ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବରାଫେଲ ଯୁଦ୍ଧ ବିମାନ ସମ୍ପର୍କିତ ୩ଟି ଜନସ୍ୱାର୍ଥ ମାମଲାର ଶୁଣାଣି
9/10/2018 at 1:32 PM

ନୂଆଦିଲ୍ଲୀ ୯/୧୦ : ରାଫେଲ ଯୁଦ୍ଧ ବିମାନ କିଣା ଦୁର୍ନୀତି ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ | ରାଫେଲ ଫାଇଟର ଜେଟ ଡ଼ିଲରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦର୍ଶାଇ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କୁ ଘେରିବା ପାଇଁ କଂଗ୍ରେସ ଅହରହ ପ୍ରୟାସ କରୁଥିବା ବେଳେ ଏ ସମ୍ପର୍କିତ କେତେକ ଜନସ୍ୱାର୍ଥ ମାମଲାର ଶୁଣାଣି ଆସନ୍ତାକାଲି ହେବା ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି | ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବ |
ୟୁପିଏ ସରକାରଙ୍କ ସମୟରେ ରାଫେଲ ଯୁଦ୍ଧ ବିମାନ ପାଇଁ କେତେ ଟଙ୍କାରେ ଡ଼ିଲ ହୋଇଥିଲା ଏବଂ ବର୍ତ୍ତମାନ ଏନଡିଏ ସରକାର କେତେ ଟଙ୍କାରେ ଫ୍ରାନ୍ସର ଡାସଉଲଟ କମ୍ପାନୀରୁ ଏହି ଯୁଦ୍ଧ ବିମାନ ଖରିଦ କରୁଛନ୍ତି ତାର ଏକ ତୁଳନାତ୍ମକ ଚିତ୍ର କେନ୍ଦ୍ର ସରକାର ଗୋପନୀୟ ଭାବେ ସୁପ୍ରିମକୋର୍ଟରେ ଦାଖଲ କରନ୍ତୁ ବୋଲି ଏକ ଜନସ୍ୱାର୍ଥ ମାମଲାରେ ନିବେଦନ କରାଯାଇଛି | ଏଥି ସହିତ ଫ୍ରାନ୍ସର ଡାସଉଲଟ କମ୍ପାନୀ ରିଲାଏନ୍ସ କମ୍ପାନୀକୁ ଅଂଶୀଦାର କରିବା ସମ୍ପର୍କିତ ତଥ୍ୟ ମଧ୍ୟ ଏହି ପିଆଇଏଲରେ ମଗାଯାଇଛି | ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଭିନୀତ ଧଣ୍ଡା ଏହି ଜନସ୍ୱାର୍ଥ ମାମଲା ଦାୟର କରିଥିଲେ | ଏଥି ପୂର୍ବରୁ ଆଇନଜୀବୀ ଏମ.ଏଲ.ଶର୍ମା ରାଫେଲ କାରବାରକୁ ନେଇ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ | ଆଇନଜୀବୀ ଶର୍ମା ଦାୟର କରିଥିବା ମାମଲାରେ ରାଫେଲ କାରବାରରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରାଯିବା ସହ ଏହି କାରବାର ଉପରେ ସ୍ଥଗିତାଦେଶ ଜାରି କରିବା ପାଇଁ ଅନୁରୋଧ କରାଯାଇଥିଲା | ଏହି କାରବାର ପାଇଁ ପାର୍ଲିଆମେଣ୍ଟରେ ଅନୁମୋଦନ ନଥିବା ମଧ୍ୟ ଶ୍ରୀ ଶର୍ମା ତାଙ୍କ ପିଟିସନରେ ଦର୍ଶାଇଥିଲେ |
ସେହିଭଳି ସମାନ ମର୍ମରେ ଗତ ମାର୍ଚ୍ଚ ମାସରେ କଂଗ୍ରେସ ନେତା ତହସିନ ଏସ ଫୁନୱାଲା ମଧ୍ୟ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ | ପ୍ରତିରକ୍ଷା ସମ୍ବନ୍ଧୀୟ ଖରିଦି ବେଳେ କାହିଁକି କ୍ୟାବିନେଟର ଅନୁମୋଦନ ନିଆଯାଇନଥିଲା ବୋଲି ସେ ମଧ୍ୟ ନିଜ ପିଟିସନରେ ପ୍ରଶ୍ନ କରିଥିଲେ |
ସୂଚନାଯୋଗ୍ୟ ଯେ, ଭାରତୀୟ ବାୟୁସେନା ପାଇଁ ୩୬ଟି ଲଢୁଆ ବିମାନ ଖରିଦ ପାଇଁ ଫ୍ରାନ୍ସ ସରକାର ସହ ଭାରତ ସରକାର ଚୁକ୍ତିବଦ୍ଧ ହୋଇଛନ୍ତି | ଏହି ଯୁଦ୍ଧ ବିମାନ କିଣିବା ପାଇଁ ୨୦୦୭ ମସିହାରେ ୟୁପିଏ ସରକାର ପ୍ରଥମେ ଚୁକ୍ତି କରିଥିଲେ | ପରବର୍ତ୍ତୀ ସମୟରେ ଏହି ଚୁକ୍ତିକୁ ନବୀକରଣ କରି ୨୦୧୬ ମସିହାରେ ଏନଡିଏ ସରକାର ପୁଣି ଚୁକ୍ତି କରିଥିଲେ | ନୂଆ ଚୁକ୍ତି ହେବା ପୂର୍ବରୁ ଫ୍ରାନ୍ସର ଡାସଉଲଟ କମ୍ପାନୀ ଭାରତର ରିଲାଏନ୍ସ କମ୍ପାନୀକୁ ଅଫସେଟ ଅଂଶୀଦାର କରିଥିଲା | ୨୦୦୭ ମସିହାର ଚୁକ୍ତି ଏବଂ ୨୦୧୬ ମସିହାରେ ହୋଇଥିବା ଚୁକ୍ତିରେ ବିମାନର ଦାମ ତାରତମ୍ୟ ଅଧିକ ରହିଛି ବୋଲି କଥା ଉଠିଥିଲା | ରିଲାଏନ୍ସକୁ ପ୍ରଧାନମନ୍ତ୍ରୀ ଅନୁମତି ଅନୁଗ୍ରହ ପ୍ରଦର୍ଶନ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା |