ସିନେମା ଦୃଶ୍ୟକୁ ବଳିଗଲା ରାଗିଂ: ଦେଢଶହ ଡାକ୍ତରୀ ଛାତ୍ରଙ୍କୁ ଲଣ୍ଡା କରାଯାଇଥିବା ଅଭିଯୋଗ !

Published By : Prameya-News7 Bureau | August 21, 2019 IST

ଲକ୍ଷ୍ନୌ ୨୧।୮-- ଶିକ୍ଷାନୁଷ୍ଠାନରେ ରାଗିଂ ରୋକିବା ପାଇଁ କେତେ କଣ ନିୟମ ।  ଏପରିକି ରାଗିଂ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ବହିଷ୍କାର କରିବା ପାଇଁ ମଧ୍ୟ ନିୟମ ରହିଛି ।  ହେଲେ ଉତ୍ତର ପ୍ରଦେଶର ଏକ ମେଡିକାଲ କଲେଜରେ ଏହି ନିୟମକୁ ଫୁ କରି ଉଡାଇ ଦିଆଯାଇଛି । ସିନିୟର ଛାତ୍ରମାନେ ପାଖାପାଖି ଦେଢ ଶହ ଛାତ୍ରଙ୍କୁ ଏପରି ରାଗିଂ କରିଛନ୍ତି ଯେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

 ଯାହାଁପନା ତୌଫା କବୁଲ ହୋ ।

ଥ୍ରି ଇଡିଏଟ୍‌ ଫିଲ୍ମର ଏହି ଦୃଶ୍ୟ ସମସ୍ତଙ୍କର ମନେଥିବ ନିଶ୍ଚିତ ।   ଯେଉଁଠି ପ୍ରଥମ ବର୍ଷର ଇଂଜିନିଅର ଛାତ୍ରଙ୍କୁ ରାଗିଂ କରୁଛନ୍ତି କିଛି ସିନିଅର ଛାତ୍ର  । ତାହା ତ ଥିଲା ଫିଲ୍ମର ଦୃଶ୍ୟ  କିନ୍ତୁ ଉତ୍ତରପ୍ରଦେଶର ଏକ ମେଡିକାଲ କଲେଜର ଦୃଶ୍ୟ ଏହାକୁ ବଳିଯାଇଛି ।  ଲଣ୍ଡା ହୋଇ ଛାତ୍ରମାନେ ଧାଡିରେ  ହୋଇ ଚାଲିଛନ୍ତି । ସେମାନଙ୍କୁ ସାମୁହିକ ଲଣ୍ଡା କରାଯାଇଛି  ଏବଂ ଧାଡିରେ ଚାଲିବାକୁ ବାଧ୍ୟ କରାଯାଇଛି । ଆଉ ଏପରି କରିବାକୁ ବାଧ୍ୟ କରିଛନ୍ତି ସିନିଅର ଛାତ୍ରମାନେ । ଏମ୍‌ବିବିଏସ୍‌ ପ୍ରଥମ ବର୍ଷର ୧୫୦ ଜଣ ଛାତ୍ରଙ୍କୁ ଲଣ୍ଡା କରି ଏପରି ଧାଡିରେ ଚଲାଯାଉଛି । ସେତିକି ନୁହେଁ ମେଡିକାଲ କଲେଜ୍‌ରେ ପାଠ ପଢିବାର ଅଛି ତ ସିନିଅରଙ୍କୁ ସାଲ୍ୟୁଟ୍ କରିବାକୁ ବି ବାଧ୍ୟ କରାଯାଉଛି ।  ଆଉ ଏହି କଥାକୁ ଜୁନିଅର ଛାତ୍ରମାନେ ପାଳନ କରି ସିନିଅରଙ୍କୁ ସାଲ୍ୟୁଟ କରି କ୍ଲାସ ରୁମ୍‌କୁ ଯାଉଛନ୍ତି ।  

ଏହି ରାଗିଂ ଭିଡିଓ ଭାଇରାଲ୍ ହେବା ପରେ ୟୁନିଭର୍ସିଟି ପ୍ରଶାସନ ତତ୍ପର ହୋଇଛି ।  କ୍ୟାମ୍ପସରେ ରାଗିଂକୁ ଘୋର ବିରୋଧ କରାଯାଉଛି  । ଏପରିକି ରାଗିଂ କରୁଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି   ପ୍ରଶାସନ ପକ୍ଷରୁ କୁହାଯାଇଛି। ଯେଉଁମାନେ ଏଥିରେ ଜଡିତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।  ଏଥିପାଇଁ ଏକ କମିଟି ଗଠନ କରାଯାଇଛି ।  ରାଗିଂ କୁ ରୋକିବା ପାଇଁ ଦେଶର ଅନେକ ଆଇନ କାନୁନ ଅଛି । ହେଲେ ରାଗିଂ ରୋକାଯାଇପାରି ନାହିଁ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.