୪ଜଣ ଛାତ୍ରଙ୍କ ବିରୋଧରେ ମାମଲା ଦାୟର ହେବାର ୨୪ଘଣ୍ଟା ପରେ, ବି ପୋଲିସର ହାତ ଖାଲି । ବୁଧବାରରେ  ସଂପୃକ୍ତ ଛାତ୍ର ନିଜ ପରିବାର ସହ,ଶିଶୁ ସୁରକ୍ଷା ସେଲ୍ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ହେଲେ ଜିଲ୍ଲା ପ୍ରଶାସନର ନୀରବତା, ପୋଲିସ୍ ର ଦିଗହରା ତଦନ୍ତ ଛାତ୍ର ଏବଂ ତାଙ୍କ ପରିବାରକୁ ଚିନ୍ତାରେ ପକାଇଛି....

{"id":159546}

ନ୍ୟୁଜ7 ଆଗରେ ରାଗିଂର ଛାତିଥରା କାହାଣୀ ପୀଡିତ ଛାତ୍ର । ଗତ ଶନିବାର ଠାରୁ ମଙ୍ଗଳବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଗୋଡ ହାତ ବାନ୍ଧି ୪ଜଣ ବରିଷ୍ଠ ଛାତ୍ର ନିସ୍ତୁକ ମାଡ ମାରିଲେ। ନିର୍ଯ୍ୟାତନାର ଶିକାର ହୋଇଥିବା ଛାତ୍ର ମୂର୍ଛା ହୋଇଯିବା ପରେ, ତାଙ୍କୁ ଗ୍ଲୁକୋଜ୍ ପାଣି ଦେଇ ଚେତା ଫେରାଇ ଆଣୁଥିଲା । ଆଉ  ଚେତା ଫେରିବା ପରେ, ପୁଣି ନିସ୍ତୁକ ମାଡ ମରାଯାଉଥିଲା । ଷ୍ଟିଲ୍ ରଡ୍,ଲାଠି,ବେଲ୍ଟରେ ପ୍ରବଳ ମାଡମାରିବା ପରେ, କ୍ଷତ ସ୍ଥାନରେ ଡେଟେଲ୍ ଲଗାଯାଉଥିଲା ଓ ପୁଣି ପ୍ରବଳ ମାଡ ମରାଯାଉଥିଲା। ଏହି ୪ଦିନ ଗୋଟିଏ କୋଠରୀ, ପାଇଖାନା ଘରେ ନିର୍ଯାତନା ଦିଆଯାଉଥିଲା । ରାଗିଂର ଶିକାର ଛାତ୍ର କଲେଜ୍ ଅଧ୍ୟକ୍ଷଙ୍କୁ  ଭେଟି ସବୁ ଜଣାଇଥିଲେ  । ହେଲେ ଅଧ୍ୟକ୍ଷ ସଂପୃକ୍ତ ଛାତ୍ରକୁ ମେଡିକାଲ୍ ନେବା ବଦଳରେ, ତାକୁ ଅନ୍ୟ ଏକ କୋଠରୀରେ ରଖି ସାରା ଦେହରେ ହଳଦୀ ଲଗାଇ ଦେଇଥିଲେ । ଏ ସଂପର୍କରେ କାହାରି କୁ କିଛି କହିଲେ ଟିସି ଦେଇ କଲେଜ୍‌ରୁ ବିଦା କରିଦେବାର ଧମକ ମଧ୍ୟ ଦେଇଥିଲେ ଅଧ୍ୟକ୍ଷ ।

ଶାସନଥାନାରେ ମାମଲା ଦାୟର ହେବାର ୨୪ ଘଣ୍ଟା ବିତିଲାଣି। ହେଲେ ବର୍ତ୍ତମାନ ସୁଦ୍ଧା ପୋଲିସ୍ ଅଭିଯୁକ୍ତ ଛାତ୍ର, ଅନୁଷ୍ଠାନର ମୁଖ୍ୟ, ହଷ୍ଟେଲ୍ ୱାର୍ଡେନ୍ ଓ ଅଧ୍ୟକ୍ଷଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ସେପଟେ ପୀଡିତ ଛାତ୍ର ନାବାଳକ ହୋଇଥିବାରୁ, ନିଜ ପରିବାର ସହ ଆସି ଜିଲ୍ଲା ଶିଶୁ ସୁରକ୍ଷା ସେଲ୍‌ରେ  ୭ଜଣଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ।  ଅଭିଯୁକ୍ତ ଛାତ୍ରଙ୍କ ମଧ୍ୟରେ ୩ଜଣ ବୌଦ୍ଧର ହୋଇଥିବା ବେଳେ, ଜଣେ ସୋନପୁରର ବୋଲି ଜଣାପଡିଛି । ଗତକାଲି ଠାରୁ ବେଦିକ୍ କଲେଜର ଅଧ୍ୟକ୍ଷ କାର୍ଯ୍ୟାଳୟକୁ ଆସୁନଥିବା ବେଳେ, ଅଭିଯୁକ୍ତ ୪ଜଣ ଛାତ୍ର ମାନେ ହଷ୍ଟେଲ୍ ଛାଡି ନିଜ ଘରକୁ ଚାଲିଯାଇଛନ୍ତି । କଲେଜ୍ର ଚେୟାରମ୍ୟାନ୍ କଲେଜ୍‌କୁ ନଆସି ମାମଲାକୁ ରଫାଦଫା କରିବାକୁ ବିଭିନ୍ନ ମହଲରେ ଉଦ୍ୟମ ଆରମ୍ଭ କରିଛନ୍ତି । ଆସନ୍ତା ୨୪ଘଣ୍ଟା ମଧ୍ୟ ଅଭିଯୁକ୍ତ ଛାତ୍ର, ବେଦିକ୍ କଲେଜର ଚେୟାରମ୍ୟାନ୍, ଅଧ୍ୟକ୍ଷ ଓ ୱାର୍ଡେନ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ, ପୀଡିତ ଛାତ୍ରଙ୍କ ପରିବାର ଆମରଣ ଅନଶନ କରିବାକୁ ଧମକ ଦେଇଛନ୍ତି ।ଏହାସହ ଅବିଭାବକମାନେ ରାସ୍ତାରୋକ କରିବାକୁ ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.